ଆଳୁ ଅସମ୍ଭାଳ: କେଜି ୫୨ ଛୁଇଁଲା, ପଶ୍ଚିମବଙ୍ଗରେ ବି ଅଣାୟତ୍ତ

ଭୁବନେଶ୍ବର,୨୫/ ୧୧: ଆଳୁ ଦରରେ ନିଆଁ ଲାଗିଯାଇଛି। କିଛି ଦିନ ଖୁଚୁରା ବଜାରରେ କିଲୋ ପ୍ରତି ଦର ୪୫ ରହିବା ପରେ ଆଜି ୧୨ ଘଣ୍ଟା ଭିତରେ ଦର କିଲୋ ପ୍ରତି ୭ଟଙ୍କା ବଢ଼ି ୫୨ଟଙ୍କାରେ ପହଞ୍ଚିଛି । ଆଳୁର ଏହି ଅହେତୁକ ଦର ବୃଦ୍ଧି ସ୍ୱାଭାବିକ କି ବ୍ୟବସାୟୀଙ୍କ ଚାଲ୍‌ ତାହା ଖାଉଟିଙ୍କ ବୁଝିବା ବାହାରେ।

ପରିବା ଭିତରେ ଆଳୁ ସବୁଠାରୁ ଅତ୍ୟାବଶକୀୟ ହୋଇଥିବା ବେଳେ ପ୍ରାୟ ଦେଢ଼ ମାସ ହେବ ଆଳୁ ଦର କମିବାର ନାଁ ଧରୁନି । ଜୁଲାଇ ମାସରେ କିଲୋପ୍ରତି ୨୦ ଟଙ୍କା ଥିବା ଆଳୁ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ୪୦ ଟଙ୍କା ପର୍ଯ୍ୟନ୍ତ ଲାଗିଗଲା । ୪୦ଟଙ୍କା ଦର ମାସେ କାଳ ଲାଗି ରହିଲା । ଅକ୍ଟୋବରରେ ଦର ବଢ଼ି ୫୦ ଛୁଇଁଲା । ତେବେ ଚଳିତ ମାସ ଦ୍ୱିତୀୟ ସପ୍ତାହ ଆଡ଼କୁ ଦର ସାମାନ୍ୟ ଖସି କିଲୋ ୪୫ଟଙ୍କାରେ ସ୍ଥିର ରହିଥିଲା । ଲୋକେ ଆଶା ରଖିଥିଲେ ଆଗକୁ ଅମଳ ଋତୁ ଥିବାରୁ ଦର ନିଶ୍ଚିତ ଭାବେ କିଛି ଦିନ ଭିତରେ କମିଯିବ । ଆଜି ସକାଳେ ସୁନ୍ଦରପଦା ହାଟରେ ଆଳୁ ଦର ୪୫ଟଙ୍କା ଥିଲା । କିନ୍ତୁ ସନ୍ଧ୍ୟାରେ ଆଳୁ କେଜି ପ୍ରତି ୭ଟଙ୍କା ବଢ଼ିଗଲା । ଲୋକେ ଖୁଚୁରା ବଜାରରେ ଆଳୁ ଦର ୫୨ ଟଙ୍କା ପହଞ୍ଚିବା ଦେଖି ତାଜୁବ ହୋଇଗଲେ । ଆସନ୍ତାକାଲି ଦର କେଉଁଠି ପହଞ୍ଚିବ ତାହା କହି ହେଉନାହିଁ ।

ଆଇଁଗିଣିଆ କୁବେରପୁରୀ ଆଳୁ ଗଦିରୁ ମିଳିଥିବା ସୂଚନା ମୁତାବକ ୫୦ କେଜି ଭର୍ତ୍ତି ଆଳୁ ବସ୍ତାର ହୋଲସେଲ ମୂଲ୍ୟ ୧୯୫୦ ଟଙ୍କା ଥିଲା । ତେବେ ୧୦ ବସ୍ତାରୁ ଅଧିକ ଆଣିଲେ ଏହି ଦର ବସ୍ତା ପ୍ରତି ୧୯୩୦ ଟଙ୍କା ଥିଲା । ଏହି ହିସାବରେ ଆଳୁର ହୋଲସେଲ ଦର କିଲୋ ପ୍ରତି ୩୯ ଟଙ୍କା ହେଉଛି । କିନ୍ତୁ ଖୁରୁରା ବଜାରରେ କେଜି ପ୍ରତି ୧୩ଟଙ୍କା ବ୍ୟବଧାନ ରହୁଛି । ଏ ସମ୍ପର୍କରେ ଖୁଚୁରା ବେପାରୀଙ୍କୁ ପଚାରିବାରେ ସେମାନେ କହୁଛନ୍ତି ୫୦ କେଜି ଥିବା ବସ୍ତାରେ ୫୦ କେଜି ରହୁନି । ୨-୩ କେଜି କମ୍‌ ରହୁଛି । ସେଥିରେ ସଢ଼ାପୋଚା, ଛୋଟ ସବୁ ମିଶି ରହୁଛି । ବସ୍ତାଏ ଆଳୁରୁ ଏ ସବୁ ଜିନିଷ କାଢ଼ି ଦେଇ ୫୦-୫୨ ଟଙ୍କାରେ ବିକିଲେ ବି ଲାଭ ସେମିତି ବେଶୀ ରହୁନାହିଁ ।

ଆଳୁର ଏହି ସଂକଟଜନକ ପରିସ୍ଥିତି ସମ୍ପର୍କରେ ଗଦି ମାଲିକଙ୍କ ମତ ଯେ, ୱେଷ୍ଟ ବେଙ୍ଗଲରୁ ଯେଉଁ ପରିମାଣରେ ଆଳୁ ଗାଡ଼ି ଆସିବା କଥା ତାହା ଆସୁନି । ଫଳରେ ଏଠାରେ ନିଅଣ୍ଟିଆ ପରିସ୍ଥିତି ଉପୁଜିଛି । ଆଉ କିଛି ଦିନ ପରେ ପରିସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି ସେମାନେ ଆଶା ରଖିଛନ୍ତି । ଅନ୍ୟପକ୍ଷରେ ଆଳୁ ଦର ନିୟନ୍ତ୍ରଣ କ୍ଷେତ୍ରରେ ସରକାରୀ ହସ୍ତକ୍ଷେପ ନଥିବାରୁ ବ୍ୟବସାୟୀମାନେ ମନଇଚ୍ଛା ଦର ନେଉଛନ୍ତି ବୋଲି ଖାଉଟି କହିଛନ୍ତି ।