ଏମାର ମଠ ଗୁପ୍ତ ଖମାର ଭାଙ୍ଗିଲା; ଗୁପ୍ତଧନ କେଉଁଠି?

ପୁରୀ, ୨୯ା୮(ବ୍ୟୁରୋ): ଏମାର ମଠର ବିପଦସଙ୍କୁଳ କୋଠା ଉଚ୍ଛେଦ ଚାଲିଛି । ପଛପଟୁ ଭଙ୍ଗା ଆରମ୍ଭ ହୋଇଛି । ପଛପଟେ ଲୋକେ ରହୁଥିବା ୫ଟି ଘର ଓ ଅବ୍ୟବହୃତ ୧୦ଟି ଘର ଭଙ୍ଗାଯାଇଛି । ଆଉ ୨ ଦିନ ଉଚ୍ଛେଦ ଚାଲିବ ।

ଉଚ୍ଛେଦ ଅଭିଯାନର ଦ୍ୱିତୀୟ ଦିନରେ ମଠର ଖମାର (ଖାଦ୍ୟଶସ୍ୟ ଘର)ଘର ଭଙ୍ଗା ଚର୍ଚ୍ଚାର ବିଷୟ ପାଲଟିଥିଲା । ମାଟିମଣ୍ଡପ ସାହି ଦିଗରେ ମଠ ପରିସରରେ ରହିଛି ୬ଟି ଖମାର ଘର । ପୁରାତନ ଖାଦ୍ୟ ଶସ୍ୟଭଣ୍ଡାର ନିର୍ମାଣ ଶୈଳୀରେ ନିର୍ମିତ ଏହି ଖମାରଗୁଡିକ ତିନି ତାଲା ବିଶିଷ୍ଟ । ଧାଡିରେ ରହିଥିବା ତିନି ମହଲା ବିଶିଷ୍ଟ ଛଅଟି ଖମାର ଘର ମଧ୍ୟରୁ ୩ଟିକୁ ଗୁରୁବାର ଦିନ ଭଙ୍ଗା ଯାଇଛି । ଏହା ଭଙ୍ଗ।। ବେଳେ ଭୂତଳ ରାସ୍ତା ନେଇ ଚର୍ଚ୍ଚା ଉଠିଥିଲା । ଉପସ୍ଥିତ କର୍ମଚାରୀ କିଛି ବାଟ ଏହି ରାସ୍ତାରେ ଯିବା ପରେ ଚାରିଆଡ଼ ଅନ୍ଧାର ଥିଲା । ଚେମେଣି ଫଡଫଡ କରୁଥିଲେ । ଅନ୍ଧାରୁଆ ଘରର ମନରେ ଶଙ୍କା ଆଣୁଥିଲା । ସାଙ୍ଗରେ ସ୍ନେକହେଲପ ଲାଇନ୍‌ ସଦସ୍ୟ ଥିଲେ ମଧ୍ୟ କେହି ଭିତରକୁ ଯିବାକୁ ସାହସ କରିନଥିଲେ ।

ପୂର୍ବରୁ ଏହି ଖମାର ଘରଗୁଡ଼ିକ ବିପଦସଙ୍କୁଳ ଘୋଷଣା କରାଯାଇଥିଲା । ଉଚ୍ଛେଦ ବେଳେ ଖମାର ଘରଗୁଡ଼ିକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା । ପ୍ରତ୍ୟେକ ଖମାର ଘରରେ ରହିଛି ଦୁଇଟି ଜଳାକବାଟି (ପୁରୁଣା ଖିଡ଼ିକି ଶୈଳୀରେ ନିର୍ମିତ) ରାସ୍ତା । ଖମାର ଘର ତଳେ ଗୋଟିଏ ଏବଂ ଉପରେ ଗୋଟିଏ ଜଳାକବାଟି ରହିଛି । ଏଥିମଧ୍ୟରୁ ଗୋଟିଏ ଖମାର ଘର ତଳ ମହଲାରେ ମହାପ୍ରଭୁଙ୍କ ଅକାଣ୍ଡିଆ ଚାଉଳ ପ୍ରସ୍ତୁତ ହେଉଥିଲା । ଉପର ଥାକରେ ଧାନ ଆଉ ଚାଉଳ ଷ୍ଟକ୍‌ ରଖାଯାଉଥିଲା । ଅନ୍ୟ ତିନି ଖମାର ଘରେ ମଠର ଖାଦ୍ୟ ଶସ୍ୟ ଗଚ୍ଛିତ ରଖାଯାଉଥିବାର ସୂଚନା ମିଳିଛି ।

ଏହି ଖମାରର ଖାଦ୍ୟକୁ ଓଡ଼ିଶା ନଅଙ୍କ ଦୁର୍ଭିକ୍ଷ ବେଳେ ଛଅ ମାସ ଧରି ମହନ୍ତ ଯୋଗାଇଥିଲେ । ତେଣୁ ଏହା ଅଧିକ ପରିମାଣର ଶସ୍ୟ ଧାରଣ କରୁଥିବା କ୍ଷମତା ରଖୁଥିବା ଅନୁମାନ କରାଯାଉଛି । ଏଶୁ ଏହା ଅଧିକ ତଳକୁ ଲମ୍ବିଥିବା ଅନୁମାନ କରାଯାଉଛି ।

ଦୀର୍ଘ ବର୍ଷ ଧରି ଏହି ପ୍ରକୋଷ୍ଠଗୁଡିକ ଗୁପ୍ତ କୋଠରିର ଭ୍ରମ ସୃଷ୍ଟି କରିଥିଲା । ମଠ ମହନ୍ତ ଉଚ୍ଛେଦ ନୋଟିସ ନେବାରେ ଅସହଯୋଗ କରିବାକୁ ତାଙ୍କ ସହ ପ୍ରଶାସନ ଆଲୋଚନା କରୁଛି । ଆଜି ବି ମଠ ମହନ୍ତ ତାଙ୍କର ପ୍ରକୋଷ୍ଠ ଛାଡିନାହାନ୍ତି । ବାହାରେ ବୁଲଡୋଜର ଭାଙ୍ଗୁଛି ହେଲେ,ନିଜ ପ୍ରକୋଷ୍ଠରୁ ମହନ୍ତ ବାହାରୁନାହାନ୍ତି । ସେହିଅଂଶ ଭଙ୍ଗା ବେଳେ ପୁଣି କିଛି ଗୁପ୍ତଧନ ମିଳିପାରେ ବୋଲି ଲୋକେ ଆଲୋଚନା କରୁଛନ୍ତି । ତେବେ ଗୁପ୍ତଧନ ସୁରକ୍ଷିତ ଅଛି କି ନା ତାହା ବି ପ୍ରଶ୍ନବାଚୀ ପାଲଟିଛି । ଏହି ମଠରୁ ଭୂତଳ ରାସ୍ତାରେ ଅନ୍ୟ ଆଡ଼କୁ ଯାଇହେଉଥିଲା ବୋଲି ପୁରୁଖା ଲୋକେ ଆଲୋଚନା କରୁଥିଲେ ।

ଉଚ୍ଛେଦ ପରିପ୍ରେକ୍ଷୀରେ ଏମାର ମଠକୁ ପୁଲିସ କର୍ଡନ କରିରଖିଛି । ମଠ ମହନ୍ତଙ୍କ ପ୍ରକୋଷ୍ଠ ଏବଂ ମଠ ପୂଜାଘର, ଠାକୁର ଘରକୁ ଆଜି ଭଙ୍ଗା ଯାଇନାହିଁ । ଜିଲ୍ଲାପାଳ ବଲୱନ୍ତ ସିଂହ, ଏସ୍‌ପି ଉମାଶଙ୍କର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଠ ଭଙ୍ଗା ଚାଲିଛି । ୧୬ ପ୍ଳାଟୁନ୍‌ ସଶସ୍ତ୍ର ପୁଲିସ ମଠ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । କାକୁଡ଼ିଖାଇ ଛକ, ଦକ୍ଷିଣ ଦ୍ୱାର, କଂସାରୀ ପଟି, ଖଜା ପଟି ରାସ୍ତାକୁ ବ୍ୟାରିକେଡିଂ କରାଯାଇଛି । ସିଂହଦ୍ୱାର ତିନି ଦିଗକୁ ସୁରକ୍ଷା ଦୃଷ୍ଟିରୁ ବ୍ୟାରିକେଡ୍‌ କରାଯାଇଛି । ଲୋକଙ୍କୁ ଏହା ଭିତରକୁ ଛଡ଼ା ଯାଉନାହିଁ । ଦର୍ଶନାର୍ଥୀ ବଡଦାଣ୍ଡରୁ ନୋ ପାର୍କିଂ ଜୋନ ବ୍ୟାରିକେଡ୍‌ ଦେଇ ଶ୍ରୀମନ୍ଦିର ସିଂହଦ୍ୱାରରେ ଦର୍ଶନ ପାଇଁ ପ୍ରବେଶ କରୁଛନ୍ତି ।

ଏମାର ମଠ ଉଚ୍ଛେଦ ନୋଟିସକୁ ମଠ ମହନ୍ତ ଗ୍ରହଣ କରିନଥିଲେ । ନୋଟିସକୁ ମଠ କବାଟରେ ଲଟକାଇ ଦିଆଯାଇଥିଲା । ଏଥିରୁ ଆଭାସ ମିଳିଥିଲା ମଠ ମହନ୍ତ ଅସହଯୋଗ କରୁଛନ୍ତି । ଆଜି ରାତିରେ ଜିଲ୍ଲାପାଳ ଆଉ ଏସ୍‌ପି ଉଭୟେ ମଠକୁ ଯାଇ ମହାନ୍ତଙ୍କ ସହ ଆଲୋଚନା କରିଥିଲେ । ମହନ୍ତଙ୍କ ଅ।।ସ୍ଥାନ, ପୂଜାସ୍ଥାନ, ମଠ ଭିତର ମନ୍ଦିର, ଦେବାଦେବୀ, ସନ୍ଥ ସ୍ୱାମୀ ରାମାନୁଜଙ୍କ ଧାତୁ ପ୍ରତିମା, ପଥର ପ୍ରତିମାକୁ ଉଚ୍ଛେଦ କରାଯିବ ନାହିଁ ବୋଲି ପ୍ରଶାସନ ଆଲୋଚନା ବେଳେ ପ୍ରତିଶ୍ରୁତି ଦେଇଥିଲେ । ତା ବ୍ୟତୀତ ମହନ୍ତଙ୍କ ବିକଳ୍ପ ଆସ୍ଥାନ ସମେତ ଭଲମନ୍ଦ ପ୍ରଶାସନ ବୁଝିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଶାସନର ପ୍ରତିଶ୍ରୁତି ପରେ ଏମାର ମହନ୍ତ ମହନ୍ତ ବିପଦସଂକୁଳ ଏମାର ମଠ ଉଚ୍ଛେଦରେ ସହଯୋଗ କରିବେ ବୋଲି ଅନୁକୂଳ ପ୍ରତିକ୍ରିୟା ଦେଇଥିବାର ଖବର ମିଳିଛି । ମଠ ମହନ୍ତ ହଟିବା ପରେ ମଠର ବିପଦ ସଂକୁଳ କୋଠାଗୁଡିକୁ କେବଳ ପ୍ରଶାସନ ଭାଙ୍ଗିବ ବୋଲି ମହନ୍ତଙ୍କୁ ପ୍ରତିଶ୍ରୁତି ଦେବା ପରେ ମହନ୍ତ ପ୍ରଶାସନକୁ ସହଯୋଗ କରିବାକୁ ସହମତି ପ୍ରକାଶ କରିଥିବାର ଜଣାପଡ଼ିଛି । ଶ୍ରୀମନ୍ଦିର ପାଖ ଏକ ସ୍ଥାନରେ ବର୍ତ୍ତମାନ ପାଇଁ ମହନ୍ତଙ୍କ ବିକଳ୍ପ ଆବାସ ବ୍ୟବସ୍ଥା କରାଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି ।


ଗୁପ୍ତଧନ କେଉଁଠି?
ଏମାର ମଠରେ ପ୍ରବଳ ଧନସମ୍ପତ୍ତି ରହିଥିବା ନେଇ କିମ୍ବଦନ୍ତୀ ରହିଛି । ମଠର ଗୁପ୍ତ କୋଠରିରେ ଏହି ଧନସମ୍ପତ୍ତି ଲୁଚାର ରଖାଯାଇଥିବା ସମ୍ପର୍କରେ ବି ଚର୍ଚ୍ଚା ହୋଇଥାଏ । ରାଜ୍ୟରେ ନଅଙ୍କ ଦୁର୍ଭିକ୍ଷ ପରେ ଏହି ମଠର ମହନ୍ତ ସହାୟତା ପ୍ରଦାନ କରିଥିଲେ । ପୁରୀ ଓ ପୁରୀ ବାହାରେ ଥିବା ଅନ୍ୟ ମଠ ଓ ମନ୍ଦିରର ବିକାଶ ପାଇଁ ଏମାର ମଠ ସହାୟତା ଦେଇଥିବା ପୁରୁଖା ଲୋକମାନେ କୁହନ୍ତି । ସେଥିପାଇଁ ଧନୀ ମଠ ଭାବେ ଏମାର ମଠର ବେଶ୍‌ ପରିଚୟ ରହିଛି । ୨୦୧୧ରେ ମଠରୁ ରୁପା ଇଟା ବାହାରିବା ପରେ ଏଠାରେ ଆହୁରି ଅମାପ ଧନସମ୍ପତ୍ତି ଲୁଚା ଯାଇଥିବା ନେଇ ଆଲୋଚନା ହୋଇଥିଲା । ଯାହା ଏବେ ବି ବଳବତ୍ତର ରହିଛି ।
ଗୁରୁବାର ମଠ ଭଙ୍ଗାବେଳେ ଗୁପ୍ତ କୋଠରି ଦେଇ ଭୂତଳ ରାସ୍ତା ଥିବାର ଚର୍ଚ୍ଚା ଚାଲିଥିଲା । ଏହିମଠରେ ପୂର୍ବରୁ ବହୁ ସୁନା, ରୁପା ସହ ବହୁମୂଲ୍ୟ ପଥରମାନ ଥିଲା । ମଠର ଠାକୁର ରଘୁନାଥଙ୍କୁ ବିପୁଳ ପରିମାଣର ସୁନା ଅଳଙ୍କାର ପିନ୍ଧାଯାଉଥିଲା । ଖାଦ୍ୟଶସ୍ୟ ସହ ବହୁ ଅଳଙ୍କାର ଏଭଳି ଘରମାନଙ୍କରେ ଲୁଚାଇ ରଖାଯାଉଥିବା ଚର୍ଚ୍ଚା ହେଉଛି । ଏହି ଭୂତଳ ରାସ୍ତାଗୁଡ଼ିକ ବିଭିନ୍ନ ପ୍ରକୋଷ୍ଠକୁ ସଂଯୋଗ କରୁଥିଲା । ଏଠାକାର ପୁରୁଣା କୂଅରେ ମଧ୍ୟ ଧନ ଲୁଚାଇ ରଖାଯାଉଥିଲା । କୂଅ ପୁନରୁଦ୍ଧାର ହୋଇନାହିଁ ।

କାକୁଡ଼ିଖାଇ ମନ୍ଦିର ପଛ ପଟେ ଏମାର ମଠର ବହୁଚର୍ଚ୍ଚିତ ରୁପା ଇଟା ପ୍ରକୋଷ୍ଠ ରହିଥିଲା । ୨୦୧୧ରେ ମହନ୍ତ ରହୁଥିବା ଘର ପାଖରୁ ୫୨୨ ଖଣ୍ଡ ରୁପାଇଟା ମିଳିଥିଲା । ସେହିପାଖରେ ୪ଟି ଘର ଭଙ୍ଗାଯାଇନାହିଁ । ମଠ ମହନ୍ତଙ୍କୁ ଅନ୍ୟତ୍ର ବିକଳ୍ପ ଆବାସ ଯୋଗାଇବାକୁ ପ୍ରଶାସନ ପ୍ରସ୍ତୁତି କରିଛି । ମହନ୍ତ ମଠ ଆସ୍ଥାନ ଛାଡିବା ପରେ ମଠର ସେହି କୋଠରିଗୁଡିକୁ ଭଙ୍ଗାଯିବ ବୋଲି ପ୍ରଶାସନ କହିଛି । ଏଠାରୁ ରୁପା ଇଟା ମିଳିବା ପରେ ଗଚ୍ଛିତ ସୁନା ନେଇ ଅଧିକ ତଦନ୍ତ ହୋଇନଥିଲା । ତେଣୁ କୌଣସି ଗୁପ୍ତ କୋଠରିରେ ସୁନା ରଖାଯାଇପାରେ ବୋଲି ଆଲୋଚନା ଚାଲିଛି ।

   ସମ୍ବନ୍ଧିତ ଖବର


ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଗୌରବ ଆଣିଲେ କନ୍ଧମାଳର ସନ୍ଧ୍ୟାରାଣୀ: ଛୁଞ୍ଚି ମୁନରେ ୬୬, ୧୫୮ କାରୁକାର୍ଯ୍ୟ କରି ଗିନିଜ୍ ବୁକରେ କଲେ ରେକର୍ଡ

ଏଥର ସିଲଭର୍ ସିଟିରେ ଅଲୋଡା ପଡ଼ିବ ଚେଚିସ୍ ‌! ଟ୍ରଲି, ଡାଲା ଅଟୋରେ ମା’ଙ୍କୁ ଦିଆଯିବ ମେଲାଣି

ବିବାଦରେ ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ରଖିଥିଲେ ଦଳୀୟ ଚିହ୍ନ ଓ ନେତାଙ୍କ ଫଟୋ….

ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର

ଖଣି ଇଷ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କରୋନା