ପୁଅ ଅନ୍ତର୍ଜାତୀୟ ଫୁଟବଲ୍‌ ଖେଳାଳି: ଅଭାବ, ରୋଗରେ ସଢୁଛନ୍ତି ବାପା,ମାଆ

ଭୁବନେଶ୍ୱର ୪/୯ : ବିଶ୍ୱ ଫୁଟବଲ୍‌ରେ ଅଧିକାଂଶ ଶ୍ରେଷ୍ଠ ଫୁଟବଲ୍‌ ଖେଳାଳିଙ୍କ ପ୍ରାରମ୍ଭିକ ଜୀବନ ଅଭାବ, ଅସୁବିଧାରୁ ଆରମ୍ଭ ହୋଇଛି । ବସ୍ତିରେ ଜନ୍ମ ହୋଇ ଦିନକୁ ଦି’ଓଳି ଖାଇବା ସେମାନଙ୍କ ପାଇଁ ଥାଏ ସ୍ୱପ୍ନ । ମାତ୍ର ପ୍ରତିଭା କେବେ ଲୁଚି ଚହେନି, ସ୍ୱ-ପ୍ରତିଭାରେ ସେମାନେ ଯେତେବେଳେ ଆଗକୁ ବଢ଼ନ୍ତି ସମସ୍ତେ ଚକିତ ହୋଇଯାଆନ୍ତି । ବାଃ-ବାଃ କହନ୍ତି । ଅର୍ଥ ଓ ସମ୍ମାନର ଅଭାବ ରହେନି । ଭୁବନେଶ୍ୱର ସାଲିଆ ସାହିର ସେମିତି ଜଣେ ପ୍ରତିଭା ହେଉଛନ୍ତି ରଞ୍ଜନ ସୋରେନ । କ୍ୟାପିଟାଲ୍‌ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର । ସେ ଏବେ ଭାରତୀୟ ୧୫ ବର୍ଷରୁ କମ୍‌ ଜାତୀୟ ବାଳକ ଫୁଟବଲ୍‌ ଦଳର ଜଣେ ନିୟମିତ ସଦସ୍ୟ ।

ନିକଟରେ ଭାରତ ୧୫ ବର୍ଷରୁ କମ୍‌ ସାଫ୍‌ ଚାମ୍ପିଅନସିପ୍‌ରେ ଚାମ୍ପିଅନ ହୋଇଛି । ଚାମ୍ପିଅନ ଦଳରେ ରଞ୍ଜନ ଥିଲେ ସଦସ୍ୟ । କେବଳ ସାଫ୍‌ ଚାମ୍ପିଅନସିପ୍‌ ନୁହଁ³ ଜର୍ମାନୀ, ଇଟାଲୀ, ଥାଇଲାଣ୍ଡ ଗସ୍ତରେ ଯାଇ ଖେଳିସାରିଲେଣି ଏକାଧିକ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ । ଆଗକୁ ତୁର୍କୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ସାଲିଆ ସାହିରେ ରଞ୍ଜନଙ୍କ ଘର । ବାପା ରାମଚନ୍ଦ୍ର ସୋରେନ ଓ ମାଆ ଫୁଲମଣି । ଅଭାବି ପରିବାର । ବାପା ରାଜମିସ୍ତ୍ରୀ ଏବଂ ମା’ ପର ଘରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ବହୁ କଷ୍ଟରେ ପରିବାର ଚଳେ । ପିଲାଙ୍କୁ ନଜର କରିବାରେ ସମୟ ମିଳେ ନାହିଁ । ପିଲାମାନେ ସାହି ପଡ଼ିଆରେ ଖେଳିବା ସହ ପାଠ ପଢ଼ିବାକୁ ସ୍କୁଲ ଯାଆନ୍ତି । ପିଲାଟି ଦିନରୁ ଫୁଟବଲ୍‌ ପ୍ରତି ରଞ୍ଜନଙ୍କ ଦୁର୍ବଳତା । ପଡ଼ିଆର ଧୂଳିବାଲିରେ ଖିଆ ପିଆ ଭୁଲି ଫୁଟବଲ୍‌ ପଛରେ ଦୌଡ଼ନ୍ତି ।

କୋଚ୍‌ ଜୟଦେବ ମହାପାତ୍ରଙ୍କ ନଜରରେ ଆସିବା ପରେ ରଞ୍ଜନଙ୍କ ପ୍ରତିଭାକୁ ସେ ଚିହ୍ନଟ କରିଥିଲେ । ପରେ ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ । କେବଳ ରଞ୍ଜନ ନୁହଁନ୍ତି ଭୁବନେଶ୍ୱର ବିଭିନ୍ନ ବସ୍ତିର ପିଲାଙ୍କୁ କୋଚ୍‌ ଜୟଦେବ ପ୍ରଶିକ୍ଷଣ ଦେଉଛନ୍ତି । ସେହି ପିଲାମାନଙ୍କୁ ବିଭିନ୍ନ ଜାତୀୟସ୍ତରର ଏକାଡେମୀ ପ୍ରଶିକ୍ଷଣ ଶିବିରରେ ସାମିଲ କରୁଛନ୍ତି । ଯେଉଁମାନେ ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି ସେମାନେ ଏକାଡେମୀରେ ସାମିଲ ହେଉଛନ୍ତି । ତାଙ୍କର ଏହି ଉଦ୍ୟମରେ ଭୁବନେଶ୍ୱରରୁ ଚନ୍ଦନ ନାୟକ, ରଞ୍ଜନ ଓ ତାଙ୍କ ଭାଇ ସୁନୀଲ ବାଇଚୁଙ୍ଗ ଭୁତିଆ ଓ ମିନର୍ଭା ଏକାଡେମୀର ଶିବିରରେ ସାମିଲ ହେବାର ସୁଯୋଗ ପାଇଛନ୍ତି । ସେମାନଙ୍କ ମଧ୍ୟରୁ ରଞ୍ଜନ ଏବେ ଜାତୀୟ ଦଳରେ ନିୟମିତ ଖେଳୁଛନ୍ତି ଏବଂ ଜାତୀୟ ଶିବିରରେ ରହୁଛନ୍ତି । ସେ ବାଇଚୁଙ୍ଗ ଭୁତିଆ ଏକାଡେମୀରେ (ଦିଲ୍ଲୀ) ସାମିଲ ହୋଇ ଜୁନିୟର ଆଇ-ଲିଗ୍‌ ଖେଳିଛନ୍ତି ।

ଅଭାବ ଓ ଅସୁବିଧା ମଧ୍ୟରେ ବାତ୍ୟା ଫୋନି ପୁଣି ରଞ୍ଜନଙ୍କ ପରିବାରରେ ବିରାଟ ସମସ୍ୟା ହୋଇ ଛିଡ଼ା ହେଲା । ଯେଉଁ ଘରେ ସେମାନେ ରହୁଥିଲେ ତାହା ସଂପୂର୍ଣ୍ଣ ଭାବେ ଭାଙ୍ଗିଗଲା । ଯେତିକି ରୋଜଗାର ସେତିକିରେ ପରିବାର ଚଳିବା ତ ମୁସ୍କିଲ । ତଥାପି ଧାର କରଜ କରି ରଞ୍ଜନଙ୍କ ବାପା ଘର ଖଣ୍ଡେ ତୋଳିଛନ୍ତି । ଯାହା ଏବେବି ଅସମ୍ପୂର୍ଣ୍ଣ ଓ ଅସଜଡ଼ା ହୋଇ ରହିଛି । କବାଟ ନାହିଁ କି ଝରକା ନାହିଁ । ଯେମିତି ହେଉ ମୁଣ୍ଡ ଗୁଞ୍ଜି ଚଳିଯିବା କଥା ।

କିଛି ମାସ ହେଲା ରଞ୍ଜନଙ୍କ ମାଆ ଫୁଲମଣିଙ୍କ ଦେହ ପ୍ରବଳ ଖରାପ । ସେ ଏମ୍ସରେ ଭର୍ତ୍ତି ହୋଇଥିଲେ । ରୋଗ ଦେଖାଇବାକୁ ଅର୍ଥ ବାଧକ ସାଜିଛି । ତେଣୁ ଅଧିକ ଦିନ ଡାକ୍ତରଖାନାରେ ରଖି ଚିକିତ୍ସା କରିବା ସମ୍ଭବ ହେଲା ନାହିଁ । ତେଣୁ ରାମଚନ୍ଦ୍ର ତାଙ୍କ ପତ୍ନୀଙ୍କୁ ନିଜ ପୈତୃକ ଗ୍ରାମକୁ ପଠାଇ ଦେଇଛନ୍ତି । ରୋଗ ଭଲ ହେଉ ନାହିଁ । ରଞ୍ଜନଙ୍କ କୋଚ୍‌ ଜୟଦେବଙ୍କ କହିବା ଅନୁସାରେ, ଫୁଲମଣି ରୋଗରେ ପୀଡ଼ିତ । ଅର୍ଥ ଏବଂ ଅନ୍ଧ ବିଶ୍ୱାସ ଉଭୟ ତାଙ୍କ ଚିକିତ୍ସାରେ ବାଧକ ସାଜିଛି । ଗାଁରେ ନେଇ ତାଙ୍କୁ ଝଡ଼ାଫୁଙ୍କା କରୁଛନ୍ତି ।’

ଏଭଳି ବହୁ ସମସ୍ୟାରେ ଜଡ଼ିତ ରଞ୍ଜନଙ୍କ ପରିବାର । ଆସନ୍ତା ୫ ତାରିଖରେ ସେ ଭାରତୀୟ ଦଳ ସହ ତୁର୍କୀ ଗସ୍ତ କରିବେ । ସାଫ୍‌ ଚାମ୍ପିଅନସିପ୍‌ରୁ ଫେରିବା ପରେ ଏବେ ଜାତୀୟ ଶିବିରରେ ରହିଛନ୍ତି । ୧୬ ବର୍ଷରୁ କମ୍‌ ଏଫ୍‌ସି କପ୍‌ ପ୍ରସ୍ତୁତି ପାଇଁ ଦଳ ଏହି ଗସ୍ତ କରିବ ।

ରଞ୍ଜନଙ୍କ ପରିବାରର ଅବସ୍ଥା ଯାହା ସରକାରୀ ସହାୟତା ଏକାନ୍ତ ଆବଶ୍ୟକ ହୋଇ ପଡ଼ିଛି । ତାଙ୍କ ପ୍ରତିଭାର ବିକାଶ ଦିଗରେ ପରିବାର ଲୋକଙ୍କ ମାନସିକ ସମର୍ଥନ ଏକାନ୍ତ ଆବଶ୍ୟକ । ବର୍ତ୍ତମାନ ସ୍ଥିତିରେ ରଞ୍ଜନଙ୍କୁ ପରିବାରରୁ ମାନସିକ ସମର୍ଥନ ମିଳିବା ଭାରି ମୁସ୍କିଲ । ଯାହା ତାଙ୍କ ଖେଳ ଉପରୁ ଏକାଗ୍ରତା ହ୍ରାପ କରାଇ ପାରେ । ଏକାଗ୍ରତା ହ୍ରାସ ହେଲେ ପ୍ରଦର୍ଶନ ଦୁର୍ବଳ ହୋଇଯିବ । ଏଭଳି ସମୟରେ ରଞ୍ଜନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ତାଙ୍କ ପରିବାରକୁ ରାଜ୍ୟ ସରକାର କିଛି ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି ।

   ସମ୍ବନ୍ଧିତ ଖବର


ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

ଆଜି କିଙ୍ଗ୍‌ସ ଏକାଦଶ ବ୍ୟାଟ୍ସମ୍ୟାନ୍‌ ଓ ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର

୩ ମିନିଟ୍‌ ମଧ୍ୟରେ ଦେଢଲକ୍ଷ ଟଙ୍କାର ସୁନା ଚେନ୍‌ ଚୋରି କରି ଚମ୍ପଟ ମାରିଲେ ମା’ ଓ ଝିଅ: ସିସିଟିଭିରେ ଧରାପଡିଲା ଚୋରଣୀଙ୍କ କାରନାମା

ପୁଣି ୧୫ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୨୯କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୯୫ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ଟପିଲା

IPL-2020: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ କଡ଼ା ଟକ୍କର