ଗଞ୍ଜେଇ ଗାଡ଼ିକୁ ପିଛା କରୁଥିବା ସମୟରେ ପୋଲ ତଳକୁ ଖସିଲା ପୁଲିସ ଭ୍ୟାନ୍‌: ଆଇଆଇସି, ଡ୍ରାଇଭର ଗୁରୁତର

ଫୁଲବାଣୀ ୧୪/୦୧: ଗଞ୍ଜେଇ ବୋଝେଇ କାର୍‌କୁ ପିଛା କରୁଥିଲା ପୁଲିସ ଭ୍ୟାନ୍‌ । ରାଇକିଆ ଥାନା ଅଧୀନ ମଣ୍ଡାକିଆଠାରେ ପୋଲକୁ ଧକ୍କାଦେଇ ତଳକୁ ଖସିପଡ଼ିଛି ଭ୍ୟାନ । ଦୁର୍ଘଟଣାରେ ରାଇକିଆ ଥାନା ଆଇଆଇସି ଅଲେଖ ଗରଡ଼ିଆ ଓ ଡ୍ରାଇଭର ମିଥୁନ୍‌ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି । ରାଇକିଆ ପୁଲିସ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେମାନଙ୍କୁ ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର କରାଯାଇଛି ।

ସୋମବାର ଦିନ ୧୦ଟା ବେଳର ଘଟଣା । ବାଲିଗୁଡ଼ା ପଟୁ ଏକ ଇଣ୍ଡିଗୋ କାର୍‌ରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ରାଇକିଆ ଥାନାଧିକାରୀ ଅଲେଖ ଗରଡ଼ିଆ ନିଜ ଟିମ୍‌ର ୫ ସଦସ୍ୟଙ୍କୁ ନେଇ କାର୍‌କୁ ଧରିବାକୁ ଛକି ବସିଥିଲେ । ଗଞ୍ଜେଇ ଚାଲାଣ କରୁଥିବା କାର ଡ୍ରାଇଭର ପୁଲିସକୁ ଦେଖି ଗାଡ଼ିକୁ ଦ୍ରୁତଗତିରେ ନେଇଯାଇଥିଲା । ସଙ୍ଗେ ସଙ୍ଗେ ଥାନାଧିକାରୀ ଓ ତାଙ୍କ ଟିମ୍‌ ସହ ପୁଲିସ ଭ୍ୟାନ୍‌ରେ ଉକ୍ତ କାର୍‌କୁ ଗୋଡ଼ାଇଥିଲେ । ରାଇକିଆଠାରୁ ୪ କିମି ଦୂର ମଣ୍ଡାକିଆ ନିକଟରେ କାର୍‌କୁ ଓଭର୍‌ଟେକ୍‌ କରୁଥିବା ବେଳେ ପୁଲିସ ଭ୍ୟାନ୍‌ ଭାରସାମ୍ୟ ହରାଇ ଏକ ପୋଲ ତଳକୁ ଖସି ପଡ଼ିଥିଲା । ଅନ୍ୟପଟେ ମଣ୍ଡାକିଆଠାରୁ ପ୍ରାୟ ଏକ କିମି ଦୂରରେ ଗଞ୍ଜେଇ ଭର୍ତ୍ତି କାର୍‌ ଛାଡ଼ି ଡ୍ରାଇଭର ଓ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ଟିକାବାଲି ଥାନା ପୁଲିସ ଗଞ୍ଜେଇ ଭର୍ତ୍ତି କାର୍‌ଟିକୁ ଜବତ କରି ରାଇକିଆ ଥାନାକୁ ହସ୍ତାନ୍ତର କରିଛି । ରାଇକିଆ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

   ସମ୍ବନ୍ଧିତ ଖବର


ଭାଲୁ ଆକ୍ରମଣ – ବୃଦ୍ଧ ଗୁରୁତର

ପ୍ରେମ ପାଇଁ ଫୁଟିଲା ବୋମା !

ସଟଡାଉନରେ ଚାଲିଥିଲା କୁକୁଡ଼ା ଲଢେ଼ଇ ସାଙ୍ଗକୁ ଜୁଆଖେଳ,ଚଢ଼ଉ କଲା ପୋଲିସ: ୨୩ ବାଇକ୍,୫ ସାଇକେଲ ଜବତ

ଆସନ୍ତା ୩ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଦେବଗଡ: ଦୁର୍ଘଟଣାରେ କିନ୍ନରଙ୍କ ମୃତ୍ୟୁ

କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଯୋଗୁଁ ଗାଈଗୋରୁ ହଇରାଣ