ଆଖି ବୁଜିଲା ସନ୍ଧାନୀ କୁକୁର ଗ୍ରେସିଇ, ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଦିଆଗଲା ଶ୍ରଦ୍ଧାଞ୍ଜଳୀ

କୋରାପୁଟ ୨୩/୧୧: ଅପରାଧିଙ୍କୁ ଧରିବାରେ ଧୁରନ୍ଧର ଥିବା ସନ୍ଧାନୀ କୁକୁର ଗ୍ରେସିଇ ମାତ୍ର ୯ ବର୍ଷ ବୟସରେ ମୃତ୍ୟୁବରଣ କରିଛି । ଗ୍ରେସିଇର ମୃତ୍ୟୁ ପୋଲିସ ବିଭାଗ ପାଇଁ ବଡ କ୍ଷତି ହୋଇଛି । ଗ୍ରେସିଇ ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ ଆଦି ଜିଲ୍ଲାରେ ପୋଲିସ ବିଭାଗରେ ନିଯୁକ୍ତି ପାଇ ହତ୍ୟା ଚୋରି ଆଦି ମାମଲାରେ ଅପରାଧିକୁ ଧରିବାରେ ପୋଲିସକୁ ସଫଳତା ଦେଇଥିଲା । ଗ୍ରେସିଇର ବିୟୋଗରେ ଆଜି କୋରାପୁଟ ଜିଲ୍ଲୀ ପୋଲିସ ମୁଖ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ।

କୁକୁର ଗ୍ରେସିଇ ୨୦୧୧ ମସିହା ନଭେମ୍ବର ୧୫ ତାରିଖରେ ଜନ୍ମ ହୋଇଥିଲା । ମଧ୍ୟ ପ୍ରଦେଶ ଟେକନପୁର ଜାତୀୟ ତାଲିମକେନ୍ଦ୍ରରେ ତାଲିମ ନେଇଥିଲା ଗ୍ରେସିଇ ।  ଆଜି ସକାଳ ୬ଟା ୨୦ ମିନିଟରେ ଗ୍ରେସିଇ ଦେହାନ୍ତ ପରେ ଜିଲ୍ଲା ପୋଲିସ ବିଭାଗରେ ଦୁଃଖର ଛାୟା ଖେଳିଯାଇଥିଲା । ପୂର୍ବାହ୍ନରେ ଜିଲ୍ଲା ପୋଲିସ ମୁଖ୍ୟାଳୟ ପରିସରରେ ଗ୍ରେସିଇକୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହି ଅବସରରେ ଅତିରିକ୍ତ ଏସପି ଉତ୍କଳ ରଞ୍ଜନ ଦାସ, ଅତିରିକ୍ତ ଏସପି ଏ.କେ. ଷଡଙ୍ଗୀ, ଜୟପୁର ଏସଡିପିଓ, ପୋଲିସ ଆରଆଇ ସୁବାସ ଚନ୍ଦ୍ର ନାୟକଙ୍କ ସହିତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।