ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ପ୍ରକାଶ ରାଓଙ୍କର ପରଲୋକ

କଟକ- କଟକ ସହ ସାରା ରାଜ୍ୟରେ ବେଶ୍‌ ପରିଚିତ ଡି ପ୍ରକାଶ ରାଓ । ବକ୍ସି ବଜାର ଗୋପବନ୍ଧୁ ଭବନ ନିକଟରେ ଚାହା ଦୋକାନ ଟିଏ । ହସ ହସ ଚେହେରା । ସମସ୍ତଙ୍କୁ ଅତି ଆପଣାର ସହ ଚାହା ପରଷି ଦିଅନ୍ତି । ତା ସାଙ୍ଗକୁ ସମାଜ ସେବା । ଡାକ୍ତରଖାନାରେ ରୋଗୀଙ୍କ ସେବା ଏବଂ ନିରାଶ୍ରୟ ପିଲାଙ୍କୁ ପାଠ ପଢା ଠାରୁ ଅନେକ କିଛି କରୁଥିଲେ ପ୍ରକାଶ ରାଓ । ହେଲେ କୋଭିଡ୍‌ ଆକ୍ରାନ୍ତ ହେବା ପରେ ଶଯ୍ୟାଶାୟୀ ହୋଇଥିଲେ । ପରେ ତାଙ୍କର ଚିକିତ୍ସା ଚାଲିଥିଲା। ବ୍ରେନ୍‌ ଟ୍ୟୁମର ହୋଇଥିବା କଥା ଜଣା ପଡିଥିଲା । ବୁଧବାର ଅପରାହ୍ନରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ପ୍ରକାଶ ରାଓଙ୍କର ପରଲୋକ ହୋଇଯାଇଛି ।

ଚାହା ଦୋକାନରୁ ବିଭିନ୍ନ ବସ୍ତି ପିଲାଙ୍କୁ ପାଠ ପଢାଇବା , ଗରିବ ଲୋକଙ୍କୁ ସାହାଯ୍ୟ କରିବା , ରୋଗୀମାନଙ୍କୁ ସହାୟତା ଦେବା ପାଇଁ ବେଶ୍‌ ଲୋକପ୍ରିୟ ଥିଲେ ଡି ପ୍ରକାଶ ରାଓ । ଏଥିପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଛି । ସେହି ଅମର ଆତ୍ମା ପ୍ରତି ପ୍ରମେୟ ପରିବାରର ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ।