ପ୍ରିୟଙ୍କାଙ୍କ କଟାକ୍ଷ- ନିଜ ଲୋକଙ୍କ ପାଇଁ ମୋଦିଙ୍କ ସମୟ ନାହିଁ

ଅଯୋଧ୍ୟା,୨୯ା୩(ଏଜେନ୍ସି): ସରଗରମ ନିର୍ବାଚନୀ ମାହୋଲର ଉଷ୍ମତା ବଢ଼ାଇଦେଇଛି ରାଜନେତାଙ୍କ ଆକ୍ରମଣାତ୍ମକ ଭାଷଣ । ଏହି କ୍ରମରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଆଜି ଅଯୋଧ୍ୟାରେ ଆୟୋଜିତ ଏକ ନିର୍ବାଚନୀ ର୍ୟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜୋରଦାର୍ ବର୍ଷିଛନ୍ତି । ଦୁନିଆସାରା ଲୋକଙ୍କୁ ଆଲିଙ୍ଗନ କରୁଥିବା ମୋଦିଙ୍କ ପାଖେ ନିଜ ଲୋକଙ୍କୁ ଆଲିଙ୍ଗନ କରିବା ପାଇଁ ସମୟ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ବାରାଣସୀରୁ ନିର୍ବାଚନ ଜିତିଥିବା ମୋଦି ନିଜ ସଂସଦୀୟ କ୍ଷେତ୍ରର ଲୋକଙ୍କ ସହ ଦେଖା କରନ୍ତି ନାହିଁ ବୋଲି ସେ କହିଛନ୍ତି । କେବଳ ଏତିକି ନୁହେଁ ନାଟକୀୟ ଶୈଳୀରେ ପ୍ରିୟଙ୍କା ଭୋଟରମାନଙ୍କ ନିକଟରେ ନିଜର ଅଭିଯୋଗ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ‘ନେତାମାନେ ଆପଣଙ୍କ ନିକଟକୁ ଆସିବା ବେଳେ ତାଙ୍କ ମଧ୍ୟରେ ଡର ରହିବା ଆବଶ୍ୟକ, ଆପଣମାନଙ୍କ ମଧ୍ୟରେ ନୁହେଁ’ । ବିଜେପି ସରକାର ଜନତା ବିରୋଧୀ, କୃଷକ ବିରୋଧୀ ଏବଂ ଯୁବ ବିରୋଧୀ ବୋଲି ସେ କହିବା ସହ ଏହି ସରକାର କେବଳ ଉଦ୍ୟୋଗପତିଙ୍କ କଥା ଶୁଣିୁଥାନ୍ତି ବୋଲି ଅଭିଯୋଗ କରିଛନ୍ତି । ବିଜେପି ସରକାରର ନା କାମ କରିବାକୁ ଇଚ୍ଛା ଅଛି ନା ଲୋକଙ୍କ କଥା ଶୁଣିବାକୁ ଇଚ୍ଛା ଅଛି ବୋଲି କହି ପ୍ରିୟଙ୍କା କଟାକ୍ଷ କରିଛନ୍ତି । ବିଜେପି ସରକାର ଅମଳରେ ଆନ୍ଦୋଳନ କରୁଥିବା ବେରୋଜଗାରମାନଙ୍କୁ ମାଡ଼ ମରାଯାଉଛି । ସେହିଭଳି କୃଷକ ଋଣରେ ବୁଡ଼ି ରହିଥିବା ବେଳେ ତାକୁ କୌଣସି ସାହାଯ୍ୟ କରାଯାଉନାହିଁ ବୋଲି ମଧ୍ୟ ପ୍ରିୟଙ୍କା କହିଛନ୍ତି । ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ପ୍ରିୟଙ୍କା କହିଛନ୍ତି ମହିଳାମାନେ ଆଜି ବି ନିଜକୁ ଅସୁରକ୍ଷିତ ମଣୁଛନ୍ତି । ୫ ବର୍ଷ ମଧ୍ୟରେ ମୋଦି ବାରାଣସୀରେ କୌଣସି ବି ଉନ୍ନତି କରିନଥିବା ମଧ୍ୟ ପ୍ରିୟଙ୍କା ଅଭିଯୋଗ କରିଛନ୍ତି । ସଦ୍ୟ କଂଗ୍ରେସ ଦ୍ୱାରା ଘୋଷଣା ହୋଇଥିବା ‘ନ୍ୟାୟ’ ଯୋଜନା ପ୍ରତି ମଧ୍ୟ ପ୍ରିୟଙ୍କା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।