ପିଏମ୍‌ଓରେ ପ୍ରମୋଦ: ସମ୍ବଲପୁର ମାଟିର ପୁଅ ଦେଶର ଗର୍ବ, ଜାଣନ୍ତୁ ଜୀବନ ଓ କ୍ୟାରିୟର ସମ୍ପର୍କରେ ଟିକିନିଖି ତଥ୍ୟ…

ଡ. ପ୍ରମୋଦ କୁମାର ମିଶ୍ର । ସମ୍ବଲପୁର ମାଟିର ପୁଅ । ଆଜି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦବି ଭଳି ଗୁରୁତ୍ୱପୂର୍ଣ ପଦରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ପ୍ରଥମ ଓଡିଆ । ତାଙ୍କୁ ଅତିରିକ୍ତ ପ୍ରମୁଖ ସଚିବ ପଦରୁ ପ୍ରମୁଖ ସଚିବ
ପଦକୁ ପଦୋନ୍ନତି ପରେ ସମ୍ବଲପୁରରେ ଖୁସିର ଲହରି ଖେଳିଯାଇଛି । ତାଙ୍କ ସହପାଠୀ, ଜ୍ଞାତିପରିଜନ ସମେତ ସବୁ ମହଲ ଏଥିରେ ଉଲ୍ଲସିତ ହୋଇ ଉଠିଛନ୍ତି । ଏ ମାଟି ତାଙ୍କୁ ନେଇ ଗର୍ବିତ ।

ଭାଷା ଆନ୍ଦୋଳନର ପୁରୋଧା ଶ୍ରୀପତି ମିଶ୍ରଙ୍କ ନାତି

ଦେଶରେ ପ୍ରଥମ କରି ସମ୍ବଲପୁରରୁ ହିଁ ଭାଷା ଆନ୍ଦୋଳନର ମୂଳଦୁଆ ପଡିଥିଲା ।୧୯୦୧ ମସିହା ସେପଟେମ୍ବର ମାସରେ ସମ୍ବଲପୁରର ୫ ଜଣ ଓଡିଆ ଭାଷାପ୍ରେମୀସିମଲାକୁ ଯାତ୍ରା କରି ଏହି ଭାଷାର ମାନ୍ୟତା ପାଇଁ ତତ୍କାଳୀନ ଭାଇସରାୟଙ୍କନିକଟରେ ଦାବି ଉପସ୍ଥାପନ କରିଥିଲେ । ସେମାନେ ହେଲେ ମହନ୍ତ ବିହାରୀଦାସ, ବଳଭଦ୍ର ସୁଆର, ବ୍ରଜମୋହନ ପଟ୍ଟନାୟକ, ମଦନ ମୋହନ ମିଶ୍ର ଏବଂ ଶ୍ରୀପତି ମିଶ୍ର । ଏହି ଯାତ୍ରାକୁ ହିଁ ଦେଶର ପ୍ରଥମ ଭାଷା ଆନ୍ଦୋଳନ ବୋଲି କୁହାଯାଉଛି । ତେବେ, ଏହି ଯାତ୍ରା ସଂପର୍କରେ ଶ୍ରୀପତି ମିଶ୍ର ପରବର୍ତ୍ତୀ ସମୟରେ ପ୍ରକାଶିତ କରିଥିବା ସିମଲା ଯାତ୍ରା ପୁସ୍ତକର ଆଜି ସମ୍ବଲପୁର ସହରରେ ଶତବାର୍ଷିକୀ ପାଳନ ଚାଲିଥିବା ବେଳେ ତାଙ୍କ ନାତି ଆଜି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦରେ ଅବସ୍ଥାପିତ ହେବାର ସୌଭାଗ୍ୟ ଲାଭ କରିଛନ୍ତି ।

ଡ. ପ୍ରମୋଦ କୁମାର ମିଶ୍ର ହେଉଛନ୍ତି ଶ୍ରୀପତି ମିଶ୍ରଙ୍କ ନାତି ଏବଂ ସମ୍ବଲପୁରର ପ୍ରଖ୍ୟାତ ଓକିଲ ସ୍ୱର୍ଗତ ପ୍ରସନ୍ନ ମିଶ୍ରଙ୍କ ବଡପୁଅ । ପ୍ରସନ୍ନ ଏବଂ ପ୍ରେମଶିଳାଙ୍କ ୫ ସନ୍ତାନଙ୍କ ମଧ୍ୟରୁ ପ୍ରମୋଦ ଏବଂ କଲ୍ୟାଣୀ ଯାଆଁଳା ଭାଇଭଉଣୀ ହୋଇଥିବା ବେଳେ ତାଙ୍କ ପଛକୁ ଭଉଣୀ କମଳିନୀ, ତରଙ୍ଗିନୀ ଏବଂ ସାନ ଭାଇ କୁମୁଦ କୁମାର ମିଶ୍ର । ୧୯୪୮ ମସିହା ଅଗଷ୍ଟ ୧୧ ତାରିଖରେ ପ୍ରମୋଦ ଏବଂ କଲ୍ୟାଣୀଙ୍କ ଜନ୍ମ । କଲ୍ୟାଣୀ ଜଣେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀଙ୍କ ଧର୍ମପତ୍ନୀ ହୋଇଥିବା ବେଳେ ସେ ବର୍ତ୍ତମାନ ଭୁବନେଶ୍ୱରରେ ରହୁଛନ୍ତି । କମଳିନୀ ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ବିଭାଗରେ ପ୍ରାଧ୍ୟାପିକା ଭାବେ ଅବସର ଗ୍ରହଣ କରିଛନ୍ତି । ତାଙ୍କ ସ୍ୱାମୀ ଜଣେ କନସଲ୍‌ଟାଣ୍ଟ ଇଞ୍ଜିନିଅର୍‌ ହୋଇଥିବା ବେଳେ ଏହି ଦମ୍ପତି ସମ୍ବଲପୁର ସହରର ଗ୍ରେଟର୍‌ ସମ୍ବଲପୁରରେ ରହୁଛନ୍ତି ।

ତୃତୀୟ ଭଉଣୀ ତରଙ୍ଗିନୀ ବରଗଡ ମହିଳା ମହାବିଦ୍ୟାଳୟରୁ ମନସ୍ତତ୍ତ୍ୱ ବିଜ୍ଞାନରେ ପ୍ରାଧ୍ୟାପିକା ଭାବେ ଅବସର ନେଇସାରି ତାଙ୍କ ସ୍ୱାମୀଙ୍କ ସହ ସମ୍ବଲପୁର ସହରରେ ରହୁଛନ୍ତି । ଆଉ ସବା ସାନ ଭାଇ କୁମୁଦ କୁମାର ମିଶ୍ର ଇଫ୍‌କୋ ସାର କଂପାନିରେ ଜଣେ ବରିଷ୍ଠ ଅଧିକାରୀ ଭାବେ ଭୁବନେଶ୍ୱରରେ କାର୍ଯ୍ୟରତ ଅଛନ୍ତି । ପ୍ରମୋଦଙ୍କ ଏକମାତ୍ର ପୁଅ ପ୍ରତ୍ୟୁଷ ଚାଇନାରେ ଇଞ୍ଜିନିଅର୍‌ ଥିବା ବେଳେ ସପରିବାର ସେଠାରେ ରହୁଛନ୍ତି । ଏକମାତ୍ର ଝିଅ ପ୍ରତୀଚି ମୁମ୍ବାଇରେ ଏକ ଲ ଫାର୍ମରେ ଆଇନ ପରାମର୍ଶଦାତା ଭାବେ କାମ କରୁଥିବା ବେଳେ ସ୍ୱାମୀଙ୍କ ସହ ରହୁଛନ୍ତି ।

ଏକାଡେିମକ୍‌ କ୍ୟାରିୟର୍‌

ସମ୍ବଲପୁର ମାଟିର କୃତୀ ସନ୍ତାନ ଡ. ପ୍ରମୋଦ ମିଶ୍ର ପଟ୍ଟନାୟକପଡ଼ା ନିବାସୀ ଆଇନଜୀବୀ ସ୍ୱର୍ଗତ ପ୍ରସନ୍ନ କୁମାର
ମିଶ୍ରଙ୍କ ପୁତ୍ର ଅଟନ୍ତି । ଡକ୍ଟର ମିଶ୍ର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ, ଗଙ୍ଗାଧର ମେହେର କଲେଜର ଅତ୍ୟନ୍ତ
ମେଧାବୀ ଛାତ୍ର ଭାବେ ସୁନାମ ଅର୍ଜନ କରିବା ପରେ ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍‌ରେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଓ
ଯୁକ୍ତରାଷ୍ଟ୍ର ଆମେରିକା ସସେକ୍ସ୍‌ ବିଶ୍ୱବିଦ୍ୟାଳୟରେ ପି.ଏଚ୍‌.ଡି ହାସଲ କରିଛନ୍ତି । ପରେ ସେ ୧୯୭୨ ମସିହାରେ ଆଇ.ଏ.ଏସ୍‌.ପାଇବା ପରେ ଗୁଜରାଟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହୋଇଥିଲେ । ଡକ୍ଟର ମିଶ୍ର ୨୦୦୪ ପର୍ଯ୍ୟନ୍ତ ଶ୍ରୀମୋଦିଙ୍କର ପ୍ରମୁଖ ସଚିବ ରୂପେ କାର୍ଯ୍ୟ କରିଥିଲେ ।

ଗୁଜୁରାଟର କଚ୍‌ ଠାରେ ୨୦୦୧ ମସିହାରେ ହୋଇଥିବା ଭୟାବହ ଭୂମିକମ୍ପ ପରେ ସେ ଗୁଜୁରାଟ ଷ୍ଟେଟ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିର ସି.ଇ.ଓ ଦାୟିତ୍ୱରେ ରହି ଭୂମିକମ୍ପ ପରବର୍ତ୍ତୀ ପୁନଃ ନିର୍ମାଣ ଓ ଥଇଥାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହାଛଡ଼ା ଜି.ଏସ୍‌.ଡି.ଏମ୍‌.ଏକୁ ଏକ ବୈପ୍ଲବିକ ତଥା ସ୍ପନ୍ଦନଶୀଳ ଅନୁଷ୍ଠାନ ରୂପେ ପରିଣତ କରିଥିଲେ ଯାହାକି ପରବର୍ତ୍ତୀ ସମୟରେ ୟୁଏନ କମନୱେଲଥ୍‌ ଏସୋସିଏସନ “ର୍‌ ପବ୍ଲିକ ଆଡ଼ମିନିଷ୍ଟ୍ରେଶନ ଏବଂ ମ୍ୟାନେଜମେଣ୍ଟ ଭଳି ଆନ୍ତର୍ଜାତିକ ସଂସ୍ଥା ଦ୍ୱାରା ପୁରସ୍କୃତ ହୋଇଥିଲା । କୃଷି ପ୍ରଧାନ ଭାରତ ଭଳି ବିଶାଳ ଦେଶରେ କୃଷି ଅର୍ଥନୀତିକୁ ସଜାଡିବାରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୨୦୦୬ ରୁ ୨୦୦୮ ମସିହା ପର୍ଯ୍ୟନ୍ତ ସେ କେନ୍ଦ୍ର ସରକାରଙ୍କ କୃଷି ବିଭାଗର ସଚିବ ରହି ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ପ୍ରତିଷ୍ଠା ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ ।

ଏହାଛଡ଼ା ସେ ଶସ୍ୟବୀମା ଯୋଜନା କାର୍ଯ୍ୟକାରିତା ନେଇ ଗଠିତ କମିଟି ଅ୍‌ମକ୍ଷ ମଧ୍ୟ ରହିଥିଲେ । ସେହିପରି ୱାର୍ଲଡ
ବ୍ୟାଙ୍କର ବିଶ୍ୱସ୍ତରରେ ଡିଜାଷ୍ଟର ରିକଭରି, ଫ୍ରେମ୍‌ୱାର୍କ ପ୍ରସ୍ତୁତ କରିବା ପାଇଁ ଗଠିତ ପରାମର୍ଶଦାତା କମିଟିରେ
ସାମିଲ ଥିଲେ ।ସେ ଅବସର ଗ୍ରହଣ କଲାପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଗୁଜୁରାଟ ଇଲେକ୍ଟ୍ରିସିଟି ରେଗୁଲାଟୋରି କମିଶନର ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେଇଥିଲେ । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କର ଅତିରିକ୍ତ ପ୍ରମୁଖ ସଚିବ ରୂପେ ଆଣି ତାଙ୍କୁ କ୍ୟାବିନେଟ ସେକ୍ରେଟିର ପାହ୍ୟାଦେଇଥିଲେ ।

ସମ୍ବଲପୁରରେ ଶିକ୍ଷା
ପଟ୍ଟନାୟକ ପଡାରେ ଜନ୍ମଗ୍ରହଣ କରିଥିବା ପ୍ରମୋଦଙ୍କ ପ୍ରାଥମିକ ଶିକ୍ଷା ସେହି ପଡାରେ ଥିବା ବ୍ରଜମୋହନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା । ପରେ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲରୁ ହାଇସ୍କୁଲ ଏବଂ ଗଙ୍ଗାଧର ମେହେର କଲେଜରୁ ସ୍ନାତକ ପଢା ସାରିଥିଲେ । ଏହାପରେ ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍ସରେ ସ୍ନାତକୋତ୍ତର ପଢିବା ବେଳେ ଆଇଏଏସ୍‌ ପାଇଁ ପ୍ରସ୍ତୁତି ଚଲାଇଥିଲେ । ତେବେ, ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର ଫଳାଫଳ ପ୍ରକାଶିତ ହେବା ପୂର୍ବରୁ ସେ ୧୯୭୨ ମସିହାରେ ପ୍ରଥମ ଚାନ୍ସରେ ଆଇଏଏସ୍‌ରେ ସଫଳତାର ସହ ଉତ୍ତୀର୍ଣ ହୋଇଥିଲେ ।

ରେଙ୍ଗାଳି ବନ୍ଧ ବିସ୍ଥାପନ ଓ ଥଇଥାନରେ ଉଲ୍ଲେଖନୀୟ ଭୂମିକା

ଡ. ପ୍ରମୋଦ ମିଶ୍ର ଗୁଜୁରାଟ କ୍ୟାଡର୍‌ର ହୋଇଥିବା ବେଳେ ସ୍ୱଳ୍ପ ସମୟ ପାଇଁ ଡେପୁଟେସନ୍‌ରେ ଓଡିଶାରେ କାମ କରିଥିଲେ । ଏହି ସମୟରେ ଦେବଗଡ ଜିଲ୍ଲାରେ ନିର୍ମାଣ ହୋଇଥିବା ରେଙ୍ଗାଳି ନଦୀବନ୍ଧ ଯୋଜନାର ବିସ୍ଥାପନ ଓ ଥଇଥାନ ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହି ବନ୍ଧ ପାଇଁ ବାସହରା ହୋଇଥିବା ଲୋକେ ସେହି ସମୟରେ ପ୍ରବଳ ବିରୋଧ ଜାରି ରଖିଥିଲେ । କୌଣସି ପ୍ରକାରେ ଭିଟାମାଟି ଛାଡିବାକୁ ନାରାଜ ଥିଲେ । ଏହି ସମୟରେ ଶାନ୍ତିପୂର୍ଣ ଭାବେ ବିସ୍ଥାପନ କରି ଲୋକଙ୍କୁ ଥଇଥାନ କରିବା ପ୍ରମୋଦଙ୍କ ପାଇଁ ଥିଲା ବଡ ଚ୍ୟାଲେଞ୍ଜ । ଏଥିପାଇଁ ସେ ବାରମ୍ବାର ପ୍ରଭାବିତ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଭେଟି ଅନେକାଂଶରେ ବନ୍ଧ ନିର୍ମାଣ କାମକୁ ଆଗେଇ ନେବାରେ ସଫଳ ହୋଇଥିଲେ । ଯଦିଓ ହୀରାକୁଦ ପରି ବିସ୍ଥାପିତଙ୍କ ଥଇଥାନ ଦିଗରେ ଜନ ଅସନ୍ତୋଷ ଏବେ ବି ଜାରି ରହିଛି ତଥାପି ସେହି ସମୟରେ ଜନ ଆନ୍ଦୋଳନକୁ ଶାନ୍ତିପୂର୍ଣ ଭାବେ ମୁକାବିଲା କରିବାରେ ସେ ସଫଳ ହୋଇଥିଲେ । ଏପରିକି ବିସ୍ଥାପନ ଏବଂ ଥଇଥାନ ଉପରେ ତାଙ୍କର ଅନୁଧ୍ୟାନ ଆଧାରିତ ଏକ ବ୍ଲୁ ବୁକ୍‌ ପୁସ୍ତକ ରଚନା କରିଥିଲେ, ଯାହାକି ଆଜି ବି ଦେଶର ଅନ୍ୟ ସବୁ ପ୍ରକଳ୍ପ
ପାଇଁ ଏକ ଉପାଦେୟ ପୁସ୍ତକ ଭାବେ ବିବେଚିତ ହୋଇଛି ।

‘ଦାଦାଙ୍କୁ ତାଙ୍କ ନିଷ୍ଠା ହିଁ ଏହି ସଫଳତା ଆଣି ଦେଇଛି’
ପ୍ରମୋଦ ଦାଦାଙ୍କ ଏହି ସଫଳତା କେବଳ ଆମ ପରିବାର ପାଇଁ ନୁହେଁ, ଏହା ସମ୍ବଲପୁର ଏବଂ ସାରା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି ସାନ ଭଉଣୀ ଡ. କମଳିନୀ ପୂଜାରୀ । ପିଲା ଦିନରୁ ଦାଦା
ଅତ୍ୟନ୍ତ ପରିଶ୍ରମୀ ଓ ମେଧାବୀ ଥିଲେ । ଛୋଟ ବେଳୁ ସେ ଅତ୍ୟନ୍ତ ଶାନ୍ତ, ଧୀର ସ୍ୱଭାବର । ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରମୋଦ ଦାଦା ପିଲାଟି ଦିନରୁ ନିଷ୍ଠା, କର୍ତ୍ତବ୍ୟପରାୟଣତା ଏବଂ ସେବା ମନୋବୃତ୍ତିକୁ ଆଦରି ନେଇଥିଲେ ଦୀର୍ଘ ଦଶନ୍ଧିର ପ୍ରଶାସନିକ ଜୀବନରେ ମଧ୍ୟ କେବେ ବି ତାଙ୍କୁ ଦୁର୍ନୀତି ସ୍ପର୍ଶ ବି କରିପାରିନାହିଁ । ଯେତେବେଳେ ତାଙ୍କୁ ଯେଉଁ ଦାୟିତ୍ୱ ମିଳିଛି, ତାହାକୁ ସୂଚାରୁ ରୂପେ ସଂପାଦନ କରିପାରିଛନ୍ତି । ତେବେ, ବ୍ୟସ୍ତବହୁଳ ଜୀବନରେ ମଧ୍ୟ ସେ ଆମ ସମସ୍ତ ଭାଇ ଭଉଣୀଙ୍କ ସହ ନିରନ୍ତର ସଂପର୍କରେ ଅଛନ୍ତି । ମୁଁ ବର୍ତ୍ତମାନ ମୋ ସ୍ୱାମୀଙ୍କ ସହ ଲଣ୍ଡନ ମୋରିସସ୍‌ ଗସ୍ତ କରି ଫେରିବା ପରେ ଦିଲ୍ଲୀକୁ ଆସିଥିଲୁ । ସେଠାରେ ଦାଦାଙ୍କ ଘରେ କିଛି ଦିନ ରହିବା ପରେ ବର୍ତ୍ତମାନ ହାଇଦ୍ରାବାଦରେ ପୁଅ ପାଖରେ ଅଛୁ । ଡ. କମଳିନୀ ପୂଜାରୀ, ସାନ ଭଉଣୀ

   ସମ୍ବନ୍ଧିତ ଖବର


ଏଥର ପୂଜା ପେଣ୍ଡାଲରେ ହେବ ‘ନୋ ଏଣ୍ଟ୍ରି ଜୋନ୍‌’, କେବଳ ଆୟୋଜକଙ୍କୁ ପ୍ରବେଶକୁ ଅନୁମତି ଦେଲେ କୋର୍ଟ

ଏସିଆରେ ‘ସୁପରପାୱାର’: ଭାରତ ଚତୁର୍ଥ ଶକ୍ତିଶାଳୀ

ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ: ମୃତ୍ୟୁସଂଖ୍ୟା ୧୧୬୮କୁ ବୃଦ୍ଧି

ରାଜ୍ୟରେ ଆଉ ୧୯୦୪ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଲା

ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା, ଅନ୍ୟ ଦୁଇ ଜଣ ଗୁରୁତର

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌