ପୁଲିସ୍ ଗାଡି ଡିକିରୁ ୫ ଲକ୍ଷ ଚୋରି ମାମଲା: ୨ ଗିରଫ, ଟଙ୍କା ଓ ବାଇକ୍‌ ଜବତ

ପୁରୀ ୪/୯ : ହାବିଲଦାର୍‌ଙ୍କ ଡିକି ଭାଙ୍ଗି ୫ ଲକ୍ଷ ଟଙ୍କା ଚୋରି ମାମଲାରେ ମାତ୍ର ୧୫ ଦିନ ଭିତରେ ପୁଲିସକୁ ମିଳିଲା ସଫଳତା । କୁମ୍ଭାରପଡା ଥାନା ପୁଲିସ ଏହି ମାମଲାରେ ଦୁଇ ଜଣ ଲୁଟେରାଙ୍କୁ ଧରିଛି । ଅଭିଯୁକ୍ତ ଦୁହେଁ ହେଲେ ଗଞ୍ଜାମ ଜିଲ୍ଲା ଆସ୍କାର କୈଳାସ ଦାସ (୨୧) ଓ ଜି.ଶ୍ରୀନୁ (୩୦) । ସେମାନଙ୍କଠାରୁ ୨ ଲକ୍ଷ ଟଙ୍କା ଓ ଏକ ବାଇକ ଜବତ କରାଯାଇଛି । ସାଧାରଣ ଜନତାଙ୍କ ସହାୟତାରେ ପୁଲିସ ଏହି ମାମଲାର ପର୍ଦ୍ଦାଫାଶ୍‌ କରିଛି ।

ଗତ ଅଗଷ୍ଟ ୨୨ ତାରିଖ । ହାବିଲଦାର୍‌ କାଳୀଚରଣ ମହାରଣା ତାଙ୍କ ଜିପିଏଫ୍‌ ଟଙ୍କା ଉଠାଇଥିଲେ । ସୁବାସ ବୋଷ ଛକ ସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ୍‌ରୁ ୫ ଲକ୍ଷ ଟଙ୍କା ଉଠାଇ ପରେ ସେ ନିଜ ବାଇକ ଡିକିରେ ରଖିଥିଲେ । ପରେ ସେ ରିଜର୍ଭ ଆଡକୁ ଆସୁଥିଲେ । ଏହାକୁ ନଜର୍‌ ରଖିଥିଲେ ୨ ଲୁଟେରା । କାଳୁଙ୍କୁ ଏହି ଲୁଟେରା ପିଛା କରୁଥିଲେ ମଧ୍ୟ ସେ ଜାଣି ପାରି ନଥିଲେ । ବାରାକ୍‌ ନିକଟ ପୋଷ୍ଟ ଅଫିସ୍‌ ଠାରେ କାଳୁ ବାଇକ ରଖିଥିଲେ । କିଛି କାମରେ ପୋଷ୍ଟ ଅଫିସ୍‌ ଭିତରକୁ ସେ ଯାଇଥିଲେ । ବାସ୍‌ ଏହି ସୁବର୍ଣ୍ଣ ସୁଯୋଗର ଫାଇଦା ନେଲେ ଲୁଟେରା । ଡିକି ଭାଙ୍ଗି ୫ ଲକ୍ଷ ଟଙ୍କା ଚୋରି କରି ନେଇ ପଳାଇଥିଲେ ।

ହେଲେ ସେ ଚୋରି କୌଶଳ ଏଭଳି ଥିଲା ଯେ, ଭିଆଇପି ରୋଡ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ବି କେହି ଏ ସମ୍ପର୍କରେ ଜାଣି ପାରି ନଥିଲେ । କିଛି ସମୟ ପରେ ଫେରିବାବେଳେ ଡିକି ଭାଙ୍ଗି ଟଙ୍କା ଚୋରି ହୋଇଥିବା ଦେଖିଥିଲେ କାଳୀଚରଣ । ଏନେଇ ସେ କୁମ୍ଭାରପଡା ଥାନାରେ ଏତଲା ଦେଇଥିଲେ । ପୁଲିସ ମାମଲା (୧୮୩/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଥାନାରେ ନୂଆକରି ଯୋଗଦେଇଥିବା ଆଇଆଇସି କୁଳମଣି ସେଠୀ ଆରମ୍ଭ କରିଥିଲେ ଏହାର ଛାନ୍‌ଭିନ୍‌ । ସାଧାରଣ ଲୋକଙ୍କ ସହ ପୁଲିସର ସମ୍ପର୍କ ସ୍ଥାପନ କରିଥିଲା । କିଛି ଦିନ ତଳେ ଜଣେ ବ୍ୟକ୍ତି ପୁଲିସକୁ ଫୋନ୍‌ କରି ଲୁଟେରାଙ୍କ ସମ୍ପର୍କରେ ଖବର ଦେଇଥିଲେ । ଦୁଇ ଲୁଟେରା ବଡଦାଣ୍ଡ ସ୍ଥିତ ଏକ ଲଜ୍‌ରେ ରହୁଥିଲେ । ଆଉ ଏକ ଲୁଟ କରିବା ପାଇଁ ଯୋଜନା ପ୍ରସ୍ତୁତ ସରିଥିବାବେଳେ ପୂର୍ବରୁ ଖବର ପାଇଯାଇଥିଲା ପୁଲିସ । ଏହାପରେ ପୁଲିସ ସୋମବାର ଚଢଉ କରିଥିଲା । ଦୁଇ ଲୁଟେରାଙ୍କୁ ଲଜ୍‌ ଭିତରୁ କାବୁ କରିବାରେ ସକ୍ଷମ ହୋଇଥିବା ପୁଲିସ କହିଛି । ତାଙ୍କ ଠାରୁ ୨ ଲକ୍ଷ ଟଙ୍କା ସହ ବାଇକ (ଓଡି-୩୨ଏ-୮୯୪୫) ଜବତ ହୋଇଛି । ମଙ୍ଗଳବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି । ସେମାନେ ବିଭିନ୍ନ ଜିଲ୍ଲାରେ ଏକାଧିକ ଲୁଟପାଟ କରିଥିବା ସହ ଏହାର ତଦନ୍ତ ଚାଲିଛି ବୋଲି ପୁଲିସ କହିଛି ।

କିନ୍ତୁ ପୁଲିସର କାର୍ଯ୍ୟକଳାପକୁ ନାପସନ୍ଦ କରିଛନ୍ତି ସହରର କିଛି ବୁଦ୍ଧିଜୀବୀ । ପୁଲିସ ନିଜ କର୍ତ୍ତବ୍ୟରେ ହେଳା କରୁଥିବା ଅଭିଯୋଗ ହୋଇଛି । କାରଣ ପୂର୍ବରୁ ଏକାଧିକ ଲୁଟ ଓ ଚୋରି ମାମଲାରେ ମାସ ମାସ ଧରି ସମୟ ଗଡୁଥିଲେ ମଧ୍ୟ ପୁଲିସ ଲୁଟେରାଙ୍କ ପତ୍ତା ପାଉ ନାହିଁ । କିନ୍ତୁ ଏହି ମାମଲାରେ ୧୫ ଦିନ ପୂରି ନଥିବାବେଳେ ଲୁଟେରାଙ୍କୁ କାବୁ କରି ୨ ଲକ୍ଷ ଟଙ୍କା ଜବତ କରିବାରେ ସକ୍ଷମ ହୋଇପାରିଛି । ଏଠାରେ ସିସିଟିଭି ଫୁଟେଜ୍‌ ନାହିଁ କିମ୍ବା ଦେଖଣାହାରୀ ବି ନାହାନ୍ତି । ତଥାପି ପୁଲିସ ଦୁଇ ଜଣଙ୍କୁ ଗିରଫ କରି ମାମଲାର ପର୍ଦ୍ଦାଫାଶ୍‌ କରିପାରିଲା । ହେଲେ ଏହି ଥାନା ଅଧୀନ ଡାକ୍ତରଖାନା ଛକ ସ୍ଥିତ କାନାଡା ବ୍ୟାଙ୍କ୍‌ ଭିତରୁ ଜୁଲାଇ ମାସ ୨୪ ତାରିଖରେ ଲୁଟ ହୋଇଥିଲା ।

ବାଲିଗୁଆଳି ସ୍ଥିତ ଫାର୍ମାସି କଲେଜ ଆକାଉଣ୍ଟାଣ୍ଟ ହେମନ୍ତ କୁମାର ମହାରଣାଙ୍କ ଠାରୁ ୩ ଲକ୍ଷ ୪୪ ହଜାର ୭ ଶହ ଟଙ୍କା ଲୁଟି ନେଇଥିଲେ । ସେହିଭଳି ଗତ ଫେବ୍ରୁଆରୀ ୨୨ ତାରିଖରେ ଚାରିନଳାର ଦିବ୍ୟାଙ୍ଗ ସୁକାନ୍ତି ପୃଷ୍ଟି ସେହି ବ୍ୟାଙ୍କ୍‌ରୁ ୧ ଲକ୍ଷ ଟଙ୍କା ନେଇ ଘରକୁ ଫେରୁଥିଲେ । ଚାଳ୍ରରିନଳା ଠାରେ ଲୁଟେରା ତାଙ୍କ ଠାରୁ ବି ଲକ୍ଷେ ଟଙ୍କା ଲୁଟି ନେଇଥିଲେ । ଏହାର ସିସିଟିଭି ଫୁଟେଜ୍‌ ଥାଇ ବି ପୁଲିସ ସେମାନଙ୍କୁ ଧରୁ ନାହିଁ । ତେଣୁ ପୁଲିସ ଠାରୁ ଚୋରି ହେଲା ବୋଲି ପୁଲିସ ତତ୍ପର ହେଲା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

   ସମ୍ବନ୍ଧିତ ଖବର


ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଗିରଫ

ସୁନା ବନ୍ଧକ ନାଁରେ ଠକେଇ: ୨ ସୁନା ଦୋକାନୀ ଓ ଜଣେ ଠକ ଗିରଫ

ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଏଥର ସିଲଭର୍ ସିଟିରେ ଅଲୋଡା ପଡ଼ିବ ଚେଚିସ୍ ‌! ଟ୍ରଲି, ଡାଲା ଅଟୋରେ ମା’ଙ୍କୁ ଦିଆଯିବ ମେଲାଣି

ବିବାହିତାଙ୍କୁ ପ୍ରେମ କରି ଠକି ଚମ୍ପଟ୍ ମାରିଥିଲେ ଲମ୍ପଟ ପ୍ରେମିକ, ଧରାପଡି ଜେଲ୍‌ ଗଲା ଯୁବକ

ସୋମବାର ମହାପ୍ରଭୁଙ୍କ ସୁନାବେଶ