ବିବାହିତା ମହିଳାଙ୍କୁ ନେଇ ଚମ୍ପଟ ମାରିଲା ୨ ପିଲାର ବାପା, ପାରାଦୀପରୁ ଫେରାର ପ୍ରେମୀଯୁଗଳ ବାରିପଦାରୁ ଉଦ୍ଧାର

ପାରାଦୀପ,୦୪/୦୩: ପ୍ରେମ ମଣିଷକୁ ଏମିତି ଅନ୍ଧ କରିଦିଏ ଯେ ସେ ଭଲ ମନ୍ଦ କିଛି ଭାବିବା ପୂର୍ବରୁ ଅନେକ ଭୁଲ କରିବସେ । ଏମିତିକି ତା’ର ସେଇ ଭୁଲ ପାଇଁ ତା’ ପଛରେ ଯେ କେତେ ଲୋକଙ୍କୁ ସେ ଅସୁବିଧାରେ ପକାଇଦିଏ ତାହା ସେ ଜାଣିପାରେନି । ଏଭଳି ଏକ ଅଭିନବ ପ୍ରେମ ଦେଖିବାକୁ ମିଳିଛି ପାରାଦୀପରେ । ପାଖ ପଡ଼ୋଶୀ ହୋଇ ରହି ଆସୁଥିବା ଜଣେ ବିବାହିତ ମହିଳାଙ୍କୁ ପ୍ରେମ କରି ଦୁଇଟି ପିଲାର ବାପା ଉକ୍ତ ମହିଳାଙ୍କୁ ନେଇ ଫେରାର ହେବା ଆଉ ତା’ପରେ ପୁଲିସ ଉଭୟଙ୍କୁ ଉଦ୍ଧାର କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ମୁତାବକ ପାରାଦୀପ ଲକ୍ ଥାନା ଅଧୀନ ଏକ ଗ୍ରାମର ଜଣେ ଯୁବତୀ ଗତ ୧୦ ବର୍ଷ ତଳେ ନୟାଗଡ଼ ଅଞ୍ଚଳରୁ ଆସି ଗାଁରେ ଭଡ଼ା ନେଇ ରହୁଥିବା ଜଣେ ଯୁବକଙ୍କୁ ବିବାହ କରିଥିଲେ । ଉଭୟ ପ୍ରେମ ବିବାହ କରିଥିବା ବେଳେ ବିବାହ ପରେ ଦୁଇଟି ପିଲା ମଧ୍ୟ ହେଲେ । ଦାମ୍ପତ୍ୟ ଜୀବନ ଭଲ ଚାଲିଥିଲା । ତେବେ ହଠାତ୍ ଦମ୍ପତିଙ୍କୁ ଜୀବନରେ କଳା ବାଦଲ ଘୋଟି ଆସିଲା । ତାଙ୍କ ପଡ଼ୋଶୀ ଜଣେ ଯୁବକ ଅଢ଼େଇ ବର୍ଷ ତଳେ କୁଜଙ୍ଗ ପାଖର ଜଣେ ଯୁବତୀଙ୍କୁ ବିବାହ କରି ଘରକୁ ଆଣିଥିଲେ । କିଛି ମାସ ହେବ ନୟାଗଡ଼ ଅଞ୍ଚଳର ଉକ୍ତ ବ୍ୟକ୍ତି ଓ କୁଜଙ୍ଗ ଅଞ୍ଚଳର ଯୁବତୀଙ୍କ ମଧ୍ୟରେ ଫେସବୁକ୍ରେ ବନ୍ଧୁତା ହୋଇଥିଲା । ହେଲେ ପ୍ରେମ ଏତେ ଗଭୀର ହୋଇଯାଇଥିଲା ଯେ ଉଭୟ ଘରଛାଡ଼ି ଯିବାକୁ ନିଷ୍ପତ୍ତିି ନେଇଥିଲେ । ଆଉ ଗତ ମାସ ୪ ତାରିଖ ଦିନ ଘରୁ ଲୁଚି ପଳାଇଥିଲେ । ଫେରାର ହୋଇଥିବା ବ୍ୟକ୍ତିଙ୍କ ପତ୍ନୀ ଏନେଇ ଲକ୍ ଥାନାରେ ଅଭିଯୋଗ କରିଥିଲେ । ହେଲେ ଫେରାର ମହିଳାଙ୍କ ସ୍ୱାମୀ ଏନେଇ ଅଭିଯୋଗ କରି ନଥିଲେ । ପୁଲିସ ମୋବାଇଲ୍ ନମ୍ବର ଜରିଆରେ ଜାଣି ଗତକାଲି ଉଭୟଙ୍କୁ ବାରିପଦାରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।