ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ବେଳେ ମୋଦି ଜିମ୍ କାର୍ବେଟରେ ବୁଲୁଥିଲେ: କଂଗ୍ରେସ

ନୂଆଦିଲ୍ଲୀ,୨୧।୨:ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାର ଠିକ୍ ଏକ ସପ୍ତାହ ପରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ବାଲ ନରେନ୍ଦ୍ର ମୋଦି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ସୁରଜେଓ୍ବାଲ ଗୁରୁବାର ସକାଳେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେଉଁ ସମୟରେ ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ,ସେତେବେଳେ ପ୍ରଧାନମନ୍ତ୍ରୀ ଜିମ୍ କାର୍ବେଟରେ ଫିଲ୍ମ ସୁଟିଂ କରୁଥିଲେ। ଏହି ଘଟଣାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାରର ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

ସୁରଜେଓ୍ବାଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍ଏସ୍ଏ) ଅଜିତ ଡୋଭାଲ ନିଜର ବିଫଳତାକୁ କାହିଁକି ସ୍ବୀକାର କରୁନାହାନ୍ତି? ପୁଲଓ୍ବାମାରେ ବ୍ୟବହାର ହୋଇଥିବା ଏତେ ପରିପାଣର ବିସ୍ଫୋରକ, ରକେଟ ଲଞ୍ଚର କେଉଁଠାରୁ ଆସିଲା, ଗାଡି ଗୁଡିକ ସେଠାକୁ କିପରି ପ୍ରବେଶ କଲା? ପୁଲଓ୍ବାମା ଆକ୍ରମଣର ଠିକ୍ ୪୮ ଘଣ୍ଟା ପୂର୍ବରୁ ଜାରି କରାଯାଇଥିବା ଭିଡିଓକୁ କାହିଁକି ଗୁରୁତ୍ବ ଦିଆଯାଇନଥଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯଦି ସିଆରପିଏଫ୍ ବିମାନଯୋଗେ ଯାତ୍ରା କରିବାକୁ ଦାବି କରିଥିଲା ତେବେ ତାଙ୍କର ଦାବିକୁ କାହିଁକି ପୂରଣ କରାଗଲା ନାହିଁ। ମୋଦି ସରକାରଙ୍କ ୫୬ ମାସର କାର୍ଯ୍ୟକାଳରେ ୪୮୮ ଜଣ ଯବାନ ଶହୀଦ ହୋଇଛନ୍ତି। ବିମୁଦ୍ରାକରଣ ପରେ ମଧ୍ୟ କାହିଁକି ଆତଙ୍କବାଦୀ ଆକ୍ରମଣ ବନ୍ଦ ହୋଇନାହିଁ?

କେବଳ ସେତିକି ନୁହେଁ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ବାଲ ବିଭିନ୍ନ ପ୍ରମାଣ ସହିତ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ଏହି ସମୟରେ ମୋଦିଙ୍କ ଜିମ୍ କାର୍ବେଟ ଗସ୍ତକୁ ନେଇ ମଧ୍ୟ କଡା ସମାଲୋଚନା କରିଛନ୍ତି। ସୁରଜେଓ୍ବାଲ କହିଛନ୍ତି ୧୪ ଫେବୃଆରୀ ୩ଟା ୧୦ ମିନିଟରେ ପୁଲଓ୍ବାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ଟା୪୫ ପର୍ଯ୍ୟନ୍ତ ଜିମ୍ କାର୍ବେଟରେ ଫିଲ୍ମ ସୁଟିଂ କରୁଥିଲେ। ଆକ୍ରମଣ ପରେ ମଧ୍ୟ ସେ ରାମନଗରରେ ଚା-ଜଳଖିଆ ଖାଇବା ସହ ନିଜର ସମର୍ଥକଙ୍କ ନିକଟରୁ ଅଭିବାଦନ ଗ୍ରହଣ କରୁଥିଲେ।। ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା ଲଗାତାର ନିର୍ବାଚନୀ ରାଲି କରୁଛନ୍ତି ଓ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଉପରେ ରାଜନୀତି କରୁଛନ୍ତି। ଏହି ସମୟରେ ବିଜେପି ସାଂସଦ ସାକ୍ଷୀ ମହାରାଜ ଓ କ୍ୟାବିନେଟ୍ ମନ୍ତ୍ରୀ କେଜେ ଅଲଫୋସଙ୍କ ଫଟୋକୁ ନେଇ କଂଗ୍ରେସ ସମାଲୋଚନା କରିଛି । ଏଥରେ ସାକ୍ଷୀ ମହାରାଜ ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ଅନ୍ତିମ ସଂସ୍କାରରେ ହସୁଥିବାର ଦେଖିବାକୁ ମିଳିଥିଲା। ସେଭଳି ଅଲଫୋସ୍ ଶହୀଦ ବିବି ବସନ୍ତକୁମାରଙ୍କ କବର ଉପରେ ରଖାଯାଇଥିବା ପାର୍ଥିବ ଶରୀର ସହ ସେଲଫି ନେଇଥିବାର ଦେଖିବାକୁ ମିଳିଥିଲା। ପୁଲଓ୍ବାମାରେ ୪୦ ଜଣ ଯବାନ ଶହୀଦ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଶୋକ କାହିଁକି ଘୋଷଣା କରିନାହାଁନ୍ତି? କ’ଣ ସେ ନିଜ ଦ୍ବାରା କରାଯାଇଥିବା ପ୍ରକଳ୍ପର ଉଦଘାଟନକୁ ରୋକିବାକୁ ଚାହାଁନ୍ତି ନାହିଁ ବୋଲି କଡା ଶବ୍ଦରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର।