ପ୍ରଥମ ଭାଷଣରେ ମୋଦିଙ୍କୁ ପ୍ରିୟଙ୍କାଙ୍କ ଟାର୍ଗେଟ୍: ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା କାହିଁ ?

source:www.indiatoday.in
କଂଗ୍ରେସ ନେତ୍ରୀ ଭାବେ ନିଜ ପ୍ରଥମ ନିର୍ବାଚନୀ ଭାଷଣରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ଆଜି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ପ୍ରିୟଙ୍କା କହିଛନ୍ତି, ବଡ଼ ବଡ଼ କଥା କହୁଥିବା ଶାସକ ଦଳ ୨୦୧୪ରେ ଅନେକ ପ୍ରତିଶ୍ରୁତି ରଖିଥିଲା । କିନ୍ତୁ କୌଣସି ପ୍ରତିଶ୍ରୁତି ପାଳନ କରାଯାଇ ନାହିଁ । ‘‘ସମସ୍ତଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦେବା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା । ୧୫ ଲକ୍ଷ ଟଙ୍କା ଗଲା କୁଆଡ଼େ? ବର୍ଷକୁ ୨ କୋଟି ଓ ୫ ବର୍ଷରେ ୧୦ କୋଟି ନିଯୁକ୍ତି ଦେବା ପାଇଁ ଦଳ କଥା ଦେଇଥିଲା । ନିଯୁକ୍ତି ଗଲା କୁଆଡ଼େ? ମହିଳାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଯେଉଁ ଭାଷଣବାଜି କରାଯାଇଥିଲା, ତାହା ଗଲା କୁଆଡ଼େ?’’ ଏଭଳି ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରି ପ୍ରିୟଙ୍କା ଆଜି ନିଜ ୧୦ ମିନିଟ୍ର ଭାଷଣରେ ସଭାସ୍ଥଳ ପ୍ରକମ୍ପିତ କରିଥିଲେ । ଧଳା ଓ ନୀଳ ରଙ୍ଗର ଶାଢ଼ି ପିନ୍ଧିଥିବା ପ୍ରିୟଙ୍କା ଆଜି ସଭାସ୍ଥଳରେ ଉପସ୍ଥିତ ଜନତାଙ୍କୁ ମଧ୍ୟ ନର୍ବିାଚନ ବାବଦରେ ଅନେକ କଥା କହଥିେିଲ । ସେ କହଥିେିଲ, ‘‘ଆପଣମାନେ ଦେଶର ଭବିଷ୍ୟତ ଗଢ଼ିବାକୁ ଯାଉଛନ୍ତି । ଆପଣଙ୍କ ହାତରେ ଏବେ ଭୋଟ୍ ଅସ୍ତ୍ର ରହିଛି । ଦେଶର ଉତ୍ତମ ଭବିଷ୍ୟତ ପାଇଁ ସେହି ଅସ୍ତ୍ରକୁ ଠିକ୍ ବାଟରେ ପ୍ରୟୋଗ କରାଯିବା ଆବଶ୍ୟକ । ବର୍ତ୍ତମାନ ଦଳଗୁଡ଼ିକୁ ପ୍ରଶ୍ନ ପଚାରିବା ସମୟ ଆସିଛି । ଯେଉଁ
ଦଳ ପ୍ରତିଶ୍ରୁତି ଦେଇ ତାହାକୁ ପାଳନ କରିନାହିଁ, ସେ ନେଇ ଉକ୍ତ ଦଳକୁ ପ୍ରଶ୍ନ ପଚରାଯିବା ଦରକାର । ଏହାସହ ବର୍ତ୍ତମାନ ଠିକ୍ ନିଷ୍ପତ୍ତି ନେବାର ମଧ୍ୟ ସମୟ ଆସିଛି ।’’ ମୋଦିଙ୍କ ‘ଫିତ୍ରତ୍’ ଉକ୍ତିକୁ ଟାର୍ଗେଟ୍ କରି ପ୍ରିୟଙ୍କା କହିଛନ୍ତି, ଦେଶର ଫିତ୍ରତ୍ (ପ୍ରକୃତି) ହେଉଛି ସତ୍ମାର୍ଗରେ ପରିଚାଳିତ ହେବା ଏବଂ ଘୃଣାଭାବକୁ ପ୍ରେମରେ ରୂପାନ୍ତରିତ କରିବା । କଂଗ୍ରେସ ଏବେ ତାହା କରୁଛି ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ନିଜ ଅହମ୍ମଦାବାଦ ରାଲିରେ ପାକିସ୍ତାନ୍କୁ ଟାର୍ଗେଟ୍ କରି କହିଥିଲେ, ‘ଚୁନ୍ ଚୁନ୍ କେ ହିସାବ୍ ଲେନା ମେରା ଫିତ୍ରତ୍ ହୈ ।’ ବାୟୁସେନାର ବାଲାକୋଟ୍ ଆକ୍ରମଣର କିଛିଦିନ ପରେ ମୋଦି ଏହା କହିଥିଲେ । ପ୍ରିୟଙ୍କା ଗାନ୍ଧି ନିକଟରେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିଲେ । ପୂର୍ବ ଉତ୍ତର ପ୍ରଦେଶରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ସେ ଏଥର ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଜଣାପଡ଼ିଛି ।