ପୁଲିସ କର୍ମଚାରୀଙ୍କ ନାଁରେ ସଙ୍ଗିନ ଅଭିଯୋଗ: ଭଉଣୀକୁ ଦୁଷ୍କର୍ମ କରିଥିବା ନେଇ ଭିଣୋଇ ହେଲେ ଥାନାରେ ଫେରାଦ୍…

ଜଗତସିଂହପୁର ୦୮/୦୪: ପୁଲିସ ଚାକିରି କରିଥିବା ଜଣେ ଯୁବକଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଉଦ୍ୟମ ଭଳି ସଙ୍ଗିନ ଅଭିଯୋଗ । ଏଭଳି ସାଂଘାତିକ ଅଭିଯୋଗ ଆଉ କେହି ନୁହେଁ ପୁଲିସ କର୍ମଚାରୀଙ୍କ ନିଜ ଭଉଣୀଙ୍କ ସ୍ୱାମୀ ଅର୍ଥାତ ଭିଣୋଇ ଆଣିଛନ୍ତି । ଜଗତସିଂହପୁର ଥାନାରେ ଏନେଇ ଭିଣୋଇଙ୍କ ପକ୍ଷରୁ ଏତଲା ହୋଇଛି । ପୁଲିସ ମଧ୍ୟ ମାମଲାର ଗମ୍ଭୀରତାକୁ ନେଇ ଛାନ୍ଭିନ୍ ଆରମ୍ଭ କରିଛନ୍ତି ଏବଂ ଏଥିରେ କେତେ ସତ୍ୟତା ରହିଛି ତାହାକୁ ପରଖିବାକୁ ଚେଷ୍ଟା ଚଳାଇଛନ୍ତି ।
ହୋଲି ପର୍ବ ଦିନ ଜଗତସିଂହପୁର ଥାନା ଅଧୀନ ଏକ ଗାଁରେ ବସବାସ କରୁଥିବା ସଂପୃକ୍ତ ଭିଣୋଇଙ୍କୁ ସଂଘବଦ୍ଧ ଭାବେ ଏହି ପୁଲିସ କର୍ମଚାରୀ(ଶାଳକ) ଓ ତାଙ୍କ ବାପା(ଶ୍ୱଶୁର) ଆକ୍ରମଣ କରିଥିଲେ । ଦିନ ୨ଟା ସୁଦ୍ଧା କିଛି କାରଣ ନଥାଇ ଏଭଳି ହଙ୍ଗାମା ଛିଡ଼ା କରିଥିଲେ ଉଭୟ ବାପ, ପୁଅ । ଅବଶ୍ୟ ଏଭଳି ଅତର୍କିତ ଆକ୍ରମଣ ପଛରେ ଏକ କାରଣ ରହିଥିବା ପୁଲିସ ପକ୍ଷରୁ ସୂଚୀତ ହୋଇଛି ।
କିଛି ବର୍ଷ ତଳେ ପୁଲିସ କର୍ମଚାରୀଙ୍କ ଭଉଣୀକୁ ବିବାହ କରିଥିଲେ ଏହି ଗାଁର ଜଣେ ଯୁବକ । ଯୁବକଙ୍କ ପ୍ରକୃତ ଘର ବାଲିକୁଦା ଅଞ୍ଚଳରେ ହୋଇଥିବା ବେଳେ ସେ ଜଗତସିଂହପୁର ଥାନା ଅଧୀନ ଏକ ଗାଁରେ ଥିବା ନିଜ ମାମୁଘରେ ରହି ଆସୁଥିଲେ । ଯୁବତୀଙ୍କ ଘର ମଧ୍ୟ ଏହି ଗାଁରେ । ଫଳରେ ଉଭୟଙ୍କ ଭିତରେ ସଂପର୍କ ସ୍ଥାପନ ହୋଇଥିଲା । କିନ୍ତୁ ଉଭୟ ଭିନ୍ନ ଜାତିର ଥିଲେ । ତେଣୁ ଝିଅ ଘର ପକ୍ଷରୁ ଏଭଳି ସଂପର୍କକୁ ବିରୋଧ କରାଯାଇଥିଲା । ତଥାପି ଏହି ପ୍ରେମୀ ଯୁଗଳ ପରସ୍ପରକୁ ବିବାହ କରି ନେଇଥିଲେ । ହେଲେ ଏବେ ଯାଏ ଏଭଳି ବିବାହକୁ ବିରୋଧ କରି ନିଜ ଝିଅର ମୁହଁ ଚାହୁଁ ନହାଁନ୍ତି ଜନ୍ମିତ ବାପା । ଏଣେ ପୁଣି ଏହି ଦମ୍ପତି ଏବଂ ପୁଲିସ କର୍ମଚାରୀ ଓ ତାଙ୍କ ବାପା ଗୋଟିଏ ଗାଁରେ ରହୁଛନ୍ତି । ସେଦୃଷ୍ଟିରୁ ତିକ୍ତତା ରହି ଆସିଛି । ହୋଲି ଦିନ ହଠାତ୍ ପୁଲିସ କର୍ମଚାରୀ ଓ ତାଙ୍କ ବାପା ନିଜ ଝିଅର ସ୍ୱାମୀଙ୍କୁ ମାଡ଼ ମାରିଥିଲେ । କାହିଁକି ଝିଅକୁ ବିବାହ କଲୁ କହି ଇଟା ଓ ଠେଙ୍ଗାରେ ପିଟିଥିଲେ । ନିର୍ଘାତ ମାଡ଼ରେ ଯୁବକ ତଥା ଝିଅର ସ୍ୱାମୀ ତଳେ ପଡ଼ି ଛଟପଟ ହୋଇଥିଲେ । ଏହି ସମୟରେ ପୁଲିସ କର୍ମଚାରୀ ଏକ ବନ୍ଧୁକରୁ ଗୁଳି ଫୁଟାଇ ଆତଙ୍କ ଖେଳାଇଥିଲେ । ତା’ସହ ସଂପୃକ୍ତ ପୁଲିସ କର୍ମଚାରୀ ତଥା ଶାଳକ ନିଜ ଆହତ ଭିଣୋଇଙ୍କ ବେକରେ ଥିବା ସୁନା ଚେନ୍କୁ ଝାମ୍ପି ନେଇଥିଲେ ।
ସ୍ୱାମୀଙ୍କୁ ଏଭଳି ବର୍ବର ଆକ୍ରମଣର ବିରୋଧ କରିଥିଲେ ପତ୍ନୀ । ହେଲେ ହିତାହତ ଜ୍ଞାନ ଭୁଲି ସଂପୃକ୍ତ ପୁଲିସ କର୍ମଚାରୀ ନିଜ ଭଉଣୀଙ୍କ ପୋଷାକ ଚିରି ୨୦ ଗ୍ରାମର ସୁନା ଚେନ୍ ଲୁଟି ନେବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ଭିଣୋଇ ତଥା ପୀଡ଼ିତାଙ୍କ ସ୍ୱାମୀ । ଉକ୍ତ ଗଣ୍ଡଗୋଳରେ ସଂପୃକ୍ତ ଭିଣୋଇଙ୍କ ଏକ ଦୁଇ ଚକିଆ ଗାଡ଼ିକୁ ଉଭୟ ବାପ, ପୁଅ ଠେଙ୍ଗାରେ ବାଡ଼େଇ ଭାଙ୍ଗି ଦେଇଛନ୍ତି । ଯଦି ଥାନାରେ ଏତଲା ଦିଆଯାଏ ତେବେ ଗୁଣ୍ଡା ଲଗାଇ ଜୀବନ ନେଇଯିବୁ ବୋଲି ଆହତ ଭିଣୋଇଙ୍କୁ ଧମକ ଦିଆଯାଇଥିବା ନେଇ ପୁଲିସର ଦୃଷ୍ଟି ଆକର୍ଷଣ କରାଯାଇଛି । ଅନେକ ସମୟରେ ପୁଲିସ ବନ୍ଧୁକ ଆଣି ଶାଳକ ଧମକ ଚମକ ଦେଇଥାନ୍ତି ବୋଲି ଭିଣୋଇ ଏତଲାରେ ଦର୍ଶାଇଛନ୍ତି ।
ପୁଲିସ କହିବା କଥା, ହୋଲି ଦିନ ଦୁଇ ପରିବାର ଭିତରେ ଗଣ୍ଡଗୋଳ ହୋଇଥିଲା । ପୁଲିସ ଗାଡ଼ି ମଧ୍ୟ ସେଠାକୁ ଯାଇଥିଲା । ପରେ ଉଭୟ ପକ୍ଷଙ୍କ ପକ୍ଷରୁ ଏତଲା ହୋଇଥିଲା । ଯେହେତୁ ଏହା ପାରିବାରିକ ଝାମେଲା ତେଣୁ ଆପୋସ ଆଲୋଚନା ଭିତରେ ତୁଟି ଯିବ ବୋଲି ଆଶା କରାଯାଉଥିଲା । ପରେ କିନ୍ତୁ ପତ୍ନୀଙ୍କୁ ବଳାତ୍କାର ଉଦ୍ୟମ କରାଯିବା ନେଇ ଭିଣୋଇ ନିଜ ଶାଳକଙ୍କ ବିରୋଧରେ ଥାନାରେ ଫେରାଦ୍ ହୋଇଥିଲେ । ଉକ୍ତ ଏତଲାରେ ଜ୍ୱାଇଁ ନିଜ ଶ୍ୱଶୁରଙ୍କୁ ମଧ୍ୟ ଆକ୍ରମଣ କରିବା ନେଇ ପୁଲିସ ମାମଲା ଭିତରକୁ ଭିଡ଼ିବାକୁ ଚେଷ୍ଟା କରିଛନ୍ତି ।