ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…

ଜଗତସିଂହପୁର,୩୦/୧୧: ନିର୍ବନ୍ଧ ସତ୍ତେ୍ୱ ନିଜର ପୁରୁଣା ପ୍ରେମକୁ ଭୁଲିବା ସମ୍ଭବପର ହୋଇ ନଥିଲା। ଏଣେ ପରିବାର ଲୋକେ ପୁଅର ପ୍ରେମ ସଂପର୍କ ବିଷୟରେ କାଣିଚାଏ ସୁରାକ୍‌ ପାଇନଥିଲେ। ତେଣୁ ସେମାନେ ନିଜର ରୋଜଗାରିଆ ପୁଅର ବିଭାଘର ବାଲିକୁଦାର ତେନ୍ତୁଳିବେଲାରୀ ଅଞ୍ଚଳରେ ସ୍ଥିର କରି ଦେଇଥିଲେ। ନିର୍ବନ୍ଧ ସାରି ଆସନ୍ତା ୨ ତାରିଖକୁ ବିଭାଘର କରିବାକୁ ପ୍ରସ୍ତୁତି ଚଳାଇଥିଲେ। ଏଣେ ପୁରୁଣା ପ୍ରେମିକା ବାହାଘର ଖବର ପାଇଁ ପ୍ରେମିକ ଉପରେ ଚାପ ପକାଇଥିଲେ । କଥାଟା କୁହୁଳି କୁହୁଳି ପଦାକୁ ଆସିଥିଲା। ଶେଷରେ ମୌନ ରହିଥିବା ପୁଅ ନିଜର ପ୍ରେମ ସଂପର୍କକୁ ପ୍ରକାଶ କରି ନିର୍ବନ୍ଧ ହୋଇଥିବା ଝିଅର ହାତ ଧରିବାକୁ ଅମଙ୍ଗ ହୋଇଥିଲେ। ପୁଅର ଅରାଜି ଏବଂ ପୂର୍ବ ପ୍ରେମ ସଂପର୍କ କଥା ଶୁଣି ଆଜି ପରିବାର ଲୋକେ ଅକଳରେ ପଡ଼ି ଯାଇଥିଲେ । ଏକଥାଟି ବି ଉଡ଼ି ଉଡ଼ି ତେନ୍ତୁଳିବେଲାରୀ ଅଞ୍ଚଳରେ ବି ପହଞ୍ଚି ଯାଇଥିଲା । ମୂଳରୁ ବିଶୃଙ୍ଖଳାର ଗନ୍ଧ ବାରି କନ୍ୟା ଘର ଲୋକେ ପୁଅ ଘରେ ହାଜର ହୋଇ ଯାଇଥିଲେ । ପରେ ଉଭୟ ପକ୍ଷଙ୍କ ଭିତରେ ଆପୋସ ଆଲୋଚନା କରାଯାଇ ନିଷ୍ପତ୍ତି ମୁତାବକ ନିର୍ବନ୍ଧ ସମୟରେ ମିଳିଥିବା ଜିନିଷ ପତ୍ରକୁ କନ୍ୟା ଘର ଲୋକଙ୍କୁ ଫେରାଇ ଦେଇଥିଲେ ବର ଘର ପକ୍ଷ ।

ଘଟଣାଟି ଘଟିଛି ଜଗତସିଂଂହପୁର ଥାନା ଅଧୀନ କାଠିଆପଡ଼ା ଗ୍ରାମ ଅଞ୍ଚଳରେ। ହଠାତ୍‌ ତେନ୍ତୁଳିବେଲାରୀ ଅଞ୍ଚଳରୁ କନ୍ୟା ଘର ଲୋକଙ୍କ ଭିଡ଼ ଏଠାରେ ବଢ଼ିବା ପରେ ପୂରା କଥାଟା ପଦାକୁ ଆସିଥିଲା। ଶେଷରେ ପୋକପୁର ମାତା ମଠ ପରିସରରେ ପୁଅ ଓ କନ୍ୟା ଘର ଲୋକଙ୍କ ସମେତ କିଛି ଭଦ୍ର ଲୋକ ବସି ମିମାଂସା କରି ଦେଇଥିଲେ ।

ଖବର ମୁତାବକ, ଦୀର୍ଘ ବର୍ଷ ତଳୁ କାଠିଆପଡ଼ା ଅଞ୍ଚଳରେ ଘର ତୋଳି ରହୁଛନ୍ତି ଯୁବକଙ୍କ ପରିବାର। ନିକଟରେ ଏହି ପରିବାର ନିଜ ପୁଅଙ୍କ ବିଭାଘର ତେନ୍ତଳିବେଲାରୀ ଅଞ୍ଚଳରେ ସ୍ଥିର କରି ନିମନ୍ତ୍ରଣ ପତ୍ର ଛାପି ଦେଇଥିଲେ। ୨ ତାରିଖ ବିଭାଘର ସ୍ଥିର ହୋଇଥିବାରୁ ନିମନ୍ତ୍ରଣ ପତ୍ର ବଣ୍ଟା ଆରମ୍ଭ ହୋଇଯାଇଥିଲା । ତେବେ ପୁଅ ନିର୍ବନ୍ଧ ସମୟରେ ନିଜର ପୁରୁଣା ପ୍ରେମିକା ରହିଥିବା ନେଇ କାହାକୁ ଆଭାସ ଦେଇ ନଥିଲେ । ସେଦୃଷ୍ଟିରୁ ସୁରୁଖୁରୁରେ ପୁଅର ନିର୍ବନ୍ଧ ସାରି ଘର ଲୋକେ ଖୁସି ହୋଇଯାଇଥିଲେ । କିନ୍ତୁ ପ୍ରେମିକା ଧୈର୍ଯ୍ୟ ଧରିବା ଅବସ୍ଥାରେ ନଥିଲା । ସମ୍ଭବତଃ ପ୍ରେମିକା ଚାପରେ ୨ ତାରିଖ ବିବାହ ପୂର୍ବରୁ କାଠିଆପଡ଼ା ଅଞ୍ଚଳର ଏହି ଯୁବକ ନିର୍ବନ୍ଧ ଭାଙ୍ଗି ଦେବାକୁ ଚିନ୍ତା କରିଥିଲେ ଏବଂ ବିଗତ ଦିନର ପ୍ରେମ କାହାଣୀ ସଂପର୍କରେ ଘର ଲୋକଙ୍କୁ ଜଣାଇବାକୁ ବାଧ୍ୟ ହୋଇଥିଲେ । ଯେଉଁଥିପାଇଁ ଆଜି ନିଜ ସମ୍ମାନକୁ ଜଗି ପୁଅ ଘର ଲୋକେ ନିର୍ବନ୍ଧ ସମୟରେ ମିଳିଥିବା ସମସ୍ତ ଜିନିଷ ପତ୍ରକୁ କନ୍ୟା ଘର ଲୋକଙ୍କୁ ହସ୍ତାନ୍ତର କରି ଦେଇଥିଲେ ।