ଆମେରିକାରେ ଭାରତୀୟ ଆଥଲେଟ୍ ଗିରଫ: ପତ୍ନୀ ଓ ମା’କୁ ହତ୍ୟା ପରେ ପୁଅକୁ ଫୋନ୍ କରି କହିଲେ…

ଓ୍ବାଶିଂଟନ୍,୨୬।୮: ଭାରତ ପାଇଁ ଏସିଆନ୍ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ଜିତିଥିବା ପୂର୍ବତନ ଆଥଲେଟ୍ ଇକବାଲ ସିଂ  ହତ୍ୟା ମାମଲାରେ ଗିରଫ। ସେ ନିଜ ମା’ ଏବଂ ପତ୍ନୀଙ୍କୁ ହତ୍ୟା କରିଥିଲେ। ପୋଲିସ ତାଙ୍କୁ ଆମେରିକାରୁ ଗିରଫ କରିଛି। ‘ଦ ଫିଲାଡେଲଫିୟା ଇକ୍ବାଭାୟରର’ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ପେନସିଲଭାନିୟାର ଡେଲଭାରେ କାଉଣ୍ଟିରେ ରହୁଥିବା ୬୨ ବର୍ଷୀୟ ଇକବାଲ ସିଂ ରବିବାର ସକାଳେ ପୋଲିସ ଫୋନ୍ କରି ନିଜର ଅପରାଧ ସ୍ବୀକାର କରିଥିଲେ।

ରିପୋର୍ଟରେ କୁହାଯାଇଛି ଯେ, ପୋଲିସ ଯେତେବେଳେ ନ୍ୟୁଟାଉନ୍ ଟାଉନସିପରେ ଇକବାଲଙ୍କ ଘରେ ପହଁଞ୍ଚିଥିଲା ସେତେବେଳେ ଦେଖିବାକୁ ପାଇଥିଲେ ନିଜେ ଘର ଭିତରେ ଦୁଇ ଜଣ ମହିଳାଙ୍କ ମୃତଦେହ ପଡିରହିଛି ଓ ନିଜେ ଇକବାଲ ସିଂ ମଧ୍ୟ ରକ୍ତ ଜୁଡୁବୁଡୁ ହୋଇ ଆହତ ଅବସ୍ଥାରେ ଥିଲେ। ଇକବାଲଙ୍କ ଉପରେ ସୋମବାର ହତ୍ୟା ମାମଲା ରୁଜୁ କରାଯାଇ ତାକୁ ଏବେ ଗିରଫ କରି ରଖାଯାଇଛି। ଅଭିଯୁକ୍ତର ପ୍ରକୃତି ଦେଖି ତାଙ୍କୁ ଜାମିନ୍ ମିଳିନାହିଁ,ତେବେ ସେ ମଧ୍ୟ ନିଜର ପକ୍ଷ ରଖିବାକୁ କୌଣସି ଓକିଲଙ୍କୁ ନିୟୋଜିତ କରିନାହାନ୍ତି।

ଇକବାଲ ହେଉଛନ୍ତି ଜଣେ ସଟ୍ ପୁଟ୍ ଆଥଲେଟ୍, ସେ ୧୯୮୩ରେ କୁଏତରେ ଏସିଆଡ ଆଥଲେଟିକ୍ସ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ଜିତିଥିଲେ। ତାହା ତାଙ୍କ ଖେଳ କ୍ୟାରିୟରର ସବୁଠାରୁ ବଡ ଉପଲବ୍ଧି ଥିଲା। ଏହାପରେ ସେ ଯାଇ ଆମେରିକାରେ ରହିଥିଲେ। ରିପୋର୍ଟ ଅନୁସାରେ, ସେଠାରେ ସେ ଟ୍ୟାକ୍ସି କ୍ୟାବ୍ ଡ୍ରାଇଭର ଭାବରେ କାମ କରୁଥିଲେ।