କୁଆଡେ ଗଲା ମାନବିକତା, କେଉଁଠି ସରାକାରୀ ନିୟମ ? ୧୩ ଘଣ୍ଟା ଧରି ୮ହସ୍ପିଟାଲର ଚକ୍କର କାଟିବା ପରେ ଗର୍ଭବତୀଙ୍କ ମୃତ୍ୟୁ

ନୋଏଡା, ୮/୦୬: ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲ । ଏଭଳି ଭାବେ ଦୀର୍ଘ ୧୩ ଘଣ୍ଟା ଧରି ୮ଟି ହସ୍ପିଟାଲର ଚକ୍କର କାଟିଥିଲେ ଗର୍ଭବତୀ ମହିଳା । ହେଲେ କୌଣସି ହସ୍ପିଟାଲ ଆଡମିଟ୍‌ କରାଇ ନଥିଲେ । ଶେଷରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଶୁକ୍ରବାର ଏଭଳି ସମ୍ବେଦନହୀନ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ନୋଏଡାରେ । ଏହି ଘଟଣା ପରେ ନୋଏଡା ପ୍ରଶାସନର ନିଦ ଭାଙ୍ଗିଛି । ଏହା ଦୁର୍ଭାଗ୍ୟଜନକ ଘଟଣା ବୋଲି ପ୍ରଶାସନ କହିବା ସହ ଜରୁରୀ ପରିସ୍ଥିତିରେ କୌଣସି ରୋଗୀଙ୍କୁ ନ ଫେରାଇବା ଲାଗି ସବୁ ସରକାରୀ ଓ ବେସରକାରୀ ହସ୍ପିଟାଲକୁ ତାଗିଦ କରିଛି ।

ସୂଚନା ଅନୁସାରେ ଗାଜିଆବାଦ ଖୋଡା କଲୋନିରେ ରୁହନ୍ତି ନୀଲମ କୁମାରୀ । ନୀଲମଙ୍କ ସ୍ୱାମୀ ବିଜେନ୍ଦ୍ର କୁମାର ଏକ ମିଡିଆ ସଂସ୍ଥାର ମେଣ୍ଟେନାନ୍ସ ବିଭାଗରେ କାମ କରନ୍ତି । ପାଖରେ ସାନଭାଇ ଶୈଳେନ୍ଦ୍ର କୁମାର ଓ ତାଙ୍କ ପତ୍ନୀ ସୁଷମା ରହୁଛନ୍ତି । ଶୈଳେନ୍ଦ୍ର ନିଜର ଅଟୋ ଚଳାନ୍ତି । ଶୁକ୍ରବାର ସକାଳ ୫ଟାର ନୀଲମଙ୍କ ପ୍ରବସ ବେଦନା ହେବାରୁ ଭାଇ ଶୈଳେନ୍ଦ୍ର ଓ ସୁଷମାଙ୍କ ସହ ମିଶି ବିଜେନ୍ଦ୍ର ପ୍ରଥମେ ନୀଲମଙ୍କୁ ଅଟୋରେ ନୋଏଡାର ସେକ୍ଟର ୨୪ରେ ଥିବା ଇଏସ୍‌ଆଇସି ହସ୍ପିଟାଲ ନେଇଥିଲେ । ନୀଲମ ଏକ ୱେୟାର ତିଆରି କମ୍ପାନିରେ କାର୍ଯ୍ୟ କରୁଥିବାରୁ ତାଙ୍କର ଇଏସ୍‌ଆଇସି କାର୍ଡ ରହିଥିଲା । ଇଏସ୍‌ଆଇସି ହସ୍ପିଟାଲ କିଛି ସମୟ ରଖିବା ପରେ ତାଙ୍କୁ ସେକ୍ଟର ୩୦ରେ ଥିବା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା । ମାତ୍ର ସେମାନେ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ ଖୋଡା ଅଞ୍ଚଳରୁ ଆସିଥିବାରୁ ଜିଲ୍ଲା ହସ୍ପିଟାଲ ତାଙ୍କୁ ଫେରାଇ ଦେଇଥିଲା । ଏହା ପରେ ସେମାନେ ସେକ୍ଟର ୫୧ରେ ଥିବା ଶିବାଲିକ ହସ୍ପିଟାଲ ଯାଇଥିଲେ । ସେମାନେ ମଧ୍ୟ ଫେରାଇ ଦେଇଥିଲେ ।

ପୂର୍ବାହ୍ନ ୧୧ଟାରେ ପରିବାର ଲୋକେ ନୀଲମଙ୍କୁ ଫୋର୍ଟିସ ନୋଏଡା ଓ ପରେ ସେକ୍ଟର ୧୨୮ରେ ଥିବା ଜେପି ହସ୍ପିଟାଲ ନେଇଥିଲେ ମଧ୍ୟ ସେଠାରେ ଆଡମିଟ୍‌ କରାଯାଇନଥିଲା । ତା ପରେ ନୀଲମଙ୍କୁ ସାରଦା ହସ୍ପିଟାଲ ଓ ଏହା ପରେ ଗ୍ରେଟର ନୋଏଡାରେ ଥିବା ସରକାରୀ ମେଡିକାଲ କଲେଜ (ଜିଆଇଏମ୍‌ଏସ୍‌)କୁ ନେଇଥିଲେ । ଉଭୟ ହସ୍ପିଟାଲକୁ କୋଭିଡ-୧୯ ହସ୍ପିଟାଲରେ ପରିଣତ କରାଯାଇଛି । କିନ୍ତୁ ସେମାନେ ମଧ୍ୟ ନୀଲମଙ୍କୁ ଆଡମିଟ ନ କରାଇ ଫେରାଇ ଦେଇଥିଲେ । ପରେ ସେମାନେ ଗାଜିଆବାଦର ବୈଶାଳୀରେ ଥିବା ମାକ୍ସ ହସ୍ପିଟାଲ ନେଇଥିଲେ । ସେଠାରେ ମଧ୍ୟ ତାଙ୍କୁ ଫେରାଇ ଦିଆଯାଇଥିଲା । ସବୁଆଡୁ ନିରାଶ ହୋଇ ସେମାନେ ପୁଣି ଜିଆଇଏମ୍‌ଏସ୍‌କୁ ନେଇଥିଲେ । ସେତେବେଳକୁ ରାତି ୭ଟା ୩୦ ମିନିଟ୍‌ ହୋଇସାରିଥିଲା ଏବଂ ନୀଲମଙ୍କର ମୃତ୍ୟୁ ଘଟିଥିଲା । ନୋଏଡା ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଏଡିଏମ୍‌ (ଅର୍ଥ ଓ ରାଜସ୍ୱ) ଏମ୍‌.ଏନ୍‌ ଉପାଧ୍ୟାୟ ଓ ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମ୍‌ଓ) ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେମାନେ ନୀଲମଙ୍କ ପରିବାର ସଦସ୍ୟ ଓ କିଛି ହସ୍ପିଟାଲର କର୍ମଚାରୀଙ୍କୁ ପଚରାଉଚୁରା କରିଥିବା ଜଣାପଡିଛି ।

   ସମ୍ବନ୍ଧିତ ଖବର


ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…

ପହିଲାରୁ କାର୍ତ୍ତିକ ବ୍ରତ ଆରମ୍ଭ: ଏଥର କରୋନା ପାଇଁ ହବିଷ୍ୟାଳିଙ୍କୁ ଧର୍ମଶାଳା ମନା, ମିଳିବନି ମନ୍ଦିର ହବିଷ ଡାଲମା

ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଘୋଷଣା