ନିର୍ବାଚନ ଅନିୟମିତତା ଧରାଇବ ମୋବାଇଲ୍‌ ଆପ୍‌

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ୨୦୧୯ ନିର୍ବାଚନ ପାଇଁ ଓଡ଼ିଶାର ପ୍ରସ୍ତୁତି ସମୀକ୍ଷା ପରେ ନିର୍ବାଚନ କମିଶନଙ୍କ ଟିମ୍‌ ଫେରିଛି । ଏହା ପୂର୍ବରୁ ନିର୍ବାଚନ କମିଶନର ଅଶୋକ ଲାଭାସା ନିର୍ବାଚନ ପ୍ରସ୍ତୁତି ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି, ଅବାଧ, ଚାପମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ସବୁ ପଦକ୍ଷେପ ନିଆଯାଇଛି । ଅନିୟମିତତା, ଅପରାଧିକ କାର୍ଯ୍ୟକଳାପ ଓ ସରକାରୀ କଳର ଅପବ୍ୟବହାର ରୋକିବାକୁ ସ୍ୱତନ୍ତ୍ର ମୋବାଇଲ୍‌ ଆପ୍‌ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ ଦେଖିଲେ ଏହି ଆପ୍‌ ଜରିଆରେ ଯେ କେହି ନିର୍ବାଚନ କମିଶନଙ୍କୁ ଜଣାଇପାରିବେ । ମୋବାଇଲ୍‌ ଆପ୍‌ରେ ଫଟୋ ଓ ଭିଡିଓ ବି ଅପ୍‌ଲୋଡ୍‌ କରିପାରିବେ । ଅଭିଯୋଗ କରିବାର ୧୦୦ ମିନିଟ୍‌ ଭିତରେ କାର୍ଯ୍ୟାନୁଷ୍ଠାନ ନେବେ କମିଶନ ।
ଦୁଇଦିନିଆ ଓଡି଼ଶା ଗସ୍ତରେ କମିଶନର ଶ୍ରୀ ଲାଭାସା ନିର୍ବାଚନ ପ୍ରସ୍ତୁତିର ବ୍ୟବସ୍ଥା ପରଖିଥିଲେ । ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲାଭାସା କହିଥିଲେ, ଗୁରୁବାର ଆଲୋଚନାବେଳେ ରାଜନୈତିକ ଦଳଗୁଡି଼କ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ । ସରକାରୀ ଯୋଜନା ଆଳରେ ଭୋଟରଙ୍କୁ ଆକର୍ଷିତ କରିବା, ସରକାରୀ କଳର ଅପବ୍ୟବହାର, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନଟ ଓ ଫଟୋ ବ୍ୟବହାର କରିବା, ନିର୍ବାଚନବେଳେ ଟଙ୍କା ନେଣଦେଣ ପାଇଁ ପେଟ୍ରୋଲ ପମ୍ପ, ଆମ୍ବୁଲାନ୍ସ ଓ ପୁଲିସ ଭ୍ୟାନ ବ୍ୟବହାର ନେଇ ବିଭିନ୍ନ ଦଳ ଅଭିଯୋଗ ବାଢ଼ିଥିଲେ । ଶ୍ରୀ ଲାଭାସା କହିଥିଲେ, ଏଥର ନିର୍ବାଚନକୁ ଅବାଧ ଓ ସ୍ୱଚ୍ଛ ରଖିବା ପାଇଁ ବୈଷୟିକ ଜ୍ଞାନ କୌଶଳର ବ୍ୟାପକ ସହାୟତା ନିଆଯାଇଛି । ଏଥର ଜନତାଙ୍କ ପାଇଁ ୩ଟି ଆଇଟି ଆପ୍‌ର ବ୍ୟବହାର କରାଯିବ । ଅନିୟମିତତା ରୋକିବାରେ ‘ଇ-ଭିଜିଲ୍‌’ ଆପ୍‌ ଜନତାଙ୍କ ମୁଖ୍ୟ ଅସ୍ତ୍ର ସାଜିବ । ନିର୍ବାଚନ ତାରିଖ ଘୋଷଣା କ୍ଷଣି ଏହାକୁ ଲଞ୍ଚ କରାଯିବ । ସେହିପରି ‘ସମାଧାନ’ ଆପ୍‌ ଜରିଆରେ ଅଧିକାରୀଙ୍କ ଉପରେ ନିର୍ଭର ନ କରି ଅନ୍‌ଲାଇନ୍‌ ଯୋଗେ ରାଜନୈତିକ ଦଳ ଓ ଜନତା ଅଭିଯୋଗ କରିପାରିବେ । ‘ସୁବିଧା’ ଆପ୍‌ରେ ନାମାଙ୍କନ ପତ୍ର ଦାଖଲ, ଭୋଟ ଗଣତି, ଫଳାଫଳ ସର୍ମ୍ପକରେ ‘ଫାଷ୍ଟ କମ୍‌ ଫାଷ୍ଟ ସର୍ଭିସ’ ଅନୁସାରେ ସେବା ଦିଆଯିବ । ସେହିପରି ଭୋଟର ହେଲ୍ପଲାଇନ୍‌ ୧୯୫୦ ମଧ୍ୟ ଜାରି କରାଯାଇଛି । ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ରୋକିବାକୁ ସ୍ୱତନ୍ତ୍ର କମିଟି ସଦସ୍ୟ ରହିବେ । ମିଡିଆ ମନିଟରିଂ ସମ୍ପର୍କରେ ତାଲିମ୍‌ ଦିଆଯିବ ।
ଶ୍ରୀ ଲାଭାସା ସୂଚନା ଦେଇଥିଲେ, ପ୍ରଥମ ଥର ପାଇଁ ଓଡ଼ିଶାରେ ସବୁ ମତଦାନ କେନ୍ଦ୍ରରେ ଇଭିଏମ୍‌ ସହ ଭିଭିପାଟ୍‌ ବ୍ୟବହାର ହେଉଛି । ଏଥିପାଇଁ ସଚେତନତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଓଡି଼ଶାରେ ମୋଟ ୩୭ ହଜାର ୬୦୬ ବୁଥ୍‌ର ବ୍ୟବସ୍ଥା କରାଯାଇଛି । ପୂର୍ବ ଅପେକ୍ଷା ଏଥର ୧୭୧୦ଟି ଅଧିକ ବୁଥ୍‌ କରାଯାଇଛି । ସିସିଟିଭି କ୍ୟାମେରା ମତଦାନ କେନ୍ଦ୍ରରେ ନଜର ରଖିବ । ସବୁ କେନ୍ଦ୍ରରେ ପାନୀୟ ପାଣି ବ୍ୟବସ୍ଥା, ଖରାରୁ ବର୍ତ୍ତିବା ପାଇଁ ସେଡ୍‌ ଓ ଟଏଲେଟ୍‌ର ବ୍ୟବସ୍ଥା କରାଯିବ । ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ପ୍ରତି ବୁଥ୍‌କୁ ର‌୍ୟାମ୍ପ୍‌ ରହିବ । ହ୍ଲୁଇଲ୍‌ ଚେୟାର ସହ ଅନ୍ୟ ଅତ୍ୟାବଶ୍ୟକ ବ୍ୟବସ୍ଥା କରାଯିବ । ଉତ୍ତେଜନାପ୍ରବଣ ବୁଥ୍‌ରେ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବ । ପୂର୍ବ ନିର୍ବାଚନ ତୁଳନାରେ ନକ୍ସଲ ପ୍ରବଣ ଜିଲ୍ଲା ସଂଖ୍ୟା କମିଛି । ତଥାପି ୧୬ଟି ନକ୍ସଲ ପ୍ରବଣ ଜିଲ୍ଲାରେ ପ୍ରାର୍ଥୀଙ୍କ ସହ ଭୋଟରଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । କୌଣସି ସ୍ଥାନରେ ତିନିବିର୍ଷରୁ ଅଧିକ ଚାକିରିରେ ଥିବା ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କୀଙ୍କୁ ମାସ ଶେଷ ସୁଦ୍ଧା ବଦଳି କରାଯିବ । ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ।
ସେହିପରି ଫେବ୍ରୁଆରୀ ୧୭ ଓ ୨୩ରେ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସବୁ ବୁଥ୍‌ରେ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରାଯିବ । ଭୋଟରମାନେ ‘୧୯୫୦’ ନମ୍ବରକୁ ଡାଏଲ କରି କିମ୍ବା ଏସ୍‌ଏମ୍‌ଏସ୍‌ ଜରିଆରେ ଭୋଟଦାନ ପାଇଁ ନାମ ପଞ୍ଜିକୃତ ହୋଇଛି କି ନାହିଁ, ସେ ସମ୍ପର୍କରେ ଜାଣିପାରିବେ । ନିର୍ବାଚନ ସମ୍ପର୍କୀତ ସମସ୍ତ ତଥ୍ୟ ଜଣାଇବାରେ ଭୋଟର ସହାୟତା କେନ୍ଦ୍ର ସାହାଯ୍ୟ କରିବ । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ମକ୍‌ ପୋଲ୍‌ କରାଯାଇଥିଲା । ଏଥିରେ ସାମ୍ବାଦିକମାନେ ଉଭୟ ଇଭିଏମ୍‌ ଓ ଭିଭିପାଟ୍‌ର ବ୍ୟବହାରକୁ ତନଖି କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ମଧ୍ୟ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ବରିଷ୍ଠ ଦଇତା ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ଦେହାନ୍ତ

୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା : ୧୦ ଜିଳ୍ଲାକୁ ୟଲୋ ଓ୍ବାର୍ଣ୍ଣିଂ, ୭ ଜିଳ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

ମହିଳା IICଙ୍କୁ ନିର୍ଯାତନା : ସ୍ବାମୀଙ୍କ ବିରୋଧରେ ଆଣିଲେ ସଙ୍ଗିନ ଅଭିଯୋଗ, ଥାନାରେ ଏତଲା

ବିଜେଡି ପ୍ରାର୍ଥୀ ହେବେ ଓଡିଆ ସିନେଷ୍ଟାର ଅରିନ୍ଦମ୍ !

ବିବାହ ବିଛେଦ ମାମଲା : ସୁପ୍ରିମକୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ