ସାମ୍ବାଦିକ ସମ୍ମିଳନୀରେ ଦାବି: ଜଟଣୀ ପାଇଁ ବିଜେଡ଼ିରୁ ନୂଆ ପ୍ରାର୍ଥୀ ଦିଆଯାଉ

source:http://www.newindianexpress.com
ଜଟଣୀ,୧୮ା୩ (ଆ.ପ୍ର.): ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳରୁ ଜଣେ ନୂଆ ଲୋକଙ୍କୁ ପ୍ରାର୍ଥୀ କରିବା ପାଇଁ ବିଜେଡ଼ି କର୍ମୀ ମାନଙ୍କ ପକ୍ଷରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରାଯାଇଛି । ଆଜି ସ୍ଥାନୀୟ ମା’ ଉତ୍ତରାଣୀ ମନ୍ଦିର ପ୍ରାଙ୍ଗଣରେ ବିଜୁ କର୍ମୀମାନଙ୍କ ପକ୍ଷରୁ ସାମ୍ବାଦିକ ସମ୍ମଳନୀର ଆୟୋଜନ କରାଯାଇଥିଲା । ଏଥିରେ ପୂର୍ବତନ କାଉସିଲର ଜଟାଧାରୀ ପ୍ରଧାନ, ଅନୁସୂୟା ପ୍ରଧାନ, ଲୁସେନ୍ ରାଏ, ପୂର୍ବତନ ସରପଞ୍ଚ ରଘୁ ସ୍ୱାଇଁ, ପୂର୍ବତନ ବିଧାୟକ ପ୍ରତିନିଧି ରଣଜିତ୍ ମଙ୍ଗରାଜ୍, ସାବିତ୍ରୀ ସେଠୀ, ରଜନୀକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଜଣେ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ଶିକ୍ଷିତ ବ୍ୟକ୍ତି ଯିଏକି ଜଟଣୀ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ସୁଖଦୁଃଖର ସାଥୀ ହୋଇପାରୁଥିବ, ଲୋକହିତକର କାର୍ଯ୍ୟଗୁଡ଼ିକୁ ଜଟଣୀ ଅଞ୍ଚଳରେ କାର୍ଯ୍ୟକାରୀ କରିପାରୁଥିବ, ଜଟଣୀର ଥିବା ଦୀର୍ଘଦିନର ମୁଖ୍ୟ ସମସ୍ୟାଗୁଡିକୁ ପୂରଣ କରିବା ଦିଗରେ ଅଗ୍ରାଧତ୍କାର ଭିତ୍ତିରେ କାର୍ଯ୍ୟକାରୀ କରିବାରେ ଚିନ୍ତାଧାରା ଥିବ, ଲୋକଙ୍କ ସୁବିଧା ଅସୁବିଧାରେ ଲୋକଙ୍କ ପାଖରେ ପହଞ୍ଚି ପାରୁଥିବ, ଲୋକଙ୍କ ମତକୁ ସମ୍ମାନ ଦେଉଥିବ ସେଭଳି ଜଣେ ଉଚ୍ଚ ଶିକ୍ଷିତ ସମ୍ପନ୍ନ ବ୍ୟକ୍ତିଙ୍କୁ ଜଟଣୀ ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ମନୋନୟନ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଜୁ କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛନ୍ତି ।