କର୍ପୋରେଟର ଆଶାୟୀଙ୍କ ମୁଣ୍ଡରେ ‘ଚାନ୍ଦା ଚଡ଼କ’: ଲକ୍ଷେରୁ ୫ ଲକ୍ଷ ପର୍ଯ୍ୟନ୍ତ ଡିମାଣ୍ଡ କରୁଛନ୍ତି କମିଟି

ଭୁବନେଶ୍ୱର,୧୫ା୯(ବ୍ୟୁରୋ): ଗଣେଶ ପୂଜାରୁ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଆଗକୁ ଦଶହରା, କାଳୀପୂଜା, ଲକ୍ଷ୍ମୀପୂଜା…. । ଏଇ ପୂଜା ପାଇଁ ପୂର୍ବତନ କର୍ପୋରେଟର ଓ ଆଶାୟୀଙ୍କ ମୁଣ୍ଡରେ ଏବେ ଚାନ୍ଦା ଚଡ଼କ ପଡ଼ିଛି । ମୁଣ୍ଡ ବିନ୍ଧାଇଲାଣି ପୂଜା କମିଟିର ଡିମାଣ୍ଡ । କିଏ ୫୦ ହଜାର ମାଗୁଛି ତ ଆଉ କିଏ ୫ ଲକ୍ଷ । କମିଟି କଥା ମାନିଲେ ମଲେ ନ ମାନିଲେ ବି ମଲେ । ଏମିତିରେ ବିଚରା କୁଜି ନେତାଙ୍କ ଅବସ୍ଥା ଘାଇଲା ।

ରାଜଧାନୀରେ ୬୭ଟି ୱାର୍ଡ । ୧୭୦ରୁ ଅଧିକ ଜାଗାରେ ଦୁର୍ଗା ପୂଜା ହେଉଛି । ଏଥିମଧ୍ୟରୁ ବଡ଼ ପୂଜା ମଣ୍ଡପ ସଂଖ୍ୟା ୫୫ । ମଧ୍ୟମ ଧରଣର ପୂଜା ମଣ୍ଡପ ସଂଖ୍ୟା ୬୨ । ବେଳକୁ ବେଳ ରାଜଧାନୀରେ ଦୁର୍ଗା ପୂଜା ମଣ୍ଡପ ବଜେଟ୍‌ ବଢ଼ି ଚାଲିଛି । ଆଖି ଝଲସା ଆକାଶଛୁଆଁ ତୋରଣକୁ ଝିଲ୍‌ମିଲ୍‌ ସାଜସଜ୍ଜା । ଏଥିପାଇଁ ଆବଶ୍ୟକ ଖର୍ଚ୍ଚକୁ ଭରଣା କରିବା ପାଇଁ ମୋଟା ଅଙ୍କର ଚାନ୍ଦା ଦରକାର । ଏଥର ପୁଲିସ ଜୋରଜବରଦସ୍ତି ଚାନ୍ଦା ଆଦାୟ ରୋକିବାକୁ କଡ଼ା ନଜର ରଖିଛି । ତେଣୁ ପୂଜା କମିଟିଗୁଡ଼ିକ କିଛି ନିର୍ଦ୍ଧିଷ୍ଟ ପ୍ରଭାବଶାଳୀଙ୍କ ଉପରେ ବଡ଼ ଚାନ୍ଦା ଦାୟିତ୍ୱ ଲଦି ଦେଇଛନ୍ତି । ଆଗକୁ ପୌର ନିର୍ବାଚନ ଥିବାରୁ ପୂଜା କମିଟିର ଇଜି ଟାର୍ଗେଟରେ ଅଛନ୍ତି କର୍ପୋରେଟର ଆଶାୟୀମାନେ । ପୁରୁଣା, ନୂଆ କାହାରିକୁ ଛାଡ଼ୁନାହାନ୍ତି । ଏବେଠୁ କହିସାରିଲେଣି… ଏତିକି ଦେଇଦେବ । ପୂଜା କମିଟିର ଡିମାଣ୍ଡ ଶୁଣି ଅନେକଙ୍କ ହୋସ୍‌ ଉଡ଼ିଗଲାଣି ।

ବିଜେଡିର ଜଣେ ପ୍ରଭାବଶାଳୀ ପୂର୍ବତନ କର୍ପୋରେଟରଙ୍କ କହିବାନୁଯାୟୀ ଗଣେଶ ପୂଜାରୁ ଚାନ୍ଦା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଗଣେଶ ପୂଜାବେଳେ ପ୍ରାୟ ୬୦ଟି ଜାଗାରୁ ନିମନ୍ତ୍ରଣ ଆସିଥିଲା । ରାଜନୀତିରେ ଆଗକୁ ଯିବାକୁ ଲକ୍ଷ୍ୟ ଅଛି । ତେଣୁ ନିମନ୍ତ୍ରଣ ରକ୍ଷା କରି ସବୁ ଜାଗାକୁ ଯାଇଥିଲି । ଅଧିକାଂଶ ଜାଗାରେ କିଛି ନା କିଛି ଚାନ୍ଦା ଦେବାକୁ ପଡ଼ିଛି । ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତିକୁ ମୁଣ୍ଡିଆ ମାରିଲେ କ୍ଲବ ପିଲାଙ୍କୁ ୧ହଜାର ଟଙ୍କା ଦେବାକୁ ପଡୁଛି । ମଞ୍ଚକୁ ଉଠିଲେ ୩ ହଜାର ନଚେତ୍‌ ୫ ହଜାର । ଏଭଳି ଭାବେ ଏଥର ଗଣେଶ ପୂଜାରେ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଯାଇଛି । ଦୁର୍ଗା ପୂଜାରେ ବେଶି ଜାଗାରେ ଚାନ୍ଦା ଦେବାକୁ ପଡ଼ିବନି । ମାତ୍ର ଯେଉଁଠି ଦେବୁ, ମୋଟା ଅଙ୍କର ଚାନ୍ଦା ଦେବୁ । ଗୋଟିଏ ପୂଜା କମିଟି ସହ ବହୁ ବର୍ଷରୁ ଜଡ଼ିତ । ଏ ବର୍ଷ ୫ ଲକ୍ଷରୁ ଅଧିକ ଚାନ୍ଦା ଦେବାକୁ କମିଟି ଡିମାଣ୍ଡ କରିଛି । ଏହାବାଦ୍‌ ଆଉ କିଛି ଜାଗାରେ ବି ଚାନ୍ଦା ଦେବାକୁ ହେବ ।

ଦୁଇ ଦୁଇ ଥର କର୍ପୋରେଟର ହୋଇଥିବା ଅନ୍ୟ ଜଣେ ଯୁବ ନେତାଙ୍କ ଅବସ୍ଥା ବି ସମାନ । ତାଙ୍କ କହିବାନୁଯାୟୀ ଗଣେଶ ପୂଜାରେ ପୂରା ପକେଟ୍‌ ଖାଲି ହୋଇଛି । ଏବେ ଗଳିକନ୍ଦିରେ ସବୁଠି ପୂଜା । ହଜାରେ, ୨ ହଜାର କରି ପ୍ରାୟ ୫୦ରୁ ୬୦ ହଜାର ଟଙ୍କା ଗଲା ଗଣେଶ ପୂଜାରେ । ପୁଣି ଦୁର୍ଗାପୂଜା ଆସିଲାଣି । ଆମ କମିଟି ମୋତେ ଦେଢ଼ ଲକ୍ଷ ଟଙ୍କାର ଟାର୍ଗେଟ ଦେଇଛି । ଯେମିତି ହେଉ ଦେବାକୁ ପଡ଼ିବ ।

ବିଜେପି ଛାଡ଼ି ନୂଆ କରି ବିଜେଡିରେ ଯୋଗ ଦେଇଥିବା ଜଣେ କର୍ପୋରେଟର ଆଶାୟୀଙ୍କ କହିବା କଥା ହେଲା, ଆମେ ଏଯାଏଁ ପଦପଦବୀ ପାଇନୁ, ତେଣୁ ବଡ଼ ନେତାଙ୍କ ଭଳି ଲୋକେ ଆମଠୁ ବେଶି ଡିମାଣ୍ଡ କରୁନାହାନ୍ତି । ତଥାପି ଗଣେଶ ପୂଜାରେ ୪୦ ହଜାର ଟଙ୍କା ଖର୍ଚ୍ଚ ହେଲା । ଏବେ ଦୁର୍ଗା ପୂଜା ପାଇଁ ନିଜ କମିଟିରେ ୨୦ ହଜାର ଟଙ୍କା ଚାନ୍ଦା ପଡ଼ିଛି ।

ମେୟର ପଦବୀ ପାଇଁ ଆଶାୟୀ ଥିବା କିଛି ଯୁବ ନେତାଙ୍କ ଅବସ୍ଥା ପୂରା ଘାଇଲା । ସବୁ ୱାର୍ଡରୁ ସେମାନଙ୍କୁ ନିମନ୍ତ୍ରଣ ଆସିଛି ଚାନ୍ଦା ପାଇଁ । କଥା କେବଳ ସେତିକିରେ ସରିଯାଇନି, ନେତାମାନଙ୍କ ପାଖେ ପାଖେ ଦିନ ରାତି ଘୁରି ବୁଲୁଥିବା ସମର୍ଥକଙ୍କ ଡିମାଣ୍ଡ ବି ପ୍ରବଳ । କିଏ କହୁଛି ନୂଆ ଡ୍ରେସ୍‌ କରିବି ତ ଆଉ କିଏ ସିଧା କ୍ୟାସ୍‌ ଡିମାଣ୍ଡ କରୁଛିି ।

ଜଣେ ପୂର୍ବତନ କର୍ପୋରେଟରଙ୍କ କହିବା କଥା ହେଲା, ଆଗରୁ ସ୍ଥିତି ଭିନ୍ନ ଥିଲା । ହାତରୁ ବିଶେଷ ବାଜୁନଥିଲା । ୱାର୍ଡରେ ଯେତେ ସବୁ କାମ ହେଉଥିଲା, ସବୁ କଣ୍ଟ୍ରାକ୍ଟର ପିସି ଦେଉଥିଲେ । ପିସିରେ ଚାନ୍ଦା ଓ ପିଲାଙ୍କ ଡିମାଣ୍ଡ ପୂରଣ ହୋଇ ନିଜ ଖର୍ଚ୍ଚ ବି ଚଳିଯାଉଥିଲା । ଏବେ ତ କର୍ପୋରେଟର ପଦବୀ ନାହିଁ । ଆମକୁ କିଏ ପଚାରେ? ହେଲେ ରାଜନୀତି କରୁଛୁ, ଲୋକେ କ’ଣ ଆମ ଦୁଃଖ ବୁଝିବେ?

   ସମ୍ବନ୍ଧିତ ଖବର


‘ଦାଦାବଟିକୁ ନା’ ଅଭିଯାନ: ଦାଦାବଟି ମାଗି ବନ୍ଧା ହେଲେ ୬ ସାମ୍ବାଦିକ, ୩୧ ହଜାର ଟଙ୍କା ଜବତ

ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି

ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା

ବାଇକ୍ ଆ​ରୋହୀ ଉପରେ ଚଢ଼ିଗଲା ୧୮ ଚକିଆ ଟ୍ରକ, ଯୁବକ ମୃତ

୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଗିରଫ