କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ଉତ୍ସାହିତ ନହୋଇ ମୁକାବିଲା ଜାରି ରଖିବାକୁ ପରାମର୍ଶ

ଟିକା ବାହାରିଲେ ତୁରନ୍ତ ଲୋକମାନଙ୍କ ପାଖରେ ପହଞ୍ଚାଅ

ନୂଆଦିଲ୍ଲୀ,୧୮/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ କରୋନା ସ୍ଥିତି, ଟିକା ଯୋଗାଣର ପ୍ରସ୍ତୁତି, ବଣ୍ଟନ ଓ ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ), ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା, ବୈଜ୍ଞାନିକ, ଗବେଷକ ଓ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ । ଗତ ୪୮ ଘଣ୍ଟାରେ ପ୍ରଧାନମନ୍ତ୍ରୀଙ୍କର ଏହା ଦ୍ୱିତୀୟ କରୋନା ସମୀକ୍ଷା ବୈଠକ । ଗତ ଗୁରୁବାର କରୋନା ସ୍ଥିତି ଓ ଟିକା ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ କରୋନା ସଂକ୍ରମଣ ଏବେ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ତାକୁ ନେଇ ଉତ୍ସାହିତ ନହୋଇ ଏହି ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିବାକୁ ପଡିବ । ନିୟମିତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ସାବୁନ କିମ୍ବା ସାନିଟାଇଜରରେ ହାତ ସଫା କରିବାକୁ ହେବ । ବିଶେଷକରି ଆଗକୁ ପାର୍ବଣ ଓ ଶୀତଋତୁ ଆସୁଥିବାରୁ ଅଧିକ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ପିଏମ୍‌ଓ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି କି ବର୍ତ୍ତମାନ ଦେଶରେ ୩ଟି ଟିକାର ମାନବ ପରୀକ୍ଷଣ ଚାଲିଛି । ଦୁଇଟି ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଥିଲା ବେଳେ ଅନ୍ୟଟିର ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଉଛି । ଏଥିସହ ଭାରତର ବିଭିନ୍ନ ବୈଜ୍ଞାନିକ ଓ ଗବେଷକ ଟିମ୍‌ ପଡୋଶୀ ଦେଶ ବାଂଲାଦେଶ, ଆଫଗାନିସ୍ତାନ, ଭୁଟାନ, ମାଳଦ୍ୱୀପ, ମରିସସ୍‌, ନେପାଳ ଓ ଶ୍ରୀଲଙ୍କା ସହ ମିଶି ଗବେଷଣା ଜାରି ରଖିଛନ୍ତି ।

ସେହିଭିଳ ଟିକା ପ୍ରସ୍ତୁତ ହୋଇଯିବା ପରେ ତାକୁ ତୁରନ୍ତ ଲୋକମାନଙ୍କ ପାଖରେ ପହଞ୍ଚାଯାଇବାକୁ ପ୍ରଧାନମନ୍ତ୍ରୀ ସବୁ ଅଂଶୀଦାରମାନଙ୍କୁ ପରାମର୍ଶ ଦେଇଛନ୍ତି । ଟିକାକୁ ସଂରକ୍ଷିତ ରଖିବାକୁ କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥା କରିବା, ବଣ୍ଟନ ବ୍ୟବସ୍ଥାକୁ ବ୍ୟାପକ କରିବା, ପରିଚାଳନାର ତଦାରଖ କରିବା, ଆନୁସଙ୍ଗିକ ସରଞ୍ଜାମ ଯେପରିକି ଭାଏଲ୍ସ ଓ ସିରିଞ୍ଜ ଆଦି ଆଗୁଆ ମହଜୁଦ ରଖିବାକୁ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିର୍ବାଚନ ଓ ବିପର୍ଯ୍ୟୟ ପରିଚାଳନା ଭଳି ଟିକା ଯୋଗାଣ କ୍ଷେତ୍ରରେ ପଦକ୍ଷେପ ନେବାକୁ ହେବ । କେବଳ ପଡ଼ୋଶୀ ଦେଶ ନୁହେଁ, ସମଗ୍ର ବିଶ୍ୱକୁ ଟିକା ଯୋଗାଣ ଲାଗି ଭାରତକୁ ରଣନୀତି ବନାଇବାକୁ ପଡିବ ।

ଟିକା ଯୋଗାଣରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରୀ ବିଭାଗ, ଜିଲ୍ଲା ପ୍ରଶାସନ, ନାଗରିକ ସମାଜ, ସ୍ୱେଚ୍ଛାସେବୀ ସଙ୍ଗଠନ, ବୈଜ୍ଞାନିକ, ବିଶେଷଜ୍ଞ ଏପରିକି ସାଧାରଣ ନାଗରିକଙ୍କୁ ସାମିଲ କରାଯିବା ଆବଶ୍ୟକ । ଟିକା ସମ୍ପର୍କରେ ଗଠିତ ବିଶେଷଜ୍ଞ ଗୋଷ୍ଠୀ ସବୁ ରାଜ୍ୟ ସରକାର ଓ ଅଂଶୀଦାରଙ୍କ ପରାମର୍ଶରେ ଟିକା ଗଚ୍ଛିତ, ସଂରକ୍ଷଣ, ବଣ୍ଟନ ଓ ପରିଚାଳନା ନେଇ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ବେଳେ ତାକୁ ଉକ୍ତ ବୈଠକରେ ଉପସ୍ଥାପନ କରାଯାଇଥିଲା ।

   ସମ୍ବନ୍ଧିତ ଖବର


ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ଫେସବୁକ୍‌ ଇଣ୍ଡିଆର ପଲିସି ହେଡ ଆଂକ୍ଷୀ ଦାସଙ୍କ ଇସ୍ତଫା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ