ତୃତୀୟ ପର୍ଯ୍ଯାୟରେ ମୋଟ୍ ୧୦,୪୬୪ ବୁଥରେ ଭୋଟ୍ ଦେବେ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର

ଭୁବନେଶ୍ୱର ୨୨/୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ସିଇଓଙ୍କ ପ୍ରେସମିଟ୍ । ଆସନ୍ତାକାଲି(ମଙ୍ଗଳବାର) ତୃତୀୟ ପର୍ଯ୍ଯାୟ ନିର୍ବାଚନ ହେବ । ଏଥିରେ ୬ ଲୋକସଭା ଏବଂ ଏହାର ଅଧିନସ୍ଥ ବିଧାନସଭା ପାଇଁ ମତଗ୍ରହଣ ହେବ । ସମ୍ବଲପୁର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ଓ ଏହା ଅଧିନସ୍ଥ ୪୨ ବିଧାନସଭା ପାଇଁ ମତଗ୍ରହଣ ହେବ । ଏଥିପାଇଁ ସମୁଦାୟ ୧୦,୪୬୪ ବୁଥରେ ଭୋଟିଂ ହେବ । ତୃତୀୟ ପର୍ଯ୍ୟାୟରେ ମୋଟ୍ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ଭୋଟ୍ ଦେବେ ।
ମତଦାତାଙ୍କ ମଧ୍ୟରୁ ୪୭ ଲକ୍ଷ ୯୯ ହଜାର ୩୦ ଜଣ ପୁରୁଷ ଓ ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଏବଂ ୧୧୬୩ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ୬ ଟି ଲୋକସଭା ଆସନ ପାଇଁ ୬୧ ପ୍ରାର୍ଥୀ ଓ ୪୨ ବିଧାନସଭା ଆସନ ପାଇଁ ୩୫୬ ପ୍ରାର୍ଥୀ ମୈଦାନରେ ଅଛନ୍ତି । ୪୨ ଟିରୁ ୩୫ ବିଧାନସଭା ଆସନରେ ସକାଳ ୭ ଟାରୁ ସଂଧ୍ୟା ୬ ଟା ଯାଏ ମତଦାନ ଚାଲିବ । ସୁରକ୍ଷା ଦୃଷ୍ଟିରୁ ମାଓ ଅଧ୍ୟୁଷିତ ସମ୍ବଲପୁର, କେନ୍ଦୁଝର ଓ ଢେଙ୍କାନାଳର ୭ ଟି ବିଧାନସଭା ଆସନରେ ସକାଳ ୭ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ହେବ ।ଭୋଟ୍ ଗ୍ରହଣ ପାଇଁ ୫୯୫୦୦ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ମୋଟ୍ ୩୧୮୬ଟି କ୍ରିଟିକାଲ ବୁଥ୍ ଚିହ୍ନଟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।