ପୋଙ୍ଗଲ୍‌ ପାଇଁ ଉତ୍ସବମୁଖର ଦକ୍ଷିଣ ଭାରତ, ଚାରିଦିନ ଧରି ପାଳନ ହେବ ପର୍ବ

ବ୍ରହ୍ମପୁର ୧୪/୧ : ଦକ୍ଷିଣ ଭାରତର ବିଶେଷ ପର୍ବ ପୋଙ୍ଗଲ । ମକର ପର୍ବ ଆସିଲେ ଦକ୍ଷିଣ ଭାରତ ପାର୍ବଣ ମୁଖର ହୋଇ ଉଠେ । ଚାରି ଦିନ ପାଳନ ହୁଏ ପର୍ବ । ପ୍ରଥମ ଦିନ ଭୋଗୀ, ଦ୍ୱିତୀୟ ଦିନ ମକର ସଂକ୍ରାନ୍ତି ତଥା ପାଣ୍ଡୁଗା ଓ ତୃତୀୟ ଦିନରେ କାନୁମା ଏବଂ ଚତୁର୍ଥ ଦିନରେ ମୁକାନୁମା ପାଳନ ହୋଇଥାଏ । ତେଲୁଗୁ ଭାଷାଭାଷୀଙ୍କ ମଧ୍ୟରେ ପୋଙ୍ଗଲ ଉତ୍ସବ ପାଇଁ ସୃଷ୍ଟି ହୁଏ ଉତ୍ସାହ ଓ ଉନ୍ମାଦନା । ବ୍ରହ୍ମପୁରରେ ତେଲୁଗୁ ଭାଷାଭାଷୀ ସଂପ୍ରଦାୟ ମାନେ ପୋଙ୍ଗଲ ପର୍ବ ପାଳନ କରିବାକୁ ଉତ୍ସାହିତ ହୋଇ ରହିଛନ୍ତି । ସକାଳୁ ଆରମ୍ଭ ହୋଇଛି ପୋଙ୍ଗଲ ଉତ୍ସବ । ୨୦୦୮ ପରେ ପୁଣି ଚଳିତବର୍ଷ ତେଲୁଗୁ ଭାଷାଭାଷୀ ମାନେ ଏକାଠି ହୋଇ ଏହି ପର୍ବକୁ ପାଳନ କରିବେ । ସକାଳ ୭ଟା ୩୦ରେ ସତ୍ୟନାରାୟଣ ମନ୍ଦିରରୁ ପୂର୍ଣ୍ଣ କୁମ୍ଭ ସହିତ ପଟୁଆରରେ ବାହାରିବେ । ରାମଲିଙ୍ଗମ୍‌ ଟ୍ୟାଙ୍କ୍‌ ରୋଡ଼ ହୋଇ ପ୍ରକାଶମ୍‌ ହଲ୍‌ରେ ପହଞ୍ଚିବେ । ପୂର୍ଣ୍ଣ କୁମ୍ଭ ସ୍ଥାପନ କରି ସଂକ୍ରାନ୍ତି ଲକ୍ଷ୍ମୀଙ୍କୁ ସ୍ୱାଗତ କରିବେ । ଆନ୍ଧ୍ରା ମହିଳା ସମାଜମ୍‌କୁ ଯିବେ । ସେଠାରେ ଭୋଗି ନିଆଁ ଲଗାଯିବ । ଶ୍ରୀକୃଷ୍ଣ ମୂର୍ତ୍ତି ରଖି ଗୀତ ଗାଇ ଗାଇ ନାଚିବେ । ନୂଆ ଚାଉଳରେ ଖିରି ପ୍ରସ୍ତୁତ କରି ସଂକ୍ରାନ୍ତି ଲକ୍ଷ୍ମୀଙ୍କୁ ପୂଜା କରାଯିବ । ସେଠାରୁ ପୁଣି ପ୍ରକାଶମ୍‌ ହଲ୍‌ରେ ପହଞ୍ଚି ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତି ହୋଇଛି । କେବଳ ତେଲଗୁ ଭାଷାଭାଷୀ ନୁହେଁ ଓଡ଼ିଆ ମାନେ ଏହି ପର୍ବରେ ସାମିଲ ହୋଇ ମଜା ନେଇଥାନ୍ତି । ଚାରିଦିନ ଧରି ତେଲଗୁ ସଂପ୍ରଦାୟର ଏହି ଉତ୍ସବକୁ ବେଶ ଉପଭୋଗ କରିବେ ବ୍ରହ୍ମପୁରିଆ ।

ଆଜି ଭୋଗୀ ହେଉଥିବାବେଳେ ସୋମବାର ରାତିରୁ ଉତ୍ସବ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି । ତେଲୁଗୁ ସଂପ୍ରଦାୟର ଲୋକେ ନିଆଁ ଜାଳି ପାଳନ କରିଛନ୍ତି ଭୋଗୀ । ଗୀତ ନାଚ ସାଙ୍ଗକୁ ପିଠା ପଣାର ଆସର । ବଡ଼ବଜାର, ସାନବଜାର, ପ୍ରେମନଗର, ଖଲାସି ସାହି, ବଗୁଲା ସାହି, ପ୍ରଥମ ମିଲିଟାରୀ ସାହି, ବାଚୁଆରୀ ସାହି ପ୍ରମୁଖ ଅଞ୍ଚଳରେ ଦେଖିବାକୁ ମିଳିଛି ଭୋଗୀ । କାଠ ନିଆଁ ସହ ପୂଜା କରୁଥିବା କୁଆଁରୀ ଝିଅ ମାନେ ପୂର୍ବରୁ ରଖିଥିବା ଶୁଖିଲା ଗୋବର ପିଣ୍ଡୁଳା ମାଳ କରି ପକାଇଥାନ୍ତି । ବହୁ ପୁରାତନକାଳରୁ ତେଲୁଗୁ ସଂପ୍ରଦାୟରେ ଏହି ପରମ୍ପରା ରହିଛି । ଭୋଗୀ ପରଦିନ ମକର ସଂକ୍ରାନ୍ତି ତଥା ପାଣ୍ଡୁଗା । ମକର ସଂକ୍ରାନ୍ତିରେ ପୂଜା ପାଠ ହୋଇଥାଏ । ପିଠାପଣା ହୋଇଥାଏ । ମକର ଚାଉଳ ରନ୍ଧା ହୋଇଥାଏ । ଏହି ଦିନ ବେଶ ଖୁସି ମନାଇଥାନ୍ତି ମହିଳା ।

ନୂଆ ବସ୍ତ୍ର ପରିଧାନ କରିଥାନ୍ତି । ସାଙ୍ଗ ସାଥି ସହ ଖୁସି ମନାଇଥାନ୍ତି । ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ । ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ସବୁ ଜାତିର ଲୋକେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି ଏବଂ ପିଠାପଣା ମଧ୍ୟ ହୋଇଥାଏ । ତୃତୀୟ ଦିନରେ ଆସେ କାନୁମା । ଚାଷୀ ବିଲରୁ ଫସଲ ଅମଳକରି ଘରକୁ ଆଣେ । ଏହି ଦିନ କେହି ଆମିଷ ଖାଇନଥା’ନ୍ତି । ଶେଷଦିନ ମୁକାନ୍ନୁମା ପାଳନ କରାଯାଏ । ବର୍ଷ ସାରା ଗାଈ, ଗୋରୁ ପରିଶ୍ରମ କରି ଫସଲ କରିବାରେ ସାହାଯ୍ୟ କରନ୍ତି। ଏହି ଦିନ ଏହି ଗୃହପାଳିତ ପଶୁଙ୍କୁ ପୂଜା କରାଯାଇଥାଏ ।

   ସମ୍ବନ୍ଧିତ ଖବର


ଟ୍ରେନିଂ ଦେବା ବାହାନାରେ ନାବାଳିକାଙ୍କୁ ନେଇ କରୁଥିଲେ ଏମିତି କାମ…ଧରାପଡ଼ିଲେ ଆଶାକର୍ମୀ

ଦିବ୍ୟାଙ୍ଗ ଯୁବତୀ ୮ମାସର ଗର୍ଭବତୀ – ଦୁଷ୍କର୍ମ କରିଥିବା ବିବାହିତ ଯୁବକ ଫେରାର

ନିଖୋଜ ମହିଳା ୨ ବର୍ଷ ପରେ ମିଳିଲେ – ସମୁଦ୍ରରେ ଭାସୁଥିଲେ, ମାଛ ଧରାଳି କଲେ ଉଦ୍ଧାର

ସୁଇସାଇଡ୍ ଜ୍ୟାକେଟ୍ ତିଆରି କରିବାର ଭିଡିଓ ଡାଉନଲୋଡ୍ କରି ଛାତ୍ର ଗିରଫ, ମିଳିଲା ୫ ବର୍ଷର ଜେଲଦଣ୍ଡ

ଅକ୍ଟୋବର ୪ରେ ହେବ ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା

ଆସନ୍ତା କାଲିଠାରୁ ଲାଗୁହେବ ଅନଲକ୍-୫, ଜାଣନ୍ତୁ କ’ଣ ରହିଛି ସ୍କୁଲ ଖୋଲିବା ନେଇ ନିୟମ