ପୁନେରେ ୫୧ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ବିକଶିତ- ପ୍ରଥମ ସେରୋ ସର୍ଭେରୁ ମିଳିଲା ତଥ୍ୟ

ପୁନେ- ପୁନେର ୫୧ ପ୍ରତିଶତ ଲୋକଙ୍କ ମଧ୍ୟରେ ବିକଶିତ ହୋଇଛି କୋରନା ପ୍ରତିରୋଧକ ଶକ୍ତି । ପୁନେରେ କରାଯାଇଥିବା ପ୍ରଥମ ସେରେ ସର୍ଭେରୁ ଏହା ସ୍ଫଷ୍ଟ ହୋଇଛି । ପୁନେର କରୋନା ସଂକ୍ରମିତ ଓ୍ୱାର୍ଡମାନଙ୍କରେ ଏହି ସର୍ବେକ୍ଷଣ କରାଯାଇଥିଲା । ଏଥିରେ ପୁନେର କସ୍‌ବା ସୋମରାପେଟରେ ୩୬.୧ ପ୍ରତିଶତ ଲୋକଙ୍କ ମଧ୍ୟରେ କରୋନା ପ୍ରତିରୋଧକ ଶକ୍ତି ବିକଶିତ ହୋଇଥିବା ବେଳେ ଲୋହିୟା ନଗରରରେ ୬୫.୪ ପ୍ରତିଶତ ଲୋକଙ୍କ ଶରୀରରେ କୋଭିଡ ଆଣ୍ଟିବଡି ବିକଶିତ ହୋଇଛି । ପୁନେର ଡିଭିଜିନାଲ୍‌ କମିଶନର ସୌରଭ ରାଓ ଏହି ସୂଚନା ଦେଇଛନ୍ତି । ପୁନେର ଅଧିକରୁ ଅଧିକ ଲୋକଙ୍କର ସେରୋ ସର୍ଭେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏବେ ପୁନେରେ ୫୦ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଥିବା କଥା ଏହି ସର୍ବେକ୍ଷଣରୁ ସୂଚନା ମିଳିଛି ।

ପୁନେକୁ ମହାରାଷ୍ଟ୍ରର ସାଂସ୍କୃତିକ ସହର ସହ ଶିକ୍ଷା କେନ୍ଦ୍ର କୁହାଯାଏ । ଏବେ ପୁନେରେ ସେରୋ ସର୍ଭେ କରାଯାଉଛି । ଭବିଷ୍ୟତରେ ଏହାକୁ ଆହୁରି ବ୍ୟାପକ କରାଯିବ । ପୁନେସ୍ଥିତ ଆଇଜର୍‌ ସହ ସାବିତ୍ରୀ ବାଇ ପୁନେ ଫୁଲେ ସଂସ୍ଥାନ ଏବଂ ଟ୍ରାନସ୍‌ଲେଟିଓନାଲ୍‌ ହେଲ୍ଥ ଆଣ୍ଡ ସାଇନ୍ସ ଟେକ୍ନୋଲଜି ଇନଷ୍ଟିଟ୍ୟୁଟ୍‌ ଦ୍ୱାରା ଏହି ସର୍ବେକ୍ଷଣ କରାଯାଇଥିଲା । ପାଞ୍ଚଟି ଓ୍ୱାର୍ଡରେ ଏହି ପରୀକ୍ଷଣ କରାଯାଇଛି । ଏଥିରେ ୧୬୬୪ ଜଣଙ୍କର ରକ୍ତ ନମୁନା ପରୀକ୍ଷଣ କରାଯାଇଥିଲା।

ଏଥିରେ ୪୩.୯ ପ୍ରତିଶତ ସଂକ୍ରମିତ ହୋଇ ସୁସ୍ଥ ହୋଇ ସାରିଥିବା ସୂଚନା ମିଳଛି । ସବୁ ବର୍ଗର ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି । ପରିଷ୍କାର ପରିଚ୍ଛନ୍ନକୁ ଗୁରୁତ୍ୱ ଦେଉଥିବା ବ୍ୟକ୍ତି କମ୍‌ ସଂକ୍ରମିତ ହୋଇଥିବା ବେଳେ ଅନ୍ୟମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇଛନ୍ତି ।