‘ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୩ କୋଟି କ୍ଷୁଦ୍ର ବ୍ୟବସାୟୀ ହେବେ ଲାଭାନ୍ୱିତ

ଭୁବନେଶ୍ୱର ୧୨/୯: କୃଷକଙ୍କ ଜୀବନକୁ ସୁରକ୍ଷିତ କରିବା ଲାଗି ଏକ ବୃହତ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ରାଂଚି ଠାରେ ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ୬୦ ବର୍ଷ ବୟସ ଅତିକ୍ରମ କରିଥିବା ଦେଶର ପ୍ରାୟ ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ମାସିକ ସର୍ବନିମ୍ନ ୩ହଜାର ଟଙ୍କାର ପେନସନ ସୁନିଶ୍ଚିତ କରିବ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ବ୍ୟବସାୟୀ ଓ ଆତ୍ମନିଯୁକ୍ତଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କରିଥିଲେ ।

ଏହି ଯୋଜନା ଜରିଆରେ ୬୦ ବର୍ଷ ଅତିକ୍ରମ କରିଥିବା ବ୍ୟବସାୟୀ ଓ ଆତ୍ମନିଯୁକ୍ତ ଲୋକମାନଙ୍କୁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କାର ସୁନିଶ୍ଚିତ ପେନସନ ମିଳିପାରିବ । ପାଖାଖାପାଖି ୩ କୋଟି କ୍ଷୁଦ୍ର ବ୍ୟବସାୟୀ ଏହି ଯୋଜନା ଦ୍ୱାରା ଲାଭାନ୍ୱିତ ହେବେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଆଶା ଆକାଂକ୍ଷା ପୂରଣ କରିପାରୁଥିବା ଏକ ଦୃଢ଼ ସରକାର ପାଇଁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି ।  “ମୁଁ କହିଥିଲି ଯେ ନୂଆ ସରକାର ଗଠନ ହେବା ପରେ ପ୍ରତ୍ୟେକ କୃଷକ ପରିବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଦ୍ୱାରା ଲାଭାନ୍ୱିତ ହେବେ । ଆଜି, ସାଢ଼େ ୬ କୋଟି କୃଷକ ପରିବାରର ବ୍ୟାଙ୍କ ଆକାଉଂଟରେ ପାଖାପାଖି ୨୧ ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍  ଜମା କରାଯାଇସାରିଛି । ଝାଡ଼ଖଣ୍ଡର ୮ ଲକ୍ଷ କୃଷକ ପରିବାରଙ୍କ ବ୍ୟାଙ୍କ ଆକାଉଂଟରେ ପ୍ରାୟ ୨୫୦ କୋଟି ଟଙ୍କା ଜମା କରାଯାଇଛି ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୋହରାଇଥିଲେ, “ବିକାଶ ଆମର ପ୍ରାଥମିକତା ଓ ପ୍ରତିବଦ୍ଧତା । ପ୍ରତ୍ୟେକ ଭାରତୀୟକୁ ସାମାଜିକ ସୁରକ୍ଷାର ଏକ କବଚ ଦେବା ଲାଗି ଆମ ସରକାର ପ୍ରୟାସ କରୁଛନ୍ତି ।” “ସର୍ବାଧିକ ସହାୟତା ଲୋଡ଼ୁଥିବା ଲୋକଙ୍କ ସହିତ ସରକାର ରହିଛନ୍ତି । ଗତ ମାର୍ଚ୍ଚ ମାସ ପରଠାରୁ ଏପରି ଏକ ପେନସନ ଯୋଜନା ଦେଶର କୋଟି କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ କାର୍ଯ୍ୟକାରୀ ହୋଇଛି ।” “୩୨ ଲକ୍ଷରୁ ଊଦ୍ଧ୍ୱର୍ ଶ୍ରମିକ ଶ୍ରମଯୋଗୀ ମାନଧନ ଯୋଜନାରେ ଯୋଡ଼ି ହୋଇଛନ୍ତି । ୨୨ କୋଟିରୁ ଅଧିକ ଲୋକ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ ହୋଇଛନ୍ତି । ଏଥିମଧ୍ୟରୁ କେବଳ ଝାଡ଼ଖଣ୍ଡରେ ୩୦ ଲକ୍ଷ ହିତାଧିକାରୀ ରହିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ୪୪ ଲକ୍ଷ ଗରିବ ରୋଗୀ ଲାଭାନ୍ୱିତ ହୋଇଛନ୍ତି, ଏମାନଙ୍କ ମଧ୍ୟରୁ ଝାଡ଼ଖଣ୍ଡରେ କେବଳ ତିନି ଲକ୍ଷ ଲୋକ ଅଛନ୍ତି ।”

 ସମସ୍ତଙ୍କୁ ସଶକ୍ତ କରିବା ଲାଗି ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଆଜି ସାରା ଦେଶର ଆଦିବାସୀ ବହୁଳ ଇଲାକା ପାଇଁ ୪୬୨ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଉଦଘାଟନ କରିଥିଲେ । ଏସବୁ ଅଂଚଳରେ ଏହି ବିଦ୍ୟାଳୟଗୁଡ଼ିକ ଜନଜାତି ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପ୍ରଦାନ କରିବେ । “ଏହି ଏକଲବ୍ୟ ବିଦ୍ୟାଳୟଗୁଡ଼ିକ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଶିକ୍ଷାର ମାଧ୍ୟମ ପାଲଟିବେ ନାହିଁ, ବରଂ ସେମାନଙ୍କୁ କ୍ରୀଡ଼ା ଓ ଦକ୍ଷତା ତାଲିମ ସହିତ ସ୍ଥାନୀୟ କଳା ଓ ସଂସ୍କୃତିର ସୁରକ୍ଷା ଦିଗରେ ମଧ୍ୟ ସହାୟକ ହେବେ । ସରକାର ଏସବୁ ବିଦ୍ୟାଳୟରେ ପ୍ରତ୍ୟେକ ଜନଜାତି ପିଲାଙ୍କ ପାଇଁ ବର୍ଷକୁ ୧ କୋଟି ଟଙ୍କା ଖର୍ଚ୍ଚ କରିବେ ।”

 ସାହିବଗଞ୍ଜ ଠାରେ ଏକ ବହୁମୁଖୀ ପରିବହନ ଟର୍ମିନାଲକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ ।  “ଆଜି ମୁଁ ମଧ୍ୟ ସାହିବଗଞ୍ଜ ବହୁମୁଖୀ ଟର୍ମିନାଲ ଉଦଘାଟନ କରିବାର ସୌଭାଗ୍ୟ ପାଇଛି । ଏହା କେବଳ ଆଉ ଏକ ପ୍ରକଳ୍ପ ନୁହେଁ, ବରଂ ଏହା ସମଗ୍ର ଅଂଚଳ ପାଇଁ ପରିବହନର ନୂତନ ବିକଳ୍ପ ପ୍ରଦାନ କରିବ । ଏହି ଜଳମାର୍ଗ ଝାଡ଼ଖଣ୍ଡକୁ ସାରା ଦେଶ ଏବଂ ବିଦେଶ ସହ ଯୋଡ଼ିବ । ଏହି ଟର୍ମିନାଲ ଦ୍ୱାରା ଆମର ଜନଜାତି ଭାଇ ଓ ଭଉଣୀମାନେ, ଏଠାକାର କୃଷକମାନେ ସେମାନଙ୍କ ଉତ୍ପାଦ ସାରା ଦେଶର ବଜାରରେ ବିକ୍ରି କରିବାର ସୁବିଧା ପାଇପାରିବେ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଝାଡ଼ଖଣ୍ଡ ବିଧାନସଭାର ନୂଆ କୋଠାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ ।

ମୋଦି କହିଥିଲେ “ଆଜି, ରାଜ୍ୟ ଗଠନର ପାଖାପାଖି ୨ ଦଶନ୍ଧି ପରେ ଝାଡ଼ଖଣ୍ଡରେ ଗଣତନ୍ତ୍ରର ମନ୍ଦିର ଉଦଘାଟିତ ହୋଇଛି । ଏହି କୋଠା ହେଉଛି ସେହି ପବିତ୍ର ସ୍ଥାନ ଯେଉଁଠି ଝାଡ଼ଖଣ୍ଡର ସୁନେଲି ଭବିଷ୍ୟତର ମୂଳଦୁଆ ପଡ଼ିବ ଏବଂ ରାଜ୍ୟର ବର୍ତମାନ ଓ ଭବିଷ୍ୟତ ପିଢ଼ିଙ୍କ ସ୍ୱପ୍ନ ବାସ୍ତବ ରୂପ ନେବ ।” ପ୍ରଧାନମନ୍ତ୍ରୀ ମଧ୍ୟ ସଚିବାଳୟ ନୂଆ କୋଠା ପାଇଁ ଆଧାରଶୀଳା ରଖିଥିଲେ ।

ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବର୍ଜନ ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । “୧୧ ସେପ୍ଟେମ୍ବର ୨୦୧୯ରେ ସ୍ୱଚ୍ଛତା ହି ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଗତକାଲି ଠାରୁ ସାରା ଦେଶରେ ସ୍ୱଚ୍ଛତା ହି ସେବା ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଅନ୍ତର୍ଗତ ଅକ୍ଟୋବର ୨ ତାରିଖ ସୁଦ୍ଧା ଆମକୁ ଆମ ଘର, ବିଦ୍ୟାଳୟ, କାର୍ଯ୍ୟାଳୟରୁ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ସଂଗ୍ରହ କରିବାକୁ ହେବ । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ, ଅକ୍ଟୋବର ୨ ତାରିଖରେ, ଆମକୁ ପ୍ଲାଷ୍ଟିକ ଆବର୍ଜନା ବର୍ଜନ କରିବାକୁ ହେବ ବୋଲି ମୋଦି କହିଥିଲେ ।

   ସମ୍ବନ୍ଧିତ ଖବର


ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର

ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍