ଏରିଆ ଅଧିକ ଦାୟିତ୍ବ ବେଶି, କିନ୍ତୁ ତେଲ ସରିଯିବା ଭୟରେ କମିଛି ପିସିଆର୍ ପାଟ୍ରୋଲିଂ: ପୋଲିସ ଗାଡି ନଦେଖି ବଢ଼ିଛି ଅପରାଧୀଙ୍କ ସାହସ

ଭୁବନେଶ୍ୱର,୩୧/୧୦: ରାଜଧାନୀରେ ବିଗିଡ଼ି ଯାଇଛି ଆଇନଶୃଙ୍ଖଳା ପରିସ୍ଥିତି। ଦିନରାତି ଚୋର, ଲୁଟେରା ଓ ଡକାୟତ ଉତ୍ପାତ କରୁଛନ୍ତି । ପୁଲିସ୍‌ ଉପସ୍ଥିତିରେ ବି ଜନଗହଳିପୂର୍ଣ୍ଣ ସ୍ଥାନା ଗୋଟିଏ ପରେ ଗୋଟିଏ କାଣ୍ଡ ଘଟାଉଛନ୍ତି । ତେବେ ରାଜଧାନୀରେ ଅପରାଧ ବଢ଼ିବାର ମୁଖ୍ୟ କାରଣ ପାଟ୍ରୋଲିଂ ଅଭାବ ବୋଲି ଜଣାପଡ଼ିଛି। ଗାଡ଼ିରୁ ତେଲ ସରିଯିବା ଭୟରେ ପିସିଆର ଭ୍ୟାନ୍‌ ପାଟ୍ରୋଲିଂ ନ କରି ନିରୋଳା ସ୍ଥାନରେ ଅଟକି ରହୁଛି । ଏହାର ଫାଇଦା ନେଉଛନ୍ତି ଅପରାଧୀ।

ଭୁବନେଶ୍ୱର ୟୁପିଡିରେ ଅଛି ୩୫ଟି ପିସିଆର ଭ୍ୟାନ୍‌। ବିଟ୍‌ ପାଟ୍ରୋଲିଂ ପାଇଁ ୫୦ରୁ ଅଧିକ ବାଇକ୍‌ ମଧ୍ୟ ବିଭିନ୍ନ ଥାନାକୁ ଦିଆଯାଇଛି । ତା’ଛଡ଼ା ଥାନାରେ ୨ଟି ଲେଖାଏଁ ବୋଲେରୋ ରହିଛି। ପୁଲିସ୍‌ ରିଜର୍ଭ ବାରାକ ଇନ୍ସପେକ୍ଟରଙ୍କ ସୂଚନା ଅନୁସାରେ ପ୍ରତି ପିସିଆର ଭ୍ୟାନ୍‌ ଗଡ଼ିବା ଲାଗି ମାସକୁ ୩୦୦ରୁ ୩୫୦ ଲିଟର ତେଲ ଦିଆଯାଉଛି। ଥାନା ଗାଡ଼ି ପାଇଁ ମଧ୍ୟ ସମାନ ପରିମାଣର ତେଲ ମିଳୁଛି। ସହର ଭିତରେ ଥିବା ଥାନାକୁ ୨ଟି ଲେଖାଏଁ ଓ ଉପକଣ୍ଠ ଥାନାକୁ ଗୋଟିଏ ଲେଖାଏଁ ଭ୍ୟାନ୍‌ ମିଳିଛି । ହେଲେ ପିସିଆର ଭ୍ୟାନ୍‌ ପାଟ୍ରୋଲିଂ କରୁ ନଥିବା ଦେଖିବାକୁ ମିଳୁଛି । ପୁଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌ (୧୦୦)ରୁ ଫୋନ୍‌ ପାଇଲେ ଘଟଣାସ୍ଥଳକୁ ଯାଉଛନ୍ତି । ନ’ହେଲେ ସେମିତି ଘଣ୍ଟା ଘଣ୍ଟା ଠିଆ ହୋଇ ରହୁଛନ୍ତି । ଫଳରେ ଅପରାଧୀମାନେ ମାତୁଛନ୍ତି ।

ରିପୋର୍ଟ କହୁଛି ଭୁବନେଶ୍ୱରରେ ଗତ ୨ ମାସ ମଧ୍ୟରେ ୨୬୦ଟି ବାଇକ୍‌, ୩୩ଟି ସୁନା ଚେନ୍‌, ୨୦୦ରୁ ଅଧିକ ମୋବାଇଲ୍‌ ଫୋନ୍‌ ଝାମ୍ପି ନେଇଛନ୍ତି ଲୁଟେରା । ସ୍ଥିତି ଏମିତି ଯେ, ବାଇକ୍‌ ଚୋରି ଓ ମୋବାଇଲ୍‌ ଚୋରି ଏତଲା ରଖିବାକୁ ପୁଲିସ ମନା କରି ଦେଉଛନ୍ତି । କେବଳ ବାଇକ୍‌ର ନିୟମିତ ବୀମା ଥିଲେ ଏତଲା ରଖୁଛି। ସେହିଭଳି ରାତି ୧୦ଟା ପର୍ଯ୍ୟନ୍ତ ପୁଲିସ୍‌ ଓ ପିସିଆର ଭ୍ୟାନ୍‌କୁ ଦେଖିବାକୁ ମିଳେ। ସାଢ଼େ ୧୦ଟା ବେଳକୁ ସବୁ ଗାଡ଼ି ଗାଏବ । ଅନ୍ଧାରିଆ ନିରୋଳା ସ୍ଥାନ ଦେଖି ପିସିଆର ଭ୍ୟାନ୍‌ ଡେରା ପକାଇ ଥାଏ।

ଏ ବିଷୟରେ ବିଭିନ୍ନ ଥାନାରେ ଥିବା ପିସିଆର ଭ୍ୟାନ୍‌ କର୍ମଚାରୀମାନେ କୌତୁହଳପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ସେମାନେ କହିଛନ୍ତି, ୩୫ଟି ପିସିଆର ମଧ୍ୟରୁ ୨୦ଟି ସ୍ଥିତି ଅତ୍ୟନ୍ତ ଖରାପ। ଏକ ଲିଟର ତେଲରେ ୧୦ରୁ ୧୨ କିଲୋମିଟର ଯିବ। ଆପାତକାଳୀନ ସ୍ଥିତିରେ ଯଦି ଡ୍ରାଇଭର ଗାଡି ସ୍ପିଡ୍‌ ବଢ଼ାଉଛି, ତେବେ ଗାଡ଼ି ଘଁ…ଘଁ ହୋଇ ବନ୍ଦ ହୋଇଯାଉଛି। ପାଟ୍ରୋଲିଂ କରୁଥିବା କର୍ମଚାରୀମାନେ ୩ ସିଫ୍ଟ୍‌ରେ କାମ କରୁଛନ୍ତି =। ଗୋଟିଏ ସିଫ୍ଟରେ ଯଦି ୧୦ ଲିଟର ତେଲ ଖର୍ଚ୍ଚ ହୁଏ ତେବେ ୩ ସିଫ୍ଟ୍‌କୁ ଦୈନିକ ୩୦ ଲିଟର। ସେହି ହିସାବରେ ୧୦ ଦିନରେ ୩ ଶହ ଲିଟର ତେଲ ଖର୍ଚ୍ଚ ହେବ । ବାକି ୨୦ ଦିନ ପିସିଆର କେମିତି ଚାଲିବ? ଏ ସବୁ ହିସାବ କରି ବରିଷ୍ଠ ଅଧିକାରୀମାନେ ପାଟ୍ରୋଲିଂ ନ କରିବାକୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଆମେ ଅଟକି ରହୁଛୁ । ଫୋନ୍‌କଲ୍‌ ପାଇଲେ ଯାଉଛୁ । ଥାନାରେ ଥିବା ଗାଡ଼ି ଭିତରୁ ଗୋଟିଏ ଗାଡ଼ି ଆଇଆଇସିଙ୍କ ପାଇଁ। ଅନ୍ୟ ଗାଡ଼ିକୁ ଥାନା କର୍ମଚାରୀ ବ୍ୟବହାର କରୁଛନ୍ତି। ବିଟ୍‌ ପାଟ୍ରୋଲିଂ ଥିବା ବାଇକ୍‌ ମଧରୁ ଅନେକ ଖରାପ ହୋଇ ଥାନାରେ ପଡିଛି ବୋଲି ଜଣେ ଅଧିକାରୀ କହିଛନ୍ତି ।

ସେପଟେ କମିଶନରେଟ୍‌ ପୁଲିସ୍‌ ଟୁଇନ୍‌ ସିଟି ପାଇଁ ୨୦ଟି ନୂଆ ପିସିଆର ଭ୍ୟାନ୍‌ ଆଣିବ ବୋଲି ଯୋଜନା କରିଛି। ଉକ୍ତ ଗାଡ଼ି ଆସିଲେ ପାଟ୍ରୋଲିଂ ସହଜ ହେବ ବୋଲି ପୁଲିସ୍‌ ଆଶା ରଖିଛି। ତେବେ ନୂଆ ପିସିଆର ଆସିଲେ ପୁଲିସ୍‌ ପୁରୁଣାକୁ ମରାମତି ନ କରି ସେମିତି ଛାଡ଼ି ଦେଉଛି । ଫଳରେ ଗାଡ଼ି ପୁଲିସ୍‌ ବାରାକ୍‌ରେ ପଡ଼ି ପଡ଼ି ଖତ ଖାଉଛି । ପାଟ୍ରୋଲିଂ ବିଷୟରେ ପଚାରିଲେ ଏସିପିଙ୍କ ଠାରୁ ଡିସିପି ପର୍ଯ୍ୟନ୍ତ କେହି ମୁହଁ ଖୋଲୁନାହାନ୍ତି । ସବୁ ଠିକ୍‌ ଚାଲିଛି ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି । ଏନେଇ ଡିସିପି ୟୁ.ଏସ୍‌ ଦାସଙ୍କୁ ଯୋଗାଯୋଗ କରିବାକୁ ସେ କିଛି ଉତ୍ତର ଦେଇ ନଥିଲେ।