କଂଗ୍ରେସରୁ ଇସ୍ତଫା ଦେଲେ ପ୍ରିୟଙ୍କା, ଏବେ ଶିବସେନାରେ ଯୋଗଦେବେ

ନୂଆଦିଲ୍ଲୀ,୧୯।୪: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଦୁଇ ପୃଷ୍ଠାର ଇସ୍ତଫା ପତ୍ର ଗତ ଗୁରୁବାର ରାତିରେ ପଠାଇ ଦେଇଥିଲେ। ଏହା ପରେ ଶୁକ୍ରବାର ସକାଳେ ସେ ନିଜ ଟ୍ବିଟର ଆକାଉଣ୍ଟ ପ୍ରୋଫାଇଲରୁ ‘ରାଷ୍ଟ୍ରୀୟ ମୁଖପାତ୍ର’ ଶବ୍ଦ ହଟାଇ ଦେଇଥିଲେ। ବର୍ତ୍ତମାନ ସେ ଟ୍ବିଟର ପ୍ରୋଫାଇଲରେ ନିଜକୁ ଜଣେ ‘କଲ୍ମନିଷ୍ଟ-ବ୍ଲଗର-ମଦର’ ବୋଲି ଦର୍ଶାଇଛନ୍ତି। କଂଗ୍ରେସ ଛାଡ଼ିବା ପରେ ପ୍ରିୟଙ୍କା ଶିବସେନାରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଏ ନେଇ ଶିବସେନା ପକ୍ଷରୁ ସଞ୍ଜୟ ରାଉତ ସ୍ପଷ୍ଟ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ଏହି ମାମଲାରେ ପ୍ରତିକ୍ରିୟା ଦେଇ କହିଛନ୍ତି ଏହା ପ୍ରିୟଙ୍କା ଏବଂ ଦଳର ଆଭ୍ୟନ୍ତରୀଣ ମାମଲା।

ଉଲ୍ଳେଖନୀୟ ଯେ, ଗତ ୧୭ ତାରିଖରେ ପ୍ରିୟଙ୍କା ଟ୍ବିଟ୍ କରି ଦଳ ପ୍ରତି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଦଳରେ ଗୁଣ୍ଡାମାନଙ୍କୁ ପ୍ରାଥମିକତା ଦିଆଯାଉଥିବା ସେ ଦର୍ଶାଇଥିଲେ।ପ୍ରିୟଙ୍କା ଏଭଳି କହିବାର କାରଣ ହେଉଛି, କିଛିମାସ ତଳେ ସେ ଉତ୍ତରପ୍ରଦେଶର ମଥୁରା ଲୋକସଭା ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ। ସେଠାରେ ତାଙ୍କୁ ଦଳୀୟ କର୍ମୀମାନେ ଦୁର୍ବ୍ୟବହାର କରିଥିଲେ। ପ୍ରିୟଙ୍କା ସେଠାରୁ ଫେରି ପାର୍ଟି ହାଇକମାଣ୍ଡଙ୍କୁ ଜଣାଇଥିଲେ। ଫଳରେ ଦୁର୍ବ୍ୟବହାର କରିଥିବା କର୍ମୀମାନଙ୍କୁ ନିଲମ୍ବିତ କରାଯାଇଥିଲା। ତେବେ କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ କର୍ମୀଙ୍କୁ ନିର୍ବାଚନର ଠିକ୍ ପୂର୍ବରୁ ଦଳକୁ ଫେରାଇ ଅଣାଯାଇଛି। ଯାହାଫଳରେ ପ୍ରିୟଙ୍କା ଅସନ୍ତୋଷ ପ୍ରକାଶ କରିଛନ୍ତି।
I am absolutely overwhelmed and grateful with the love and support I have got across board from the nation in the past 3 days.
— Priyanka Chaturvedi (@priyankac19) April 19, 2019
I consider myself blessed with this immense outpouring of support. Thank you to all who have been a part of this journey. pic.twitter.com/WhUYYlwHLj
ପ୍ରିୟଙ୍କା ମଥୁରାରୁ ଟିକେଟ ହାତେଇବାକୁ ଯୋଜନା କରୁଥିବା ନେଇ ଗୁଜବ ହେବା ପରେ ଦଳୀୟ କର୍ମୀମାନେ ତାଙ୍କୁ ଅସଦ୍ ବ୍ୟବହାର କରିଥିଲେ। ପୁଣି ସେମାନେ ଦଳରେ ମିଶିଥିଲେ। ପୁନର୍ବାର ଏଭଳି ଦୁର୍ବ୍ୟବହାର ନ କରିବାକୁ ସେମାନଙ୍କୁ କୁହାଯାଇଥିଲା। ଏଥିରେ ପ୍ରିୟଙ୍କା ଅସନ୍ତୋଷ ବ୍ୟକ୍ତ କରିବା ସହ ଦଳରେ ଗୁଣ୍ଡାମାନଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ନେଇ ଗତ ବୁଧବାର ଟ୍ବିଟ୍ କରିଥିଲେ। ଏବେ ଦଳରୁ ଇସ୍ତଫା ଦେବାପରେ ପ୍ରିୟଙ୍କା ଆଜି ଟ୍ବିଟ୍ କରି କହିଛନ୍ତି, ‘ଗତ କିଛି ଦିନ ହେବ ଦେଶରେ ସମସ୍ତଙ୍କ ପକ୍ଷରୁ ଯେଉଁ ଭଲ ପାଇବା ଏବଂ ସମର୍ଥନ ମୋତେ ମିଳିଛି ତାକୁ ପାଇ ମୁଁ ଅଭିଭୂତ ଓ କୃତଜ୍ଞ, ମୁଁ ଆପଣଙ୍କୁ ଏହି ସମର୍ଥନ ପାଇଁ ଧନ୍ୟ ମନେକରୁଛି, ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ମୋ ସହ ଏହି ଯାତ୍ରାରେ ସହଯୋଗୀ ହୋଇଥିଲେ।’