୧୪ ଦିନରେ ଓଡ଼ିଶାର ପୁରୀ ଓ କଟକ ଜିଲ୍ଲା ‘କରୋନା’ କେସ୍‌ ଚିହ୍ନଟ୍ ହୋଇନାହିଁ : ଲବ୍‌ ଅଗ୍ରୱାଲ

ନୂଆଦିଲ୍ଲୀ ୧୯/୪ : ଦେଶରେ କରୋନା ଭାଇରସ୍‌ (କୋଭିଡ-୧୯) ସଂକ୍ରମଣ ଓ ମୃତ୍ୟୁ ଘଟଣା ବଢ଼ୁଥିବା ବେଳେ ଶନିବାର ଏକ ଭଲ ଖବର ସାମ୍ନାକୁ ଆସିଛି । ୨୩ଟି ରାଜ୍ୟର ୪୫ଟି ସଂକ୍ରମିତ ଜିଲ୍ଲାରେ ଗତ ୧୪ ଦିନ ହେଲା କୌଣସି ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି । ଏହି ଜିଲ୍ଲା ମଧ୍ୟରେ ଓଡ଼ିଶାର ପୁରୀ ଓ କଟକ ଜିଲ୍ଲା ରହିଛି । ସେହିଭଳି ୨ଟି ରାଜ୍ୟର ଦୁଇଟି ଜିଲ୍ଲା ପୁଡୁଚେରୀର ମାହେ ଏବଂ କର୍ଣ୍ଣାଟକର କୋଡାଗୁରେ ଗତ ୨୮ ଦିନ ହେଲାଣି ଗୋଟିଏ ହେଲେ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ । ଅନ୍ୟପଟେ ୩ଟି ଜିଲ୍ଲାରେ ନୂଆକରି ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହି ଜିଲ୍ଲାଗୁଡ଼ିକ ହେଲା ପାଟନା (ବିହାର), ନଦିଆ (ପଶ୍ଚିମବଙ୍ଗ) ଏବଂ ପାନିପତ (ହରିଆଣା) । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଲକ୍‌ଡାଉନ ଲାଗୁ କରାଯିବା, ସାମାଜିକ ଦୂରତା ବଜାୟ ରଖିବା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ଫଳରେ କେତେକ ସଂକ୍ରମିତ ଜିଲ୍ଲାରେ ନୂଆ ରୋଗ ସଂକ୍ରମଣ ଘଟିନାହିଁ । ଏହି ସଫଳତା ଆମ ସମସ୍ତଙ୍କର । ଏଭଳି ଭାବେ ଯଦି ଆମେ ସମସ୍ତେ କାର୍ଯ୍ୟ କରିବା ତେବେ ଆଗାମୀ ଦିନରେ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏଭଳି ସକାରାତ୍ମକ ଫଳ ମିଳିବ । ଯଦି ଲୋକମାନେ ଲକ୍‌ଡାଉନ୍‌ ଆଇନକୁ ମାନି ନଥାନ୍ତେ କିମ୍ବା ସାମାଜିକ ଦୂରତା ବଜାୟ ରଖି ନଥାନ୍ତେ ତେବେ ପରିସ୍ଥିତି ଭିନ୍ନ ହୋଇଥାନ୍ତା । ପୂର୍ବରୁ ୨୨ଟି ଜିଲ୍ଲାରେ ୧୪ ଦିନ ଭିତରେ ମଧ୍ୟ ଗୋଟିଏ ହେଲେ ସଂକ୍ରମଣ ମାମଲା ସାମ୍ନାକୁ ଆସି ନଥିଲା ।

ଦେଶରେ ନୂଆ ସଂକ୍ରମଣ ସମ୍ପର୍କରେ ସୂଚନା ଦେଇ ଅଗ୍ରୱାଲ କହିଛନ୍ତି, ଗତ ୨୪ ଘଣ୍ଟା ଭିତରେ ଦେଶରେ ୯୯୧ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା ବେଳେ ୪୨ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧୪,୭୯୨ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୪୮୮ରେ ପହଞ୍ଚିଛି । ୧୧,୯୦୬ ଜଣ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଅନ୍ୟପକ୍ଷରେ ୨୦୧୫ ଜଣ ଚିକିତ୍ସା ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଯାହାକି ମୋଟ ସଂକ୍ରମଣର ୧୩.୮୫ ଧ ।

ଅଗ୍ରୱାଲ କହିଛନ୍ତି ଯେ ଦେଶରେ ଘଟିଥିବା ୧୪,୩୭୮ ସଂକ୍ରମଣ ମାମଲାରୁ ୨୯ ପ୍ରତିଶତ ଅର୍ଥାତ ୪,୨୯୧ଟିରେ ଜମାତ୍‌ ଲିଙ୍କ ରହିଛି । ଜମାତ ସହ ସମ୍ପୃକ୍ତ ବ୍ୟକ୍ତିମାନେ ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସଂକ୍ରମଣ ଘଟଣା ବଢ଼ାଇଛନ୍ତି । ଜମାତ ଲିଙ୍କ୍‌ରେ ଆସାମରେ ୯୧% ମାମଲା ସାମ୍ନାକୁ ଆସିଥିଲା ବେଳେ ତାମିଲନାଡୁରେ ୮୪, ଦିଲ୍ଲୀରେ ୬୩, ତେଲଙ୍ଗାନାରେ ୭୯, ଉତ୍ତରପ୍ରଦେଶରେ ୫୯, ଆନ୍ଧ୍ରରେ ୬୧ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ୮୩ ଧ ସଂକ୍ରମଣ ମାମଲା ଆସିଛି । ଜମାତ୍‌ ଲିଙ୍କ୍‌ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୪୦ ହଜାର ବ୍ୟକ୍ତି କ୍ୱାରେଣ୍ଟାଇନରେ ଅଛନ୍ତି ।

ସେହିଭଳି ଭାରତରେ କରୋନାଜନିତ ମୃତ୍ୟୁହାର ବର୍ତ୍ତମାନ ୩.୩ % ଥିବା ସେ କହିଛନ୍ତି । ବୟସ ଦୃଷ୍ଟିରୁ ଦେଖିଲେ ୦-୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁହାର ୧୪.୪ % ଥିଲା ବେଳେ ୪୫ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁହାର ୧୦.୩ %, ୬୦ରୁ ୭୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁହାର ୩୩.୧ ଏବଂ ୭୫ ବର୍ଷରୁ ଊଦ୍ଧ୍ୱର୍ ବୟସର ବ୍ୟକ୍ତିଙ୍କ ମୃତ୍ୟୁହାର ୪୨.୨ ଧ ରହିଛି । ୮୩ ଧ ମାମଲାର ଲିଙ୍କ୍‌ ମୃତବ୍ୟକ୍ତିଙ୍କ ସହ ରହିଛି । କୋଭିଡ-୧୯ ରୋଗୀଙ୍କ ଭଳି ଅଣ କରୋନା ରୋଗୀଙ୍କୁ ସମାନ ଭାବେ ଚିକିତ୍ସା ଯୋଗାଇଦେବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସବୁ ହସ୍ପିଟାଲକୁ ଅନୁରୋଧ କରିଛନ୍ତି ।

ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ମନ୍ତ୍ରୀଗୋଷ୍ଠୀ ବୈଠକରେ ଦେଶରେ କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ବିଶେଷ କରି ମେ ୩ ତାରିଖରେ ଲକ୍‌ଡାଉନ ଉଠିବା ପରେ କିଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବ ତାହା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଟୁଇଟ୍‌ କରି ରାଜନାଥ କହିଛନ୍ତି ଯେ ଲୋକମାନେ ସମ୍ମୁଖୀନ ହୋଇଥିବା ବହୁ ଦୁଃଖକଷ୍ଟକୁ କିଭଳି ଲାଘବ କରାଯିବ ଓ ପ୍ରଭାବିତ ଲୋକମାନଙ୍କ ନିକଟରେ ରିଲିଫ ସାମଗ୍ରୀ ପହଞ୍ଚାଇବାରେ ବିଭିନ୍ନ ମନ୍ତ୍ରଣାଳୟର ଭୂମିକା ଉପରେ ଆଲୋଚନା ହୋଇଥିଲା । ଲକ୍‌ଡାଉନ ବେଳେ କିଛି କ୍ଷେତ୍ରକୁ ରିହାତି ପ୍ରଦାନ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ନେଇଥିବା ପଦକ୍ଷେପ ବେଶ୍‌ ପ୍ରଶଂସନୀୟ । ଲକ୍‌ଡାଉନ କାର୍ଯ୍ୟକାରୀ ହେବା ପରେ ଏହା ଥିଲା ମନ୍ତ୍ରୀଗୋଷ୍ଠୀର ୫ମ ବୈଠକ ।

ବୈଠକରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର, ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, ରେଳମନ୍ତ୍ରୀ ପିୟୁଷ ଗୋୟଲ, ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ, ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗିରିରାଜ ସିଂହ ଏବଂ ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ପ୍ରମୁଖ ଯୋଗଦେଇଥିଲେ ।

   ସମ୍ବନ୍ଧିତ ଖବର


ବେଣୁଙ୍କ ବିଧାନସଭା ସ୍ୱପ୍ନ ସାକାର ପାଇଁ ରିକ୍ସାରେ ପ୍ରଚାର କଲେ ରାଣୀ ପଣ୍ଡା

ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ