ଅଦାଲତ ଅବମାନନା ମାମଲା; ହାଜର ହେଲେ ଶ୍ରୀମନ୍ଦିର ରାଜସ୍ୱ ପ୍ରଶାସକ

କଟକ,୩୦ା୪(ବ୍ୟୁରୋ): ଅଦାଲତଙ୍କ ଆଦେଶ ଉଲ୍ଲଂଘନ କରି ହରଡ଼ଘଣାରେ ପଡ଼ିଛନ୍ତି ପୁରୀର ତତ୍କାଳୀନ ଉପଜିଲ୍ଲାପାଳ ତଥା ବର୍ତ୍ତମାନର ଶ୍ରୀମନ୍ଦିର ପ୍ରଶାସନର ରାଜସ୍ୱ ପ୍ରଶାସକ ମଧୁସୂଦନ ଦାସ, ସତ୍ୟବାଦୀର ତତ୍କାଳୀନ ତହସିଲ୍‌ଦାର ବିଜୟକେତନ ସାହୁ ଏବଂ ସତ୍ୟବାଦୀ ଥାନାର ତତ୍କାଳୀନ ଅଧିକାରୀ ନିର୍ମଳା ଗୋଚ୍ଛାୟତ । ଆଜି ମଧୁସୁଦନ ଦାସଙ୍କୁ ପୁଲିସ୍‌ ଅଦାଲତରେ ହାଜର କରିଥିଲାବେଳେ ଆସନ୍ତା ୮ ତାରିଖରେ ତତ୍କାଳୀନ ତହସିଲ୍‌ଦାର ବିଜୟକେତନ ସାହୁ ଏବଂ ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ ହାଜର ହେବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ସେହିଦିନ ଉପରୋକ୍ତ ତିନି ଅଧିକାରୀଙ୍କୁ ଅଦାଲତଙ୍କ ଆଦେଶ ଉଲ୍ଲଂଘନ କରିବା ଅଭିଯୋଗରେ ଦଣ୍ଡବିଧାନ କରାଯିବ ବୋଲି ହାଇକୋର୍ଟ ଆଜି ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ପ୍ରଫେସର ଡ. ସିଦ୍ଧାର୍ଥ ଦାସଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍‌ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରୁ ପ୍ରକାଶ, ଆବେଦନକାରୀ ଡକ୍ଟର ଦାସ ଏକ ମ୍ୟୁଟେସନ୍‌ ମାମଲା ପାଇଁ ସତ୍ୟବାଦୀ ତହସିଲ୍‌ଦାରଙ୍କ ନିକଟରେ ଆବେଦନ କରିଥିଲେ । ତାଙ୍କ ପୈତୃକ ସମ୍ପତ୍ତିକୁ ନିଜ ନାମରେ ଦାଖଲଖାରଜ (ମ୍ୟୁଟେସନ୍‌) କରିବାକୁ ସେ ଏହି ଆବେଦନ କରିଥିଲେ । ଏହାକୁ ବିରୋଧ କରି ପୁରୀ ଉପଜିଲ୍ଲାପାଳଙ୍କ ନିକଟରେ ଆଉ ଏକ ପିଟିସନ୍‌ ଦାଏର କରାଯାଇଥିଲା । ସେହି ପିଟିସନ୍‌ ଆଧାରରେ ପୁରୀ ଉପଜିଲ୍ଲାପାଳ ଏହି ମ୍ୟୁଟେସନ୍‌କୁ ଖାରଜ କରିଥିଲେ । ଏଥିସହ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗରେ ଆବେଦନକାରୀ ଡକ୍ଟର ସିଦ୍ଧାର୍ଥ ଦାସଙ୍କ ନାମରେ ଏଫ୍‌ଆଇଆର ରୁଜୁ କରିବାକୁ ସତ୍ୟବାଦୀ ଥାନାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଆଦେଶ ବିରୋଧରେ ଆବେଦନକାରୀ ଡ. ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ଆଦେଶ ଉପରେ ରହିତାଦେଶ ଜାରି କରିଥିଲେ । କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ସତ୍ୟବାଦୀ ଥାନା ପକ୍ଷରୁ ଆବେଦନକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା । ଘଟଣାରେ ଅଦାଲତ ଅବମାନନା ହୋଇଥିବା ଦର୍ଶାଇ ଆବେଦନକାରୀ ହାଇକୋର୍ଟରେ ପୁଣି ଏକ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ଏହାକୁ ଗୁରୁତର ସହ ଗ୍ରହଣ କରି ପୁରୀର ତତ୍କାଳୀନ ଉପଜିଲ୍ଲାପାଳ ତଥା ବର୍ତ୍ତମାନର ଶ୍ରୀମନ୍ଦିର ପ୍ରଶାସନର ରାଜସ୍ୱ ପ୍ରଶାସକ, ସତ୍ୟବାଦୀ ତହସିଲ୍‌ଦାର ଏବଂ ସତ୍ୟବାଦୀ ଥାନା ଆଇଆଇସିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏନ୍‌.ସି. ପାଣିଗ୍ରାହୀ ମାମଲା ପରିଚାଳନା କରୁଥିଲାବେଳେ ଆଇନଜୀବୀ ସାଗର ରଞ୍ଜନ ପାଣିଗ୍ରାହୀ, ଏନ୍‌.କେ. ତ୍ରିପାଠୀ ଏବଂ ଦୀପ୍ତି ଧଳ ସହାୟତା କରୁଛନ୍ତି ।

ଶ୍ରୀମନ୍ଦିର ସଂସ୍କାର ମାମଲା; ସୁପ୍ରିମକୋର୍ଟରେ ଶୁଣାଣି ଘୁଞ୍ଚିଲା

ସୁପ୍ରିମକୋର୍ଟ ତିନିଜଣିଆ ଖଣ୍ଡପୀଠରେ ମଙ୍ଗଳବାର ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବାର ଥିଲା । ଜଷ୍ଟିସ ଶରଦ ଅରବିନ୍ଦ ବୋବ୍‌ଡେ ଅନୁପସ୍ଥିତ ରହିବାରୁ ମାମଲାର ଶୁଣାଣି ହୋଇପାରି ନ ଥିଲା । ଏହି ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାର ନିର୍ଦ୍ଧାରିତ ହେବାର ଆଶା କରାଯାଉଛି । ଯାହା ସୂଚନା ମିଳୁଛି ଅଦାଲତରେ ଗ୍ରୀଷ୍ମ ଅବକାଶ ପରେ ଏହି ମାମଲାର ଶୁଣାଣି ହୋଇପାରେ । ଅଦାଲତରେ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିୟୋଜିତ ଆମିକସ୍‌ କ୍ୟୁରି ରଞ୍ଜିତ କୁମାରଙ୍କ ରିପୋର୍ଟ ଉପରେ ଶୁଣାଣି ହେବାର ଥିଲା । ସେହିଭଳି ଶ୍ରୀମନ୍ଦିର ପରିଚାଳନା ନେଇ ଗୋବର୍ଦ୍ଧନ ପୀଠ ମଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଆବେଦନ ଉପରେ ମଧ୍ୟ କିଛି ଅତିରିକ୍ତ ଆବେଦନ ହେବାର ଥିଲା । ଶ୍ରୀମନ୍ଦିର ପ୍ରଶାସନ ଗତ ୧୮ ତାରିଖରେ ଶ୍ରୀମନ୍ଦିର ପରିଚାଳନା ଏବଂ ସେବାପୂଜା ନେଇ ଦାଖଲ କରିଥିବା ସତ୍ୟପାଠର ନିର୍ଯ୍ୟାସକୁ ମଧ୍ୟ ଆମିକସ୍‌ କ୍ୟୁରି ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିଥାଆନ୍ତେ ।

   ସମ୍ବନ୍ଧିତ ଖବର


କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ଫେସ୍‌ବୁକ୍‌ରେ ଅଶ୍ଲୀଳ ଭିଡିଓ ଭାଇରାଲ ! ଥାନାରେ ଅଭିଯୋଗ କଲେ ଓଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀଙ୍କ ଭଉଣୀ

ଆଉ ୫ ଦିନ ପରେ ନାଗାର୍ଜୁନ ବେଶ: ହରଚଣ୍ଡୀ ସାହି ଚକ୍ରକୋଟରେ ବେଶ ପ୍ରସ୍ତୁତି ଦେଖିଲେ ଅଧିକାରୀ