ପୁଲିସ ଟାର୍ଗେଟ୍‌ରେ ‘ଜହର ରାଣୀ’: ଜଳେଶ୍ୱରରୁ ଆଣି ପୁରୀକୁ ଯୋଗାଉଛି ବ୍ରାଉନ୍‌ ସୁଗର ! ଚେର ଉପାଡ଼ିବାକୁ ଚାଲିଛି ଛାନ୍‌ଭିନ୍‌

ପୁରୀ,୧୯/୧୦: ଜଳେଶ୍ୱରରୁ ଖୋର୍ଦ୍ଧା । ଖୋର୍ଦ୍ଧାରୁ ଶ୍ରୀକ୍ଷେତ୍ର ଆସୁଛି ଧଳା ଜହର । ଏହି କାରବାର ପଛରେ ଅଛନ୍ତି ମହିଳା ବେପାରୀ । ପୂର୍ବରୁ ଏକାଧିକ ମହିଳାଙ୍କୁ ପୁଲିସ ଗିରଫ କରିଛି । ହେଲେ ନିଶା ସାମ୍ରାଜ୍ୟରେ ବେଶ୍‌ ଦବ୍‌ଦବା ସୃଷ୍ଟି କରିଥିବା ଜିଲ୍ଲା ବାହାରର ଜଣେ ମହିଳାଙ୍କ ସନ୍ଧାନ ପାଇପାରୁନି ପୁଲିସ । ଖୋର୍ଦ୍ଧାର ମହିଳା ଜଣକ ନିଶା ସାମ୍ରାଜ୍ୟର ରାଣୀ ସାଜିଛନ୍ତି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବହୁ ବର୍ଷ ଧରି ବ୍ରାଉନ୍‌ସୁଗର୍‌ କାରବାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥିବା ଏହି ମହିଳାଙ୍କ ହାତ ବିଭିନ୍ନ ମହଲରେ ରହିଛି । ତେଣୁ ମହିଳା ଜଣକ ନିଶା ସାମ୍ରାଜ୍ୟରେ ଏତେଦିନ ଧରି ତିଷ୍ଠି ରହିଛନ୍ତି ବୋଲି ଖୁଚୁରା ନିଶା ବେପାରୀମାନେ କହିଛନ୍ତି । ବହୁସମୟରେ ପୁଲିସ ଖୁଚୁରା ବେପାରୀଙ୍କୁ ଗିରଫ କରି ଧର୍ମକୁ ଆଖିଠାର ମାରିବା ଭଳି ବ୍ରାଉନ୍‌ସୁଗର୍‌ ଜବତ କରୁଛି । ବଡ଼ବେପାରୀଙ୍କୁ ଧରୁନଥିବାରୁ ଏହି କାରବାର ଉପରେ ରୋକ୍‌ ଲଗାଯାଇ ପାରୁନାହିଁ ।

ସେପଟେ ସହରରୁ ଏହି କାରବାର ଗାଁକୁ ବ୍ୟାପିବାରେ ଲାଗିଛି । ସଦର ଓ ରାମଚଣ୍ଡୀ ଥାନା ଅଧୀନ ଛଇତନା ଓ ଏହାର ଆଖପାଖ ଅଞ୍ଚଳରେ ଏକାଧିକ ଖୁଚୁରା ବେପାରୀ ଏହି କାରବାର କରୁଛନ୍ତି । ଚୋରାମଦ ବିକ୍ରି କରୁଥିବା ବେପାରୀମାନଙ୍କୁ ନିଜ କବ୍‌ଜାରେ ରଖି ବଡ ବେପାରୀମାନେ ଗାଁରେ ବି ଧଳା ଜହରର ପ୍ରବେଶ କରାଇ ସାରିଛନ୍ତି । ଫଳରେ ଗାଁ ଭେଣ୍ଡିଆମାନେ ଏବେ ଏହି ନିଶା କବଳରେ ପଡି ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି ।

ବାସେଳୀ ସାହି ଥାନା ପୁଲିସ ଆରମ୍ଭ କରିଛି ‘ଅପରେସନ୍‌ ଧଳା ଜହର’ । ଗତ ୫ ତାରିଖରେ ଆଇଆଇସି ଜୀବନାନନ୍ଦ ଜେନା ଏହି ର‌୍ୟାକେଟ୍‌ର ୮ ଜଣଙ୍କୁ ଗିରଫ କରି ୨୭ ଲକ୍ଷ ଟଙ୍କାର ବ୍ରାଇନ୍‌ସୁଗର୍‌ ଜବତ କରିଥିଲେ । ଖୋର୍ଦ୍ଧାର ବାପପୁଅଙ୍କ ସମେତ ପୁରୀର ଏକାଧିକ ମହିଳା ଏହି କାରବାରରେ ସାମିଲ୍‌ ଥିବା ପୁଲିସ ପର୍ଦ୍ଦାଫାଶ୍‌ କରିଥିଲା । ହେଲେ ମାମଲାରେ ଆଉ ୭ ଜଣ ଫେରାର୍‌ ଥିଲେ । ଫେରାର୍‌ ବେପାରୀଙ୍କ ସମ୍ପର୍କରେ ପୁଲିସ ତଥ୍ୟ ସଂଗ୍ରହ କରୁଥିବାବେଳେ ସମ୍ପୃକ୍ତ ମହଳାଙ୍କ କାରନାମା ପଦାକୁ ଆସଛି । ଯଦି ମହିଳା ଗିରଫ ହୁଅନ୍ତି ତେବେ କୋଟି କୋଟି ଟଙ୍କାର ବ୍ରାଉନ୍‌ସୁଗର୍‌ ସନ୍ଧାନ ମିଳିବ ବୋଲି ଆଶା କରାଯାଉଛି ।

ଏନେଇ ଇନ୍ସପେକ୍ଟର୍‌ ଶ୍ରୀ ଜେନା କହିଛନ୍ତି ଯେ, ଟାର୍ଗେଟ କରାଯାଇଛି । ମିଶନ୍‌ ଆରମ୍ଭ ହୋଇ ଯାଇଛି । ଖୁବ୍‌ଶୀଘ୍ର ଏନେଇ ଜଣାଇ ଦିଆଯିବ ବୋଲି କହିଛନ୍ତି ।