ଥାନାରେ ପଶି ପୁଲିସ ମୁଣ୍ଡ ଫଟାଇଲେ

ଭୁବନେଶ୍ୱର,୩ ।୩(ବ୍ୟୁରୋ): କମିଶନରେଟ୍‌ ପୁଲିସରେ ଅଜବ ଘଟଣା ଦେଖିବାକୁ ମିଳିଛି । ଥାନା ଭିତରେ ପଶି ଆଇଆଇସିଙ୍କୁ ପିଟିବା ସହ ଜଣେ ଏଏସ୍‌ଆଇଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି ଦୁର୍ବୃତ୍ତ । ଖାଲି ଏତିକିରେ କଥା ସରିନି । ଥାନା ଭିତରେ ଥିବା ଚେୟାର ଟେବୁଲ ଓ ଟିଭି ଭଂଗାରୁଜା କରିବା ସହ ଅନ୍ୟ କର୍ମଚାରୀଙ୍କୁ ବି ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି । ଏହି ଘଟଣା ଘଟିଛି ରାଜ୍ୟର ବେଷ୍ଟ ପୁଲିସ ଏରିଆ କହୁଥିବା ସହିଦନଗର ଥାନାରେ ।
ଆତଙ୍କ ଖେଳାଇଥିବା ବ୍ୟକ୍ତିମାନେ ହେଉଛନ୍ତି ଏକ ସରକାରୀ ଶିକ୍ଷାନୁଷ୍ଠାନର କିଛି ଛାତ୍ର, କୁଜି ନେତା ଓ ପଥରବନ୍ଧ ବସ୍ତିର କିଛି ଯୁବକ । ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନାହିଁ । ଏବେ ପୁଲିସ ସାହାଯ୍ୟ ଖୋଜୁଛି ପୁଲିସର ।
ଥାନାରୁ ମିଳିଥିବା ସୂଚନା ମୁତାବକ, ଭିଏସଏସ ନଗର ଡିଏଲ କଲୋନୀରେ ଗାଡ଼ି ସାଇଡ ମରାକୁ କେନ୍ଦ୍ର କରି ୩ ଯୁବକଙ୍କ ସହ କିଛି ଛାତ୍ର ଓ ପଥରବନ୍ଧ ବସ୍ତିର କିଛି ପିଲାଙ୍କର ପାଟିତୁଣ୍ଡ ହୋଇଥିଲା । ଛାତ୍ରମାନେ ପିସିଆରକୁ ଫୋନ କରିଥିଲେ । ପିସିଆର ସଂଗେ ସଂଗେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ୩ ଜଣଙ୍କୁ ଥାନାକୁ ଆଣୁଥିଲା । ପୁଲିସ ପଛେ ପଛେ ଛାତ୍ର ଓ ପଥରବନ୍ଧ ବସ୍ତିର ଯୁବକମାନେ ଥାନାରେ ପହଞ୍ଚିଥିଲେ । ଆଉ କିଛି ଛାତ୍ରଙ୍କୁ ମଧ୍ୟ ସେମାନେ ଫୋନ କରି ଡାକି ଦେଇଥିଲେ । ପିସିଆର ଭ୍ୟାନ ଥାନାରେ ପହଞ୍ଚିବା ପୂର୍ବରୁ ଥାନା ସମ୍ମୁଖରେ ପହଞ୍ଚି ଯାଇଥିଲେ, ଛାତ୍ର, ଅଣଛାତ୍ର ଓ କିଛି ଗୁଣ୍ଡାଶ୍ରେଣୀୟ ବ୍ୟକ୍ତି । ଏହି ସମୟରେ ସେମାନେ କହିଥିଲେ, ଜେଲ ଯିବା ପୂର୍ବରୁ ଆମେ ଅଭିଯୁକ୍ତକୁ ଉଚିତ ଶିକ୍ଷା ଦେବୁ । ଏହି ସମୟରେ ପିସିଆର ଧରି ଆଣିଥିବା ୩ ଯୁବକଙ୍କୁ ଥାନା ଭିତରେ ଦୁର୍ବୃତ୍ତମାନେ ନିର୍ଘାତ ମାଡ଼ ମାରିଥିଲେ । ୩ ଯୁବକଙ୍କର ମୁଣ୍ଡ ଫାଟିବା ସହ ଗୋଡ଼ ଭାଂଗିଥିଲା । ପିଠିରେ ବି ନୋଳା ଫାଟିଲା ।
କାର୍ଯ୍ୟରତ ଥିବା ଏଏସ୍‌ଆଇ ଡିସିଓ ଅଭୟ ରାଉତ(୪୯) ପ୍ରଥମେ ଏହାକୁ ବିରୋଧ କରିଥିଲେ । ସେତେବେଳକୁ ୩ ଯୁବକ ଥାନା ଭିତରେ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିଲେ । ସଂଗେ ସଂଗେ ଆଉ କିଛି ଯୁବକ ଆସି ଥାନାରେ ପହଞ୍ଚିଥିଲେ । ବାସ୍‌ ମାମଲା ଏଥର ଉଗ୍ର ରୂପ ନେଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକମାନେ ଥାନାର ଏଏସ୍‌ଆଇଙ୍କୁ ଥାନା ଭିତରେ ଧକ୍କା ମାରିଥିଲେ । ପୋଷାକରେ ଥିବା ଏଏସ୍‌ଆଇ ଏହାକୁ ବିରୋଧ କରିଥିଲେ ।
ତା’ପରେ ଆରମ୍ଭ ହୋଇଗଲା ଯୁବକଙ୍କ ଆତଙ୍କରାଜ୍‌ । ପାଟି ଶୁଣି ବାହାରି ଆସିଲେ ଆଇଆଇସି । ଆଇଆଇସିଙ୍କୁ ଦୁର୍ବୃତ୍ତମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ମାଡ଼ ମାରିଥିଲେ । ଏହା ଦେଖି ଥାନାର ଅନ୍ୟ କର୍ମଚାରୀମାନେ ପ୍ରତିବାଦ କରିଥିଲେ । ପ୍ରତିବାଦ ଦେଖି ସଂଘବଦ୍ଧ ହୋଇ ପ୍ରାୟ ୨୦ ଜଣ ଯୁବକ ଥାନାରେ ଥିବା ଚେୟାର, ଟେବୁଲ ଓ ଟିଭି ଭାଂଗିବା ସହ ଏଏସ୍‌ଆଇଙ୍କ ମୁଣ୍ଡ ଫଟାଇ ଦେଲେ ।
ଏତିକିରେ ସେମାନଙ୍କ ରାଗ ଥଣ୍ଡା ହୋଇନଥିଲା । ଥାନାରେ ଯାହାକୁ ପାଇଲେ ଗୋଡ଼ାଇ ପିଟିଲେ । ପୁଲିସ କ’ଣ କରିବ କିଛି ଜାଣି ପାରିଲା ନାହିଁ । ଏଭଳି ଆତଙ୍କରାଜ୍‌ ଦେଖି ପୁଲିସ ଭୟରେ ଥରିଥିଲା । ସ୍ଥିତି ଖରାପ ହେବା ଦେଖି ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ । ଲହୁଲୁହାଣ ହୋଇଥିବା ୫ ପୁଲିସ ଅଧିକାରୀଓ ଆତ ୩ ଯୁବକଙ୍କୁ ସଂଗେ ସଂଗେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଅନ୍ୟପକ୍ଷରେ ଏଏସଆଇ ଶ୍ରୀ ରାଉତଙ୍କ ମୁଣ୍ଡରେ ୫ଟି ଷ୍ଟିଚ ପଡିଛି । ତାଙ୍କୁ ପରେ ପରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେଉଁଠି ପୁଲିସ ନିଜକୁ ସୁରକ୍ଷା ଦେଇପାରୁନାହିଁ, ସେଠି ସାଧାରଣ ଜନତା କେତେ ସୁରକ୍ଷିତ? ବଡ଼ କଥା ହେଲା ଆକ୍ରମଣକାରୀ ହେଉଛନ୍ତି ସହିଦନଗର ଥାନା ପୁଲିସର ଅତି ଖାସ୍‌ । ସେମାନଙ୍କୁ ସବୁ ବେଳେ ଆଇଆଇସି ଓ ଏସିପି ପାଖରେ ବସାଇ ଖଟି କରନ୍ତି ତ’ ଆଉ କେତେବେଳେ ଥାନା ପଛରେ ମଦର ଆସର ଜମାନ୍ତି । ଏବେ ଦେଖିବାକୁ ବାକି ରହିଲା ଯେ ଆକ୍ରମଣକାରୀଙ୍କ ବିରୋଧରେ ପୁଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି ନା ମାମଲାକୁ ସବୁ ଘଟଣା ଭଳି ରଫାଦଫା କରୁଛି ।

   ସମ୍ବନ୍ଧିତ ଖବର


​ଅଡ଼ୁଆରେ ସରକାରୀ ଅଫିସ୍‌ କର୍ମଚାରୀ – କାଲି ରାଜ୍ୟ ସରକାର କହିଲେ ଏମିତି, ଆଜି ଉଚ୍ଚ ଶିକ୍ଷା ବିଭାଗ କହୁଛନ୍ତି ଏମିତି–କାହାକୁ ମାନିବେ ?

ପାରିତ ହେଲା ସଂକ୍ରାମକ ରୋଗ ବିଲ୍‌, କରୋନା ନିୟମ ଉଲ୍ଲଂଘନ କଲେ ଲକ୍ଷେ ଜରିମାନା, ଦୁଇ ବର୍ଷ ଜେଲ୍‌

ମାସ୍କ ବ୍ୟବହାର କଲେ ସଂକ୍ରମଣ ସମ୍ଭାବନା କମ୍‌: ଡା. ମନୋଜ ସାହୁ

ବାଉଁଶ ଚାଷର ବିକାଶ ପାଇଁ କେନ୍ଦ୍ରୀୟ ସହାୟତାରେ ତିନି ବର୍ଷରେ ଓଡ଼ିଶାକୁ ମିଳିଛି ୬.୭୭ କୋଟି: ଧର୍ମେନ୍ଦ୍ର

ସରିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା, ଖାଲି ପଡ଼ିବ ୪୦ ହଜାରରୁ ଅଧିକ ସିଟ୍‌…

ନନ୍ଦନକାନନରେ ଦିନକୁ ୨,୫୫୦ ପର୍ଯ୍ୟଟକଙ୍କୁ ଟିକେଟ୍‌, ବୟସ୍କ ଓ ଶିଶୁ ନଯିବାକୁ ପରାମର୍ଶ…