ବିଜେଡିରୁ ଇସ୍ତଫା ଦେଲେ ପ୍ରତ୍ଯୁଷା ଓ ପୂର୍ଣ୍ଣଚନ୍ଦ୍ର

ଭୁବନେଶ୍ୱର ୨୦/୩: ବିଜେଡିରୁ ଇସ୍ତଫା ଦେଇଛନ୍ତି ପ୍ରତ୍ଯୁଷା ଓ ପୂର୍ଣ୍ଣଚନ୍ଦ୍ର । କନ୍ଧମାଳ ସାଂସଦ ପ୍ରତ୍ଯୁଷା ରାଜେଶ୍ୱରୀ ସିଂ ଓ ଦଶପ୍ଲଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ଟିକେଟ ନମିଳିବା ନେଇ ଗତକାଲି ଅସନ୍ତୋଷ ପ୍ରକାଶ କରିଥିଲେ ପ୍ରତ୍ଯୁଷା । ସେ କହିଥିଲେ ଯେ ତାଙ୍କ ଟିକେଟ କଟିବାରେ କିଛି ମନ୍ତ୍ରୀ ଓ ବିଧାୟକଙ୍କ ହାତ ରହିଛି । ସେ ଏହାମଧ୍ୟ କହିଥିଲେ ଯେ ଯଦି କୌଣସି ଦଳରୁ ଟିକେଟ ନମିଳେ ତେବେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ।
ପ୍ରତ୍ଯୁଷା କହିଥିଲେ ଯେ ଦଳ ପାଇଁ ସେ କାମ କରୁଥିଲେ କିନ୍ତୁ ଦଳ ତାଙ୍କୁ ଅଣଦେଖା କଲା । ତାଙ୍କ ପ୍ରତି ଅନ୍ଯାୟ ହୋଇଥିବା ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି । ନୟାଗଡରୁ ସେ ଲଢିବାକୁ ଆଶାୟୀ ଅଛନ୍ତି । ତେବେ ସେ ଆଜି କହିଛନ୍ତି ଯେ ବିଜେପି ଓ କଂଗ୍ରେସ ସହିତ ତାଙ୍କର ଯୋଗାଯୋଗ ହୋଇଛି । ଅନୁମାନ କରାଯାଉଛି ଯେ ଏହି ୨ ଦଳ ମଧ୍ୟରୁ ସେ ଯେ କୌଣସି ପାର୍ଟିରେ ଯୋଗଦେଇପାରନ୍ତି ।
ଅନ୍ଯପଟେ ଦଳ ଛାଡିଛନ୍ତି ଅସନ୍ତୁଷ୍ଟ ନେତା ପୂର୍ଣ୍ଣଚନ୍ଦ୍ର । ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଦଳ ସୁପ୍ରିମୋଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଟିକେଟ ନମିଳିବାରୁ ଅସନ୍ତୁଷ୍ଟ ଥିଲେ ପୂର୍ଣ୍ଣ । ସେ ଇସ୍ତଫା ପତ୍ରରେ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ କିଛି ମୁଷ୍ଟିମେୟ ନେତାଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ସେ ଟିକେଟ ପାଇଲେନି । ଦଳରେ ଦୁର୍ନୀତିମୁକ୍ତ ଅପେକ୍ଷା ଦୁର୍ନୀତିଗ୍ରସ୍ତଙ୍କୁ ଟିକେଟ ଦିଆଯାଇଛି ବୋଲି ସେ କହିଛନ୍ତି । ତେବେ ସେ କେଉଁ ଦଳରେ ଯୋଗଦେବେ ସେନେଇ କିଛି ସୂଚନା ମିଳିନି ।