PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ରାତି ପାହିଲେ ଭଉଁରୀ ଉତ୍ସବ: ନାହାକା ଚକ-ଅଖ ପ୍ରସ୍ତୁତ, ଓରା କାମ ଆରମ୍ଭ; ଗୁଜୁରାଟରୁ ଆସିଲା କନା

ପୁରୀ: ମହାପ୍ରଭୁଙ୍କ ଭଉଁରୀ ଉତ୍ସବ ପାଇଁ ରଥ ନିର୍ମାଣକାରୀଙ୍କୁ ଫୁରସତ୍‌ ନାହିଁ । ଦିନକ ପୂର୍ବରୁ ରଥ ଖଳାରେ ପ୍ରସ୍ତୁତ ହୋଇ ରହିଛି ନାହାକା ଚକ-ଅଖ । ପରମ୍ପରା ଅନୁସାରେ ରଥର ଦୁଇଟି ଲେଖାଏଁ ଚକ ସହ ଅଖ ଗୁରୁବାର ଭଉଁରୀ ତିଥିରେ ସଂଯୁକ୍ତ ହେବ । ମଙ୍ଗଳବାର ରଥର ଓରା କାମ ଆରମ୍ଭ ହୋଇଛି । ଓରା ରଥ ପ୍ରଥମ ଭୂଇଁରେ ସ୍ଥାପନ ହୋଇଥାଏ । ଦେବଦଳନ ରଥର ୨ଟି ୧୨ ଫୁଟିଆ ଓରା(ଧଉରା କାଠ)ରେ ବିନ୍ଧ ଖୋଦେଇ ହେଉଛି । ଆଜି ୧୭୯ ନିର୍ମାଣକାରୀ ସ୍କ୍ରିନିଂ ପରେ କାମରେ ଯୋଗ ଦେଇଥିଲେ । ଏବେ କିଛି ଦିନ ହେଲା ଖଳାରେ ଆଉ କେହି କରୋନା ଆକ୍ରାନ୍ତ ହୋଇ ନଥିବା ବେଳେ ରଥ କାର୍ଯ୍ୟ ଯଥାବିଧି ଆଗେଇ ଚାଲିଥିବା ରଥଖଳାରେ କାର୍ଯ୍ୟ ଅନୁଧ୍ୟାନ କରି କହିଛନ୍ତିି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିଛି ରଥ କନା । ଗୁଜୁରାଟ୍‌ରୁ ଆସିଛି ଏହି କନା । ଚଳିତ ବର୍ଷ ନାଲି କନା ବରାଦ ହୋଇଥିଲା । ରଥ ମଣ୍ଡଣୀ କରାଯାଏ ହଳଦିଆ, କଳା, ନାଲି ଓ ସବୁଜ ରଙ୍ଗର କନାରେ । ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ନାଲି ଓ ସବୁଜ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ନାଲି, କଳା କନା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ନାଲି ଓ ହଳଦିଆ କନା ବ୍ୟବହାର କରାଯାଏ । ଗତ ବର୍ଷରୁ କନା ଗଛିତ ଥିବାରୁ ଆବଶ୍ୟକ ଥିବା ନାଲି କନା ହିଁ କେବଳ ପହଞ୍ଚିଥିବା ସୂଚନା ରହିଛି । ପାରମ୍ପରିକ ଦର୍ଜି ସେବକମାନେ ଏଥିରେ ଜରିଜମ୍ବୁରା ଲଗାଇ କନାମଣ୍ଡଣୀ କାର୍ଯ୍ୟ କରି ରଥ ସୌନ୍ଦର୍ଯ୍ୟକରଣ କରିବେ । ଏହା ରଥ ନିର୍ମାଣର ଶେଷ ପର୍ଯ୍ୟାୟ କାର୍ଯ୍ୟ । 

 ମୁଖ୍ୟତଃ ରଥଖଳାରେ ଚକ ଓ ଅଖ ନିର୍ମାଣ କାର୍ଯ୍ୟ ଚାଲିଛି । ଭୋଇ ସେବକମାନେ ଯନ୍ତାଗାଡ଼ରେ ତୁମ୍ବରେ ଅର ସଂଯୁକ୍ତ କରି ସିଙ୍ଗଡ଼ା ପ୍ରସ୍ତୁତ କରୁଛନ୍ତି । ରଥଖଳାରେ ସିଙ୍ଗଡ଼ା ପହଞ୍ଚିଲା ପରେ ପଇ ଲାଗି ହେଉଛି । ପରେ ବିଲେଇ ବାଡ଼ିଆ ପଦ୍ଧତିରେ ଚକ ପ୍ରସ୍ତୁତ ହେଉଛି । ଚକରେ ପନ୍ଦାରି ଓ ବଳା ଲାଗୁଛି । ବିଶ୍ୱକର୍ମାମାନେ କାଠ ଗଡ଼ର ଉଭୟ ଅଂଶରେ ବାରିସି ଚଳାଇ ଗୋଲେଇ କରି କାଟି ଅଖ ତିଆରୁଛନ୍ତି । ନାହାକା ଅଖ ପରେ ଅନ୍ୟ ଅଖର କାମ ଆରମ୍ଭ ହୋଇଛି । ତିନି ରଥ ପାଇଁ ୨୧ଟି ଅଖ ଓ ୪୨ଚକ ତିଆରି ହେଉଛି । ଗୁଜରେ ସିଂହବିରାଳ ଖୋଦେଇ ସାରୁଛନ୍ତି ରୂପକାର । ତୀଖଗୁଜ, ଜଳଯନ୍ତ୍ର ଓ କୁଡ଼ୁକା କାର୍ଯ୍ୟ ଜୋରସୋରରେ ଆଗେଇଛି । 

ଦୋଳବେଦି ପରିସରରେ ହୋଇଥିବା ଅସ୍ଥାୟୀ କମାର ଶାଳରେ ରଥ ପାଇଁ ଲୁହା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି କମାର ସେବକ । ବରାଦ ହୋଇଥିବା କଞ୍ଚା ଓ ଶୁଖିଲା କାଠ ସବୁ ବଡ଼ଦାଣ୍ଡ ରଥଖଳାରେ ପହଞ୍ଚିଯାଇଛି । କଟକ ଖପୁରିଆସ୍ଥିତ କରତକଳରୁ ଚକ ପାଇଁ ଦରକାର ପଇ ଓ ଅର କଟା ହୋଇ ସନ୍ଧ୍ୟାରେ ରଥଖଳାରେ ପହଞ୍ଚିଛି । ଭଉଁରୀ ଉତ୍ସବକୁ ଚାହିଁ କାମ ଠିକ୍‌ ସରିଥିବା ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ରହିଛି ।