ରଥ ନିର୍ମାଣ ପାଇଁ ଚାଳି ତିଆରି ଆରମ୍ଭ, ସରକାରୀସ୍ତରରେ ଚାଲିଛି ବିଚାର ବିମର୍ଶ

ପୁରୀ,୧୬/୪: କରୋନା ମହାମାରୀ ସମୟରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଏବେ ଚିନ୍ତା । ରଥଯାତ୍ରାକୁ ଆଉ ପ୍ରାୟ ଦୁଇ ମାସ ଥିଲା ବେଳେ ବିଧିବିଧାନ ଅନୁସାରେ ପ୍ରସ୍ତୁତି ଆଗେଇ ଚାଲିଛି । ତେବେ ଘୋଷଯାତ୍ରା ନେଇ ସରକାରୀସ୍ତରରେ ବିଚାର ବିମର୍ଶ ଚାଲିଛି । କରୋନା ସଂକଟକୁ ନେଇ କିଭଳି ମହାପ୍ରଭୁଙ୍କ ଏ ପ୍ରସିଦ୍ଧ ପର୍ବକୁ ପାଳନ କରାଯିବ ତା’ର ତର୍ଜମା ମଧ୍ୟ ଚାଲିଛି । ଖୁବ୍‌ଶୀଘ୍ର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା ।

ଚଳିତ ୨୬ ତାରିଖ ରବିବାର ପବିତ୍ର ଅକ୍ଷୟ ତୃତୀୟା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ଓ ଚନ୍ଦନଯାତ୍ରାର ଶୁଭାରମ୍ଭ । ଏଣୁ ଯଥାବିଧି ପ୍ରସ୍ତୁତି ପର୍ବ ଆଗେଇ ଚାଲିଛି । ରାଜାନହର ସମ୍ମୁଖରେ ରଥ ଚାଳି ପ୍ରସ୍ତୁତି ହେଉଛି । ବୁଧବାର ଅପରାହ୍ନରେ ଲୁହା ପାଇପ୍‌ ବଡ଼ଦାଣ୍ଡରେ ପୋତି ଚାଳି ତିଆରି କାର୍ଯ୍ୟ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ତିନୋଟି ବଖରା ଅଧିକ କରାଯିବ ବୋଲି ସୂଚନା ରହିଛି ।

ମହାମାରୀ ‘କରେନା’ର ଭୟାଭୟତା ଚଳିତ ବର୍ଷ ରଥଯାତ୍ରାକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି । ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ରଥଯାତ୍ରା ନେଇ ସ୍ଥିର ନିଷ୍ପତ୍ତି ହୋଇନାହିଁ । କିନ୍ତୁ ରଥ ନିର୍ମାଣ ପ୍ରସ୍ତୁତି ଜାରି ରହିଥିବା କହିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ । ବଡ଼ଦାଣ୍ଡ ରଥଖଳାରେ ନିର୍ମାଣ ହେବ ତିନି ରଥ । ଏଣୁ ଆଜି ଚାଳି ନିର୍ମାଣ ଆରମ୍ଭ ହୋଇଛି । ଚଳିତ ବର୍ଷ ରଥ ଚାଳିରେ ୩ଟି ବଖରା ଅଧିକ ହେବ ବୋଲି ଭୋଇ ସର୍ଦ୍ଦାର ରବି ଭୋଇ ସୂଚନା ଦେଇଛନ୍ତି । ବିଶ୍ୱକର୍ମା, ରୁପକାର ଓ କରତୀସେବକ ଭୋଇ ସେବକମାନଙ୍କ ସହଯୋଗରେ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବେ ।

ବରିଷ୍ଠ ତତ୍ତ୍ୱାବଧାରକ ଶ୍ରୀ ମେକାପ କୁହନ୍ତି ପ୍ରତି ବର୍ଷ ତିନି ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ହୋଇଥାଏ । ପୂର୍ବ ବର୍ଷ ଠାରୁ ୧୯୩ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗଛିତ ରହିଥିଲା । ଚଳିତ ବର୍ଷ ଆଉ ୬୭୨ ଖଣ୍ଡ କାଠର ଅବଶ୍ୟକତା ରହିଛି । ଆଜି ସୁଦ୍ଧା ବଡ଼ଦାଣ୍ଡରେ ୨୨୪ ଖଣ୍ଡ ରଥ କାଠ ପହଞ୍ଚି ଯାଇଛି । ୬ଦଫାରେ ଏହି କାଠ ପହଞ୍ଚିଛି । ବାକି ଆବଶ୍ୟକ କାଠ ଖୁବ୍‌ ଶୀଘ୍ର ପହଞ୍ଚିବ । ସେପଟେ କଟକ ଖପୁରିଆ ସ୍ଥିତ କରତ କଳରେ କାଠ ଚିରଟ ହୋଇ ବଡ଼ଦାଣ୍ଡରେ ପହଞ୍ଚିବା ପରେ ରଥ ନିର୍ମାଣ ଶୁଭାରମ୍ଭ ହେବ ।

   ସମ୍ବନ୍ଧିତ ଖବର


ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର

ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…