ପୁଲିସ କବ୍‌ଜାରେ ଗିଲ୍‌ଟି କାଳୁ

ପୁରୀ : ପୁଲିସ କବ୍‌ଜାରେ ଦୁର୍ଦ୍ଦାନ୍ତ ଅପରାଧୀ ଗିଲ୍‌ଟି କାଳୁ । କୁମ୍ଭାରପଡ଼ା ଥାନା ଅଧୀନ ଦରଜୀପୋଖରୀ ଛକର ସୁବାସଚନ୍ଦ୍ର ମହାନ୍ତି (୩୨) ଓରଫ ଗିଲ୍‌ଟି କାଳୁ କିଛିଦିନ ତଳେ ଜାମିନ୍‌ ପାଇ ଜେଲ୍‌ରୁ ମୁକୁଳିଥିବାବେଳେ ତାକୁ ପୁଣି ଟେକି ନେଇଛି ପୁଲିସ । କୁମ୍ଭାରପଡା ଥାନା ପୁଲିସ ତାକୁ ଡାକ୍ତରଖାନା ଛକରୁ ଉଠାଇ ନେଇଥିବାବେଳେ ଅଜ୍ଞାତ ସ୍ଥାନରେ ତାକୁ ରଖି କିଛି ଅପରାଧ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ପୁଲିସ ।

ମିଳିଥିବା ଖବର ଅନୁଯାୟୀ, ସେ ନିକଟ ଅତୀତରେ ମାଳିଯାଗା ମନ୍ଦିର ନିକଟରେ ଜଣେ ଭୋଗ ଦୋକାନୀଙ୍କୁ ଆକ୍ରମଣ କରି ଜେଲ୍‌ ଯାଇଥିଲା । ଜାମିନରେ ଆସିବା ପରେ ଡାକ୍ତରଖାନା ଛକ ରକ୍ତଭଣ୍ଡାର ନିକଟରେ ଏକ ଚା’ ଦୋକାନ କରି ବ୍ୟବସାୟ ଅରମ୍ଭ କରିଥିଲା । ୫ ଦିନ ତଳେ ସେ ଦୋକାନର ଥିବାବେଳେ ପୁଲିସ ତାକୁ ଉଠାଇ ନେଇଛି । ତେବେ ସେ ଆଉ କେଉଁ ମାମଲାରେ ଜଡିତ ଅଛି କି ନାହିଁ ସେଥିନେଇ କିଛି ଖବର ମିଳିନାହିଁ ।

ହେଲେ ପୁଲିସ ବିଭିନ୍ନ ମାମଲାର ତଦନ୍ତ କରୁଥିବାବେଳେ ଗିଲ୍‌ଟିର ସମ୍ପୃକ୍ତି ଅଛି କି ନାହିଁ ତାହାର ଛାନ୍‌ଭିନ୍‌ କରାଯାଉଥିବା ସହ ତା’ ମାଧ୍ୟମରେ ଅନେକ ଅପରାଧିକ ତଥ୍ୟ ହାସଲ୍‌ କରିବାକୁ ପୁଲିସ ଯୋଜନା କରିଥିବା ସୂଚନା ମିଳିଛି ।