ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି: ସ୍ବର୍ଗତ କୁଲଦୀପ ନାୟରଙ୍କୁ ପଦ୍ମଭୂଷଣ, ପ୍ରଭୁଦେବାଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ,୧୧।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଆଜି ପଦ୍ମ ପୁରସ୍କାର ସମାରୋହର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଦେଶରେ ୧୧୨ ଜଣଙ୍କୁ ପଦ୍ମ ସମ୍ମାନ ପାଇଁ ମନୋନୀତ କରାଯାଇଥିବା ବେଳେ ଆଜି ୫୬ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ବାକି ଲୋକଙ୍କୁ ଏହି ପୁରସ୍କାର ରାଷ୍ଟ୍ରପତି ଆସନ୍ତା ୧୬ ତାରିଖରେ ପ୍ରଦାନ କରିବେ। ମୋଟ ୧୧୨ଟି ପଦ୍ମ ପୁରସ୍କାର ମଧ୍ୟରେ ୪ଟି ପଦ୍ମବିଭୂଷଣ, ୧୪ ପଦ୍ମ ଭୂଷଣ ଏବଂ ୯୪ଟି ପଦ୍ମଶ୍ରୀ ପୁରସ୍କାର ରହିଛି। ୨୧ ଜଣ ମହିଳାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିଛି। ଏହା ପୂର୍ବରୁ ରାଷ୍ଟ୍ରପତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀ, ଗାୟକ ଭୁପେନ ହଜାରିକା ଓ ସଂଘର ସଦସ୍ୟ ଥିବା ନାନାଜୀ ଦେଶମୁଖଙ୍କୁ ଭାରତ ରତ୍ନ ଦେବାର ଘୋଷଣା କରିସାରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟରଙ୍କୁ ମରୋଣୋତ୍ତର ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରିଛନ୍ତି। ତାଙ୍କ ସ୍ତ୍ରୀ ଭାରତୀ ନାୟର ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି। କଳା କ୍ଷେତ୍ରରେ ଉତକୃଷ୍ଟ ଯୋଗଦାନ ପାଇଁ ଦକ୍ଷିଣ ଭାରତୀୟ ପ୍ରସିଦ୍ଧ ଅଭିନେତା ମୋହନଲାଲଙ୍କୁ , ରାଜନୀତି ଓ ସମାଜସେବା ପାଇଁ ସର୍ଦ୍ଦାର ସୁଖଦେବ ସିଂହ ଢିଣ୍ଡସା ଓ ବିଜେପି ସାଂସଦ ହୁକୁମଦେବ ନାରାୟଣ ଯାଦବଙ୍କୁ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅବସରରେ ଗୀତିକାର ଏବଂ ଗାୟକ ଶଙ୍କର ମହାଦେବନଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି। ସ୍ବର୍ଗତ କାଦର ଖାନଙ୍କୁ ମରୋଣତ୍ତର ପଦ୍ମଶ୍ରୀ ପୁରସ୍କାର ମିଳିଛି। ଏହାଛଡା ଟେନିସ୍ ଖେଳାଳି ଶରତ କମାଲ ଓ ଗ୍ରାଣ୍ଡ ମାଷ୍ଟର ହରିକା ଦ୍ରୋନାଭଲ୍ଲି,ରେସଲର ବଜରଙ୍ଗ ପୁନିୟା, ପୂର୍ବତନ ବୈଦେଶିକ ସଚିବ ସୁଭ୍ରମଣ୍ୟମ ଏବଂ ଡ୍ୟାନ୍ସର ଓ ଆକ୍ଟର ପ୍ରଭୂଦେବାଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ମିଳିଛି।