ଭଦ୍ରକ: ତିହିଡିରେ ପ୍ରମେୟର ପାଠକମଞ୍ଚ, ‘ଲୋକଙ୍କ ପ୍ରତି ଲୋକପ୍ରତିନିଧିଙ୍କ ସମ୍ମାନ ରହିଲେ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିବ’

ଭଦ୍ରକ ୨୬/୮:   ଭଦ୍ରକ ଜିଲ୍ଲା ତିହିଡିରେ ଦୈନିକ ଖବର କାଗଜ ପ୍ରମେୟର ଏକ ପାଠକ ମଂଚ ଅନୁଷ୍ଠିତ ହୋଇଯାଇଛି । ଏହି ମଞ୍ଚରେ ଅଂଚଳର ସମସ୍ୟା, ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ପାଖରେ ପହଂଚି  ପାରୁଛି କି ନାହିଁ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ମଂଚରେ ସାଂସଦ, ବିଧାୟକଙ୍କ ସମେତ ପ୍ରମେୟ ଖବର କାଗଜର ସଂପାଦକ ଗୋପାଳକୃଷ୍ଣ ମହାପାତ୍ର ଯୋଗ ଦେଇଥିଲେ ।   

ଭଦ୍ରକ ଜିଲ୍ଲା ତିହିଡି ବଜାରର ଏକ କଲ୍ୟାଣ ମଣ୍ଡପରେ ଗତକାଲି ଅନୁଷ୍ଠିତ ହୋଇଥିଲା ପ୍ରମେୟ ପାଠକ ମଂଚ । ଏଥିରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ଯୋଗ ଦେଇଥିଲେ । ଏହି ପାଠକ ମଂଚରେ ପ୍ରମେୟ ଖବର କାଗଜର ସଂପାଦକ ଗୋପାଳକୃଷ୍ଣ ମହାପାତ୍ର ଯୋଗ ଦେଇ ଲୋକଙ୍କ ସମସ୍ୟା ଓ ସମାଧାନର ଉପାୟ ବିଷୟରେ ଆଲୋକପାତ କରିଥିଲେ । ଏହି ପାଠକ ମଂଚ ତିହିଡିରୁ ଆରମ୍ଭ ହୋଇଛି  ଏବଂ ରାଜ୍ଯର ଅନ୍ଯ ସହରରେ ମଧ୍ଯ ଅନୁଷ୍ଠିତ ହେଲେ ସେଠାକାର ବିକାଶ ହୋଇପାରିବ ବୋଲି ସମ୍ପାଦକ କହିଥିଲେ । ସମ୍ପାଦକ ଶ୍ରୀ ଗୋପାଳକୃଷ୍ଣ ଏହା ମଧ୍ୟ କହିଥିଲେ ଯେ ଲୋକଙ୍କ ପ୍ରତି ଲୋକପ୍ରତିନିଧିଙ୍କ ସମ୍ମାନ ରହିଲେ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିବ । ଖାଲି ସେତିକି ନୁହେଁ,  ସ୍ଥାନୀୟ ଅଂଚଳର ବିଭିନ୍ନ ସମସ୍ୟା ବିଷୟରେ ଜନ ପ୍ରତିନିଧିମାନେ ଲୋକଙ୍କଠାରୁ ଅବଗତ ମଧ୍ଯ ହୋଇଥିଲେ ।

ଅନ୍ଯପଟେ ପ୍ରମେୟ ପାଠକ ମଂଚରେ ନ୍ୟୁଜ୍7କୁ ଭୁରି ଭୁରି ପ୍ରଶଂସା କରିଥିଲେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ । ଦୁର୍ଘଟଣାରେ ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୀତଲର ଖବର ନ୍ୟୁଜ୍ 7 ରେ ପ୍ରସାରଣ ହେବା ଯୋଗୁଁ , ଝିଅଟିର ଜୀବନ ବଂଚିଗଲା ବୋଲି ଭଦ୍ରକ ବିଧାୟକ କହିଥିଲେ ।  ସେହିପରି ଏହି ପାଠକ ମଂଚ ରାଜନେତାଙ୍କ କାମ କରିବାର ଆଗ୍ରହ ବଢାଇବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସ କହିଥିଲେ । 

ଏହି ସଭାରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ,  ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ , ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସଙ୍କ ସମେତ ଅନେକ ସରପଂଚ, ବ୍ଲକ  ଅଧ୍ୟକ୍ଷ ମଧ୍ଯ ଉପସ୍ଥିତ ଥିଲେ । ପ୍ରମେୟ ବାଲେଶ୍ବର ସଂସ୍କରଣର ବ୍ୟୁରୋ ଚିଫ୍ ସତ୍ୟଶିବ ଦାସ ମଂଚ ପରିଚାଳନା କରିଥିବାବେଳେ ପ୍ରମେୟର ତିହିଡି ପ୍ରତିନିଧି ଅଭୟ ପତି ପ୍ରାକ୍ ସୂଚନା ଦେଇଥିଲେ । ସଭା ଶେଷରେ ଏହି ପାଠକ ମଂଚକୁ ଉଭୟ ନେତା ଓ ଜନତା ଭୁରି ଭୁରି ପ୍ରଶଂସା କରିଥିଲେ । 

   ସମ୍ବନ୍ଧିତ ଖବର


ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ସିଆର୍ପିଏଫ୍ ଯବାନ

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ

ରାସ୍ତା ଉପରେ ଜଳିଗଲା ୧୨ ଚକିଆ ଟ୍ରକ୍, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

ବାଇକ ଆରୋହୀଙ୍କ ଉପରେ ଚଢିଗଲା ହାଇଓ୍ୱା ଟ୍ରକ, ଘଟଣାସ୍ଥଳରେ ଚାଲିଗଲା ଜୀବନ

ବାର୍‌ହା ମାଂସ ଜବତ ସହ ଶିକାରୀ ଗିରଫ

ହାତୀ କାବୁ କରିବାକୁ ଯାଇ ଶିକାରୀ କାବୁ