ପିଏମ୍ଜି ଛକରେ ଯୁବତୀଙ୍କ ହାଇଡ୍ରାମା: ରାସ୍ତାରେ ବସିଲେ, ପୁରୁଷ ବନ୍ଧୁଙ୍କୁ ବକିଲେ କଲେ ଚିତ୍କାର… ପିସିଆର୍ ଆସି ଉଠାଇନେଲା

ଭୁବନେଶ୍ୱର,୨୮/୦୧: ଲୋୟର ପିଏମ୍ଜିରେ ଜଣେ ଯୁବତୀ ହାଇଡ୍ରାମା କରିଛନ୍ତି । ପୁରୁଷ ବନ୍ଧୁଙ୍କୁ ଗାଳି କରିବା ସହିତ ଜଣେ କାର୍ ଚାଳକଙ୍କୁ ଠେଲାପେଲା କରିଛନ୍ତି । ସକାଳ ବେଳା ଯେଉଁ ରାସ୍ତାରେ ସାଧାରଣତନ୍ତ୍ର ଦିବସ ପରେଡ୍ ଚାଲୁଥିଲା, ସନ୍ଧ୍ୟାରେ ସେଠି ସମ୍ପୃକ୍ତ ଯୁବତୀଙ୍କ ଏମିତି ହଙ୍ଗାମା ଦେଖିବାକୁ ମିଳିଥିଲା । ଯାହାକି, ସେଠାରେ ଚର୍ଚ୍ଚାର ବିଷୟ ପାଲଟି ଥିଲା ।
ସୂଚନା ମୁତାବକ, ମଙ୍ଗଳବାର ଦିନ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ହେବ । ମାଷ୍ଟରକ୍ୟାଣ୍ଟିନ ଆଡୁ ଏକ କାର୍ ଲୋୟର ପିଏମ୍ଜି ଆଡେ ପଶିଲା । କଂଗ୍ରେସ ଭବନ ଅତିକ୍ରମ କରିବା ପରେ ଧାରଣାସ୍ଥଳ ପାଖପାଖି ହଠାତ୍ କାର୍ ଚାଳକ ଜଣକ ବ୍ରେକ୍ ମାରିଲେ । କାର୍ ଅଟକିବା କ୍ଷଣି ଜଣେ ସୁନ୍ଦରୀ ଯୁବତୀ କାର୍ରୁ ଓହ୍ଲାଇ ଥିଲେ । କ’ଣ ଭାବିଲେ କେଜାଣି, ସେ ରାସ୍ତା ମଝିକୁ ମାଡି ଯାଇ ରାସ୍ତା ଉପରେ ଚକା ପକାଇ ବସିଲେ । କାର୍ରୁ ଅନ୍ୟ ଜଣେ ଯୁବକ ବାହାରି ତାଙ୍କୁ ଗାଡ଼ି ଭିତରକୁ ଯିବାକୁ ଡାକିଥିଲେ । ଏହାପରଠୁ ଯୁବତୀଙ୍କ ହଙ୍ଗାମା ଆରମ୍ଭ ହେଲା । ଯୁବତୀ ଜଣକ ଡେଇଁବା ଆରମ୍ଭ କରିଥିଲେ । ଯୁବକଙ୍କ ପାଖକୁ ଆସି ଗାଳିଗୁଲଜ କରିଥିଲେ । କାର୍ ଚାଳକ ଜଣକ ତାଙ୍କୁ ଅଟକାଇବାରୁ ଯୁବତୀଙ୍କ ଉତ୍ପାତର ଶିକାର ହୋଇଥିଲେ । କାର୍ ଚାଳକଙ୍କୁ ଚଢ଼ା ଗଳାରେ କହିଥିଲେ, ତୁ ଜଣେ ଡ୍ରାଇଭର । ଚୁପ୍ ବସ୍ । ତତେ ମୁରବି ଦେଖାଇବାକୁ କିଏ କହିଲା? ଯୁବତୀଙ୍କ ଏମିତି ଆକ୍ଟିଂ ଦେଖି ଆଖପାଖର ଲୋକମାନେ ସେଠାରେ ଘେରି ଦୃଶ୍ୟର ମଜ୍ଜା ଉଠାଇ ଥିଲେ ।
ଧାରଣାସ୍ଥଳରେ ଥିବା ପୁଲିସ କ୍ୟାମ୍ପରୁ ୨ଜଣ ମହିଳା କର୍ମଚାରୀ ଆସି ଯୁବତୀଙ୍କୁ କାବୁ କରିଥିଲେ । ପରେ କ୍ୟାପିଟାଲ ଥାନାରୁ ପିସିଆର୍ ଭ୍ୟାନ୍ ଆସି ଯୁବତୀଙ୍କୁ ନେଇ ଥାନାକୁ ଯାଇଥିଲା । ସେଠାରେ ଯୁବତୀଙ୍କ ହାଇଡ୍ରାମାର ରହସ୍ୟ ଉନ୍ମୋଚିତ ହୋଇଥିଲା । ଯୁବତୀଙ୍କ ଘର ହେଉଛି ଭୁବନେଶ୍ୱର ସାମ୍ପୁରରେ । ସେ ପୁରୁଷ ବନ୍ଧୁଙ୍କ ସହ ଖାରବେଳନଗର ଅଞ୍ଚଳରେ ଥିବା ଏକ ବାର୍କୁ ଯାଇଥିଲେ । ସେଠାରେ ମଦ୍ୟପାନ କରି ମତୁଆଲା ହେବା ପରେ ଲୋୟର ପିଏମ୍ଜିରେ ଏମିତି ହଙ୍ଗାମା କରିଥିଲେ । ପୁଲିସ୍ ଯୁବତୀଙ୍କୁ ଚିକିତ୍ସା କରିଇବା ପରେ ଫାଇନ୍ କାଟି ଘରକୁ ଛାଡିଛି ।