ସାଇବର ଠକେଇ: ସତର୍କ ସୂଚନା ଦେଇ ଦାୟିତ୍ୱ ସାରୁଛି ପୁଲିସ୍, କେୱାଇସି ଅପଡେଟ୍ ମେସେଜ୍କୁ ଅଣଦେଖା କରିବାକୁ ପରାମର୍ଶ

କଟକ, ୨୪/ ୦୨: ସାଇବର ଠକେଇରୁ ବର୍ତ୍ତିବା ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମୋବାଇଲ୍କୁ ଯଦି କେତେବେଳେ କେୱାଇସି ଅପଡେଟ୍ ସଂକ୍ରାନ୍ତୀୟ ମେସେଜ୍ ଆସୁଛି ତାକୁ ଅଣଦେଖା କରନ୍ତୁ । ସେହିପରି ଫୋନ୍ କଲ୍ରେ କେୱାଇସି ଅପଡେଟ୍ ସଂକ୍ରାନ୍ତୀୟ କେହି ପରାମର୍ଶ ଦେଉଥିଲେ ମଧ୍ୟ ତାହାକୁ ଗ୍ରହଣ କରନ୍ତୁ ନାହିଁ ବୋଲି ପୁଲିସ୍ ପକ୍ଷରୁ ପରାମର୍ଶ ଜାରି କରାଯାଇଛି । ସାଇବର ଠକେଇ ନିୟନ୍ତ୍ରଣ ଲାଗି ରାଜ୍ୟ ପୁଲିସ୍ ଏବଂ କ୍ରାଇମବ୍ରାଞ୍ଚ ଏପରି ସତର୍କ ସୂଚନା ବିଭିନ୍ନ ସମୟରେ ଜାରି କରି ନିଜର ଦାୟିତ୍ୱ ସାରି ବସି ଯାଉଥିଲେ ହେଁ ବାସ୍ତବରେ ଉକ୍ତ ଅପରାଧକୁ କିପରି ରୋକାଯାଇପାରିବ ସେ ଦିଗରେ ପୁଲିସ୍ ପକ୍ଷରୁ ସେପରି କୌଣସି ଆଖିଦୃଶିଆ ପଦକ୍ଷେପ ଦେଖିବାକୁ ମିଳୁନଥିବା ଅଭିଯୋଗ ହେଉଛି ।
ସୂଚନାଯୋଗ୍ୟ, ସାଇବର ଠକମାନେ ବିଭିନ୍ନ ଉପାୟରେ ଲୋକଙ୍କୁ ଠକି ନୟାନ୍ତ କଲେଣି । ସାଇବର ଠକେଇକୁ ନେଇ ଏବେ ଥାନାଠୁ ଆରମ୍ଭ କରି ସାଇବର ଥାନାଗୁଡ଼ିକରେ ମାଳମାଳ ଅଭିଯୋଗ ଗଦା ହେଉଛି । କେୱାଇସି ଅପଡେଟ୍ ନାଁରେ ସାଇବର ଠକମାନେ ଲୋକଙ୍କ ଆକାଉଣ୍ଟ୍କୁ ସଫା କରିଦେଉଛନ୍ତି । ଗାଁଠୁ ସହର ଯାଏ ରାଜ୍ୟରେ ସାଇବର ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି । ସାଇବର ଠକମାନେ ମୋବାଇଲ୍ ସିମ୍ ନମ୍ବର ଆକ୍ଟିଭେସନ୍, କେୱାଇସି ଅପଡେଟ୍ କରିବା ଆଦି ବାହାନା ଦେଖାଇ ବିଭିନ୍ନ ସମୟରେ ଲୋକଙ୍କ ମୋବାଇଲ୍ ଫୋନ୍କୁ ମେସେଜ୍ ଲିଙ୍କ୍ ପଠାଉଛନ୍ତି । ଆଉ କେତେକ ସ୍ଥଳେ ସାଇବର ଠକମାନେ ସିଧାସଳଖ ଫୋନ୍ କରି କେୱାଇସି ଅପଡେଟ୍ ନାଁରେ ଏଟିଏମ୍ ନମ୍ବର ସହ ଓଟିପି ନମ୍ବର ନେଇ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଠକି ନେଉଛନ୍ତି । ପ୍ରତିଦିନ ଏପରି ବହୁ ଅଭିଯୋଗ ଥାନା ଓ ସାଇବର ଥାନା ଗୁଡ଼ିକରେ ହେଉଛି । ହେଲେ ଫଳ ଶୂନ । କ୍ରାଇମବ୍ରାଞ୍ଚ ଏବଂ ପୁଲିସ୍ ପକ୍ଷରୁ ବିଭିନ୍ନ ସମୟରେ ଏସଂକ୍ରାନ୍ତରେ ସତର୍କ ସୂଚନା ଜାରି କରାଯାଉଥିଲେ ମଧ୍ୟ ତାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ । ସୋସିଆଲ୍ ମିଡିଆରେ ସତର୍କ ସୂଚନା ଏବଂ ଉପଦେଶାବଳୀ ଜାରି କରି ପୁଲିସ୍ ନିଜର ଦାୟିତ୍ୱ ସାରି ବସିଯାଉଛି ।
ଠକମାନଙ୍କୁ ଖୋଜି ବାହାର କରିବାରେ ରାଜ୍ୟ ପୁଲିସ୍ର ସେପରି କୌଣସି ଠୋସ୍ ପଦକ୍ଷେପ ନାହିଁ । ପୁଲିସ୍ର ଏପରି ନିଷ୍କ୍ରିୟତାର ସୁଯୋଗ ନେଇ ସାଇବର ଅପରାଧୀମାନେ ଓଡ଼ିଶାକୁ ଟାର୍ଗେଟ୍ କରିଛନ୍ତି । ରାଜ୍ୟ ବାହାର ସାଇବର ଅପରାଧୀମାନେ ବିଭିନ୍ନ ସେବା ପ୍ରଦାନକାରୀ ସଂସ୍ଥା ବାହାନାରେ ଫୋନ୍ କରି ଲୋକମାନଙ୍କଠୁ ବିଭିନ୍ନ ଉପାୟରେ ଠକେଇ କରିଚାଲିଛନ୍ତି । ଅଭିଯୁକ୍ତ ଠକମାନେ ଏପରି ରୀତିମତ ଠକି ଚାଲିଥିଲେ ମଧ୍ୟ ସମ୍ପୃକ୍ତ ଅପରାଧୀମାନଙ୍କୁ ଓଡ଼ିଶା ପୁଲିସ୍ ଖୋଜି ବାହାର କରିବାରେ ଅସମର୍ଥ ହୋଇପଡିଛି । ସାଇବର ଅପରାଧ ନିୟନ୍ତ୍ରଣ କରିବା କ୍ଷେତ୍ରରେ ପୁଲିସ୍ ନିଜର ଆନ୍ତରିକତା ଦେଖାଇବା ବଦଳରେ ସାଇବର ଠକେଇ ଜନିତ ଅଭିଯୋଗକୁ ପୁଲିସ୍ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି । ଲୋକଙ୍କ ଅଭିଯୋଗକୁ ଗ୍ରହଣ କରି ଠକଙ୍କୁ ଠାବ କରିବା ଏବଂ କିପରି ଠକେଇ ହୋଇଥିବା ଟଙ୍କା ଫେରସ୍ତ ମିଳିବ ସେ ଦିଗରେ ପୁଲିସ୍ ଗୁରୁତ୍ୱ ଦେବା ପରିବର୍ତ୍ତେ ଠକେଇ ଶିକାର ହୋଇ ଥାନାକୁ ଯାଇଥିବା ଅଭିଯୋଗକାରୀଙ୍କ ଉପରେ ପୁଲିସ୍ ବିରକ୍ତ ହୋଇ ଏତଲା ନରଖି ଫେରାଉଥିବାର ବିଭିନ୍ନ ସମୟରେ ଶୁଣିବାକୁ ମିଳୁଛି ।