ପ୍ରଧାନମନ୍ତ୍ରୀଙ୍କୁ କଏଦୀଙ୍କ ଚିଠି: ସୀମାରେ ଯାଇ ଶତ୍ରୁପକ୍ଷ ସହ ଲଢିବାକୁ ପ୍ରସ୍ତୁତ

ପାଟନା,୧୯।୨: ପୁଲଓ୍ବାମା ଆକ୍ରମଣ ଘଟଣାର ପ୍ରଭାବ ଏବେ ଚାରିଆଡେ ଦେଖିବାକୁ ମିଳିଛି। ଦେଶବାସୀ ଆତଙ୍କବାଦ ଓ ଏହାକୁ ପ୍ରଶୟ ଦେଉଥିବା ଦେଶ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଏଭଳି କିଛି ପ୍ରଭାବ ଦେଖିବାକୁ ମିଳିଛି ବିହାରର ଗୋପାଳଗଞ୍ଜ ଉପ-ମଣ୍ଡଳ ଜେଲର କଏଦୀଙ୍କ ନିକଟରେ। ଜେଲ ଅଧିକାରୀଙ୍କ କହିବା ଅନୁସାରେ ପୁଲଓ୍ବାମା ଆକ୍ରମଣ ଘଟଣା ପରେ ସମସ୍ତ କଏଦୀ ଶହୀଦଙ୍କ ପରିବାର ସମର୍ଥନରେ କିଛି ବି କରିବାକୁ ପ୍ରସ୍ତୁତ। ୨୫୦ରୁ ଅଧିକ କଏଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ଲେଖା ଯାଇଛି ‘ ଯଦି ଯୁଦ୍ଧ ହୁଏ ତେବେ ଆମେ ସୀମାରେ ଶତ୍ରୁପକ୍ଷ ସହ ଲଢିବାକୁ ପ୍ରସ୍ତୁତ। ଯଦି ଆମେ ଲଢି ମରିଯାଉଛୁ ତେବେ ନିଜକୁ ଭାଗ୍ୟଶାଳୀ ମନେକରିବୁ ଆମକୁ ଶହୀଦ କୁହାଯିବ। ଆମେ ଯଦି ଜୀବିତ ଫେରୁ ତେବେ ପ୍ରଶାସନକୁ କୌଣସି ଅସୁବିଧାରେ ନପକାଇ ଜେଲକୁ ଫେରିଆସିବୁ।’ଜେଲ ସୁପରିଟେଣ୍ଡେଣ୍ଟଙ୍କ କହିବା ଅନୁସାରେ, କଏଦୀମାନେ ବାହାରକୁ ଯିବାର ଏଭଳି ଯଦିଓ କିଛି ନିୟମ ନାହିଁ କିନ୍ତୁ ତାଙ୍କର ବ୍ୟବହାର ଓ ଦୃଷ୍ଟିକୋଣରେ ସୁଧାର ହୋଇଛି।

କେବଳ ସେତିକି ନୁହେଁ ଜେଲର କର୍ମଚାରୀ ଓ କଏଦୀ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଗତ ସପ୍ତାହରେ ହୋଇଥିବା ଆତ୍ମଘାତୀ ବୋମା ବିସ୍ଫୋରଣରେ ମୃତ ସିଆରପିଏଫ୍ ଯବାନଙ୍କ ପରିବାର ପାଇଁ ଆର୍ମି ରିଲିଫ୍ ଫଣ୍ଡ(ଏଆରଏଫ୍)କୁ ୫୦,୦୦୦ ଟଙ୍କା ଦାନ ଦେଇଛନ୍ତି। ଜେଲ ଅଧିକାରୀଙ୍କ କହିବା ଅନୁସାରେ ଗତ ସୋମବାର ମଧ୍ୟାହ୍ନରେ ଏହି ଟଙ୍କା ପଠାଇ ଦିଆଯାଇଛି। ଏହି ଉପ-ମଣ୍ଡଳ କାରାଗାରରେ ୩୦ ଜଣ ମହିଳା କଏଦୀଙ୍କ ସହିତ ମୋଟ ୭୫୦ ଜଣ କଏଦୀ ଅଛନ୍ତି।