ପୁଲିସ-ଜୁଆଡି ଅଡିଓ ଭାଇରାଲ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି

କେନ୍ଦୁଝର,୦୪/୧୨: ହରିଚନ୍ଦନପୁର ଥାନା ଅଞ୍ଚଳରେ ଜୁଆଖେଳ ହେଉଥିବା ଏବଂ ପୁଲିସ ଜୁଆଡିଙ୍କ ନିବିଡ ସମ୍ପର୍କର ବାର୍ତ୍ତାଳାପ ଅଡିଓ ଭାଇରାଲ ଘଟଣାରେ ଗୁରୁବାର ଏସ୍‌ପି ମିତ୍ରଭାନୁ ମହାପାତ୍ର ସମ୍ପୃକ୍ତ ଥାନାର ଅଧିକାରୀଙ୍କୁ କଡା ଭର୍ସନା କରିଛନ୍ତି । ନମୋସେନା ପକ୍ଷରୁ ଏଥିନେଇ ଅଭିଯୋଗ ହେବା ପରେ ଏସ୍‌ପି ଘଟଣାକୁ ବେଶ୍‌ ଗମ୍ଭୀରତାର ସହିତ ନେଇ ଏହାର ତଦନ୍ତ କରିବାକୁ ପୁଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଚର୍ଚ୍ଚାର ବିଷୟ ହୋଇଛି । ଉକ୍ତ ଭାଇରାଲ ଅଡିଓରେ ପୁଲିସ କର୍ମଚାରୀ ଜଡିତ ରହିଥିଲେ ଖୁବଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ପ୍ରକାଶଥାଉକି, ଗ୍ରାମାଞ୍ଚଳରେ ହାଟ, ବଜାର ଗୁଡିକରେ ଜୁଆଖେଳ ନିୟମିତ ଚାଲୁଛି । ପୁଲିସ ଠାରୁ ଅନୁମତି ନେଇ ଏଭଳି ବେଆଇନ କାର୍ଯ୍ୟ ଚାଲୁଥିବା ନମୋସେନା ପକ୍ଷରୁ ଅଭିଯୋଗ ହୋଇଛି। ଜୁଆଖେଳ କରିବା ପାଇଁ ଖୋଦ ପୁଲିସ ଏହାର କର୍ମକର୍ତ୍ତାଙ୍କୁ ଫୋନ୍‌ କରି ମାସିକିଆ ବଟି ଦେଇ ଜୁଆଖେଳ କରିବାକୁ ପରାମର୍ଶ ଦିଆଯାଉଥିବା ଅଡିଓ ରେକର୍ଡ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି । ଏଥିନେଇ ନମୋସେନା ପକ୍ଷରୁ ଏହାର ପ୍ରମାଣ ସହିତ ଏସ୍‌ପିଙ୍କୁ ପ୍ରଦାନ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା । ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ସାପ୍ତାହିକ ହାଟରେ ଗୋଟିଏ ଗୋଷ୍ଠୀ ଜୁଆଖେଳ କରିବା ପାଇଁ ପୁଲିସ ଠାରୁ ଅନୁମତି ପାଇଥିବା ବେଳେ ଅପରଗୋଷ୍ଠୀ ଜୁଆଖେଳ କରିବାକୁ କଥାବର୍ତ୍ତା କରିଥିଲେ । ତେବେ ହରିଚନ୍ଦନପୁର ଥାନାର ଜଣେ କର୍ମଚାରୀ ଜୁଆଖେଳ କରୁଥିବା ବ୍ୟକ୍ତିଙ୍କୁ ଫୋନ୍‌ କରି ଥାନାଧିକାରୀ ଠାରୁ ଅନୁମତି ନେଇ ଜୁଆଖେଳ କରିବାକୁ ପରାମର୍ଶ ଦେଉଥିବା ଅଡିଓ ଭାଇରାଲ ହୋଇଥିଲା । ଗୁରୁବାର ସମ୍ପୃକ୍ତ ଥାନାର ଅଧିକାରୀଙ୍କୁ ଡାକି ଏସ୍‌ପି ଭୀଷଣ ବିରକ୍ତି ହୋଇଥିବା ସୂଚନା ମିଳିଛି ।