ଭାରତୀୟ ଅର୍ଥନୀତି ଉପରେ କରୋନା ମାଡ: ସୀତାରମଣଙ୍କ ସହ ବିସ୍ତୃତ ଆଲୋଚନା କଲେ ମୋଦି,ଆସିପାରେ ଦ୍ୱିତୀୟ ପ୍ୟାକେଜ୍‌

ନୂଆଦିଲ୍ଲୀ ୧୭/୪: ଭାରତୀୟ ଅର୍ଥନୀତି ଉପରେ କରୋନା ମହାମାରୀ(କୋଭିଡ୍‌-୧୯)ର ପ୍ରଭାବକୁ ଗୁରୁବାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ତ୍ତମାନ ସ୍ଥିତିରେ ସମ୍ଭାବ୍ୟ ଦ୍ୱିତୀୟ ଆର୍ଥିକ ପ୍ୟାକେଜ୍‌ ନେଇ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଆଲୋଚନା କରିଛନ୍ତି । କରୋନା ପ୍ରଭାବିତ କ୍ଷେତ୍ରଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ୟାକେଜ୍‌ ଆଣିବାକୁ ବିଚାର ବିମର୍ଶ ଚାଲିଛି ।

ଦେଶର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରଠାରୁ ଆରମ୍ଭ କରି ବିମାନ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଶିଳ୍ପ କରୋନା ଦ୍ୱାରା ପ୍ରଭାବିତ । ନିୟୁତାଧିକ ଚାକିରି ସଙ୍କଟରେ । ଏଭଳି କ୍ଷେତ୍ରରେ ଏକ ଆର୍ଥିକ ପ୍ୟାକେଜ୍‌ ଉପରେ ପ୍ରଧାନମନ୍ତ୍ରୀ ମୋଦି ଅର୍ଥମନ୍ତ୍ରୀ ସୀତାରମଣଙ୍କ ସହ ଆଲୋଚନା କରିଛନ୍ତି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଚାଲିଛି । ଏଭଳି କ୍ଷେତ୍ରରେ ଅର୍ଥନୀତିର ଅବସ୍ଥାକୁ ଦେଖି ବିଶ୍ୱର ବିଭିନ୍ନ ଆର୍ଥିକ ସଂଗଠନ ଭାରତ ପାଇଁ ସେମାନଙ୍କ ଜିଡିପି ଅନୁମାନକୁ ଖସାଇଥିବା ସମୟରେ ଏ ବୈଠକ ହୋଇଛି । ବୈଠକରେ ଅର୍ଥନୀତିର ସ୍ଥିତିକୁ ନେଇ ବିସ୍ତୃତ ଆଲୋଚନା ହୋଇଛି । ଭବିଷ୍ୟତର ଆହ୍ୱାନଗୁଡିକୁ ସାମ୍ନା କରିବା ପାଇଁ କିପରି ସମ୍ବଳ ଏକତ୍ର କରାଯିବ ତାହା ଉପରେ ବି ଆଲୋଚନା ହୋଇଥିବା ସୂତ୍ରରୁ ଜଣାଯାଇଛି ।
ବିଶ୍ୱ ବ୍ୟାଙ୍କର ସଦ୍ୟ ରିପୋର୍ଟ ଅନୁସାରେ, ଚଳିତ ଆର୍ଥିକବର୍ଷ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୧.୫%ରୁ ୨.୮% ମଧ୍ୟରେ ରହିବ । ସେହିଭଳି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ଅନୁମାନ କରିଛି ଯେ, ୨୦୨୦ରେ ଭାରତୀୟ ଅର୍ଥବ୍ୟବସ୍ଥା ୧.୯% ଅଭିବୃଦ୍ଧି ନେଇ ବଢ଼ିବ । ବିଶ୍ୱ ଅର୍ଥନୀତି ୧୯୩୦ରୁ ସବୁଠାରୁ ବଡ଼ ମାନ୍ଦାବସ୍ଥାର ସାମ୍ନା କରୁଥିବାବେଳେ ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ଆଇଏମ୍‌ଏଫ୍‌ ପ୍ରକାଶ କରିଛି ।

ସୂଚନାଯୋଗ୍ୟ, ଭାରତରେ ଲକ୍‌ଡାଉନ୍‌ ଯୋଗୁ ଏମ୍‌ଏସ୍‌ଏମ୍‌ଇ, ଆତିଥେୟତା, ବେସାମରିକ ବିମାନ ଚଳାଚଳ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ସହ ବିଭିନ୍ନ କ୍ଷେତ୍ର ଭୟଙ୍କର ଭାବେ ପ୍ରଭାବିତ ହୋଇଛି । ଅର୍ଥନୀତିକୁ ଶୀଘ୍ର ସଜାଡିବା ପାଇଁ ସରକାର ଅର୍ଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ କ୍ଷମତାସମ୍ପନ୍ନ କମିଟି ଗଠନ କରିଛନ୍ତି । ବିଭିନ୍ନ କ୍ଷେତ୍ର ପାଇଁ ସହାୟତା ଏବଂ କଲ୍ୟାଣମୂଳକ ପଦକ୍ଷେପ ନେଇ ଏ କମିଟି କାର୍ଯ୍ୟ କରିବ । ଦରିଦ୍ର ଏବଂ ଅସହାୟଙ୍କ ଲାଗି ମଧ୍ୟ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ନେଇ ଏହି କମିଟି ପରାମର୍ଶ ଦେବ ।
ରାଷ୍ଟ୍ରକୁ ଦେଇଥିବା ନିଜ ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ମୋଦି ସାମ୍ପ୍ରତିକ ସ୍ଥିତିରେ ଦରିଦ୍ର‌୍ୟ, ଦିନ ମଜୁରିଆ ଏବଂ ଚାଷୀମାନେ ସାମ୍ନା କରୁଥିବା ଅସୁବିଧାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ କରିବା ପାଇଁ ସରକାର ଯଥା ସମ୍ଭବ ଉଦ୍ୟମ କରିଛନ୍ତି । ନୂଆ ଗାଇଡ୍‌ଲାଇନ୍‌ ତିଆରି କରିବା ସମୟରେ ସେମାନଙ୍କ ସ୍ୱାର୍ଥକୁ ଯଥେଷ୍ଟ ଧ୍ୟାନ ଦିଆଯାଇଥିବା ମୋଦି କହିଛନ୍ତି ।

ସେମାନଙ୍କ ଯନ୍ତ୍ରଣା କମାଇବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧.୭ ଲକ୍ଷ କୋଟିର ପ୍ୟାକେଜ୍‌ ଗତ ମାସ ଘୋଷଣା କରିଥିଲେ । ଏଥିରେ ଗରିବମାନଙ୍କ ନିମନ୍ତେ ୩ ମାସ ପାଇଁ ମାଗଣା ଖାଦ୍ୟଶସ୍ୟ ଏବଂ ରନ୍ଧନ ଗ୍ୟାସ ଅନ୍ତର୍ଭୁକ୍ତ ଥିଲା । ଲକ୍‌ଡାଉନ୍‌ର ପ୍ରଭାବକୁ ଦୃଷ୍ଟିରେ ରଖି ମହିଳା ଏବଂ ଦରିଦ୍ର‌୍ୟ ବରିଷ୍ଠ ନାଗରିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

ଉକ୍ତ ଘୋଷଣା ଅନୁସାରେ ୮୦ କୋଟି ଦରିଦ୍ର‌୍ୟ ରାସନ କାର୍ଡଧାରୀ ଆସନ୍ତା ୩ ମାସ ପାଇଁ ପ୍ରତି ମାସ ୫ କିଲୋ ଗହମ କିମ୍ବା ଚାଉଳ ଓ ୧ କିଲୋ ଡାଲି ମାଗଣା ପାଇବେ । ଜନଧନ ଖାତା ଥିବା ୨୦.୪ କୋଟି ମହିଳା ୩ ମାସରେ ୧୫୦୦ ଟଙ୍କା ପାଇବେ ।୨୦୧୬ରୁ ମାଗଣା ରନ୍ଧନ ଗ୍ୟାସ ସଂଯୋଗ ପାଇଥିବା ୮.୩ କୋଟିରୁ ଊଦ୍ଧ୍ୱର୍ ଗରିବ ମହିଳା ଆସନ୍ତା ୩ ମାସ ପାଇଁ ମାଗଣା ଏଲ୍‌ପିଜି ଗ୍ୟାସ ପାଇବେ । ଦରିଦ୍ର‌୍ୟ ବରିଷ୍ଠ ନାଗରିକ, ବିଧବା ଏବଂ ଭିନ୍ନକ୍ଷମମାନେ ୧୦୦୦ ଟଙ୍କା ନଗଦ ପାଇବେ ।

ସୀତାରମଣ ପ୍ୟାକେଜ୍‌ ଘୋଷଣା କରିବା ବେଳେ କହିଥିଲେ ଯେ, ଆବଶ୍ୟକ ହେଲେ ଆହୁରି ପ୍ୟାକେଜ୍‌ ଦିଆଯିବ । ଉକ୍ତ କ୍ରମରେ ଆଉ ଏକ ପ୍ୟାକେଜ୍‌ ନେଇ ବିଚାର କରାଯାଉଛି ।ସମ୍ବଳ ବଞ୍ଚାଇବା ପାଇଁ ସରକାର ବ୍ୟୟ ଉପରେ କଟକଣା ଲଗାଇଛନ୍ତି । ଅନ୍ୟପକ୍ଷରେ, ପାଣ୍ଠିକୁ କୋଭିଡ-୧୯ ମୁକାବିଲା ପାଇଁ ବ୍ୟୟ କରୁଛନ୍ତି । କେନ୍ଦ୍ର କ୍ୟାବିନେଟ୍‌ ବର୍ଷକ ପାଇଁ ଏମ୍‌ପିମାନଙ୍କ ଦରମାରେ ୩୦% ହ୍ରାସକୁ ମଞ୍ଜୁରି ଦେଇଛି । ସେହିଭଳି ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଏବଂ ରାଜ୍ୟପାଳମାନେ ନିଜ ଇଚ୍ଛାରେ କମ୍‌ ଦରମା ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

   ସମ୍ବନ୍ଧିତ ଖବର


କ୍ରିସ୍‌ ଗେଲଙ୍କ ଛକା ରେକର୍ଡ, ପ୍ରଥମ କ୍ରିକେଟର ଭାବେ ଟି-୨୦ରେ ୧୦୦୦ ଛକା ମାରିଲେ ବସ୍

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

କରୋନା କାଳରେ ଜଗତସିଂହପୁରକୁ ୭୦୮.୩୨ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ଧର୍ମେନ୍ଦ୍ର ପ୍ରଧାନ

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!