କାର୍‌ ପାର୍କିଂକୁ ନେଇ ଶିଖ୍‌ ଯୁବକଙ୍କୁ ପୁଲିସ ସାମ୍ନାରେ ମାଡ: ୨ ଗିରଫ, ପିସିଆର ଇନ୍‌ଚାର୍ଜ ନିଲମ୍ବିତ

ଭୁବନେଶ୍ୱର ୧୫/୧: ଲକ୍ଷ୍ମୀସାଗର ଅଞ୍ଚଳରେ କିଛି ଯୁବକ ପୁଲିସ ସାମ୍ନାରେ ଜଣେ ଶିଖ୍‌ ଯୁବକଙ୍କୁ ନିର୍ଧୁମ ପିଟିଛନ୍ତି । ତାଙ୍କୁ ରକ୍ଷା କରିବାକୁ ଯାଇ ପିସିଆର କର୍ମଚାରୀ ମଧ୍ୟ ମାଡ଼ ଖାଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ପରବିନ୍ଦର ପାଲ୍‌ ସିଂହ । ଏନେଇ ସେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ତଦନ୍ତ କରି ଲକ୍ଷ୍ମୀସାଗର ଇବି ଷ୍ଟେଜ୍‌-୨ର ଶଙ୍କର ରାଉତ (୩୯) ଓ ଝାଡ଼ପଡ଼ା ଅଞ୍ଚଳର ଦୀପକ ମହାନ୍ତି (୩୪)ଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ମୁତାବକ, ପରବିନ୍ଦର ଉକ୍ତ ଅଞ୍ଚଳରେ ଥିବା ଭଗବାନ ଆପାର୍ଟମେଣ୍ଟରେ ଟ୍ରେଜରର ଅଛନ୍ତି । ଉକ୍ତ ଅଞ୍ଚଳର ଜଣେ ରାଜନେତା ପୁଅଙ୍କ ସହ ତାଙ୍କର ପୂର୍ବ ଶତ୍ରୁତା ଥିଲା । ଆଜି ଅପରାହ୍ଣ ପ୍ରାୟ ସାଢ଼େ ୧ଟା ବେଳେ ସମ୍ପୃକ୍ତ ରାଜନେତାଙ୍କ ପୁଅ ୪-୫ ସହଯୋଗୀଙ୍କୁ ସାଙ୍ଗରେ ଧରି ଉକ୍ତ ଆପାର୍ଟମେଣ୍ଟ ସାମ୍ନାରେ କାର୍‌ ରଖି ଛିଡ଼ା ହୋଇଥିଲେ । ପରବିନ୍ଦର ତାଙ୍କ ଝିଅଙ୍କୁ ସ୍କୁଲରୁ ଆଣି ଆପାର୍ଟମେଣ୍ଟକୁ ଫେରୁଥିଲେ । ଆପାର୍ଟମେଣ୍ଟ ସାମ୍ନାରେ କାର ପାର୍କିଂ କରିବାକୁ ନେଇ ପରବିନ୍ଦରଙ୍କ ସହ ସେମାନଙ୍କ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନେ ଆକ୍ରମଣ ଉଦ୍ୟମ କରିବାରୁ ପରବିନ୍ଦର ଝିଅକୁ ନେଇ ଆପାର୍ଟମେଣ୍ଟ ଭିତରକୁ ପଳାଇଥିଲେ । ଅଭିଯୁକ୍ତମାନେ ଆପାର୍ଟମେଣ୍ଟ ବାହାରେ ଛିଡ଼ା ହୋଇ ହୋ-ହଲ୍ଲା କରିଥିଲେ । ପରବିନ୍ଦରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରବିନ୍ଦର ଡରିଯାଇ ଜରୁରିକାଳୀନ ନମ୍ବର-୧୦୦କୁ କଲ୍‌ କରିଥିଲେ ।

୧୫-୨୦ ମିନିଟ୍‌ ପରେ ଆପାର୍ଟମେଣ୍ଟ ସାମ୍ନାରେ ଏକ ପିସିଆର ଭ୍ୟାନ୍‌ ପହଞ୍ଚି ଥିଲା । ପରବିନ୍ଦରଙ୍କୁ ତଳକୁ ଓହ୍ଲାଇ ଆସିବା ପାଇଁ ୨ ପିସିଆର କର୍ମଚାରୀ କହିଥିଲେ । ହେଲେ ଆକ୍ରମଣକାରୀଙ୍କ ଭୟରେ ପରବିନ୍ଦର ମନା କରିଥିଲେ । ବାରମ୍ବାର ଡାକିବା ପରେ ପରବିନ୍ଦର ଓହ୍ଲାଇ ପିସିଆର ଭ୍ୟାନ୍‌ ସାମ୍ନାକୁ ଯାଇଥିଲେ । କିଛି ଦୂରରେ ଥିବା ଅଭିଯୁକ୍ତମାନେ ସଙ୍ଗେ ସଙ୍ଗେ ସେଠାକୁ ଯାଇ ପରବିନ୍ଦରଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଟେକାପଥର ମାରିଥିଲେ । ତାଙ୍କ ପଗଡ଼ିକୁ ଖୋଲି ଦେଇଥିଲେ । ଜଣେ କନଷ୍ଟେବଳ ଛଡ଼ାଇବାକୁ ଯାଇ ଆକ୍ରମଣକାରୀଙ୍କ ଠାରୁ ମାଡ଼ ବି ଖାଇଥିଲେ । ସେପଟେ ଲକ୍ଷ୍ମୀସାଗର ଥାନା ପୁଲିସ ଉପରେ ଆକ୍ରମଣକୁ ନେଇ ଏକ ମାମଲା ରୁଜୁ କରିଛି । ଆପାର୍ଟମେଣ୍ଟର ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ୩ ଆକ୍ରମଣକାରୀଙ୍କୁ ଚିହ୍ନଟ କରିଛି । ଫେରାର୍‌ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି । ତେବେ ପୁଲିସ୍‌ ଉପସ୍ଥିତିରେ ଆକ୍ରମଣ ହୋଇଥିବାରୁ ଏହାରୁ ଚାରିଆଡ଼େ ବିରୋଧ କରାଯାଉଛି । ଶିଖ୍‌ ସମ୍ପ୍ରଦାୟ ଏହାକୁ ନିନ୍ଦା କରି ରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଛି । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପିସିଆର ଇନ୍‌ଚାର୍ଜ ତଥା ଅବସରପ୍ରାପ୍ତ ସବ୍‌ଇନ୍ସପେକ୍ଟରଙ୍କୁ କମିଶନରେଟ୍‌ ପୁଲିସ ପକ୍ଷରୁ ନିଲମ୍ବନ କରାଯାଇଛି ।

   ସମ୍ବନ୍ଧିତ ଖବର


ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ

ଆଜି ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ନର୍ସ ନିହାରିକା ହତ୍ୟାକାଣ୍ଡ ମାମଲା: ୧୩୦ ପୃଷ୍ଠା ସମ୍ବଳିତ ଚୂଡ଼ାନ୍ତ ଚାର୍ଜସିଟ୍‌ ଦାଖଲ

ପନିକିରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ବାମୀ