ପୁରୀ ଲୋକସଭା: କିଏ ଉଡ଼ାଇବ ଶ୍ରୀକ୍ଷେତ୍ରରେ ବିଜୟ ବାନା?

ବିଚାର ଚାଲିଥିଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଲଢ଼ିବେ ଶ୍ରୀକ୍ଷେତ୍ରରୁ । କୌଣସି କାରଣରୁ ଏକଥା ସମ୍ଭବ ନ ହେବାରୁ ଆଉ ଦିଲ୍ଲୀରୁ ଜଣେ ଜାତୀୟ ସ୍ତରୀୟ ଚେହେରା ଦଳର ରାଷ୍ଟ୍ରୀୟ ମୁଖପାତ୍ରଙ୍କୁ ସାଞ୍ଜୁଆ ପିନ୍ଧାଇ ପଠାଗଲା ମଇଦାନକୁ । ଏଥିରୁ ବୁଝାପଡୁଛି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆବାସ ସ୍ଥଳ ପୁରୀ ଲୋକସଭା କ୍ଷେତ୍ରରେ ନିଜର ବିଜୟ ବାନା ଉଡ଼ାଇବାକୁ କେତେ ବ୍ୟଗ୍ର ବିଜେପି । ସବୁ ପ୍ରକାର ବଳ କୌଶଳ ବାଜିରେ ଲଗାଇ ଦେଇଛନ୍ତି ଦଳୀୟ ପ୍ରାର୍ଥୀ ସମ୍ବିତ ପାତ୍ର । ଧୋତି ଗାମୁଛା ପିନ୍ଧି ମୁଣ୍ଡରେ ଚନ୍ଦନ ଟୋପା ମାରି ବୁଲୁଛନ୍ତି ପ୍ରଚାରରେ, ଯେମିତି ଜଗନ୍ନାଥଙ୍କର ସେ ଜଣେ ବଡ଼ ଭକ୍ତ । ବିଜେଡି ପୁରୁଣା ଲଢ଼ୁଆଙ୍କୁ ଦାୟିତ୍ୱ ଦେଇଛି ନିଜର ଗଡ଼ ରକ୍ଷା ପାଇଁ । ଗତ ଦୁଇଟି ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ଭାରି ପରାଜୟର ସ୍ୱାଦ ଚଖାଇଥିବା ୩ ଥରିଆ (ବିଜେଡ଼ିରୁ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ପୁଣି ପ୍ରାର୍ଥୀ କରିଛି । ଦିଲ୍ଲୀରେ ରହନ୍ତି, କାଁ ଭାଁ ଆସନ୍ତି ପୁରୀକୁ ।

କେବଳ ଲୋକସଭା ନୁହେଁ, ନିର୍ବାଚନମଣ୍ଡଳୀର ଅଧିକାଂଶ ବିଧାନସଭା ଆସନରେ ବି ପୁରୁଣା ମୁହଁ ଦେଇଛି ଲଢ଼େଇ ଲାଗି । ପିନାକୀ ଧରି ନେଇଛନ୍ତି, ସବୁ ଥର ଭଳି ପୁରୁଣା ଯୋଦ୍ଧାଙ୍କ କୌଶଳ ବଳରେ ସେ ପୁଣି ଥରେ ଅକ୍ତିଆର କରବେ ମହତ୍ତ୍ୱପୂର୍ଣର୍ ପୁରୀ ଲୋକସଭାକୁ । ବିଜେପି ଭଳି କଂଗ୍ରେସ ମଧ୍ୟ ପ୍ରତ୍ୟକ୍ଷ ରାଜନୀତିରେ କୌଣସି ପୂର୍ବ ଅଭିଜ୍ଞତା ନ ଥିବା ଗଣମାଧ୍ୟମର ଜଣେ ଚେହେରା ସତ୍ୟ ପ୍ରକାଶ ନାୟକଙ୍କୁ ପ୍ରାର୍ଥୀ କରିଛି । କିଛି ମାସ ତଳେ ସେ ସାମ୍ବାଦିକତା ଛାଡ଼ି କଂଗ୍ରେସ ହାତ ଧରିଥିଲେ । ସମ୍ବିତଙ୍କ ଭଳି ଦଳର ମୁଖପାତ୍ର ସାଜିଥିଲେ ଟେଲିଭିଜନ୍‌ରେ । ତାଙ୍କ ଘର କିନ୍ତୁ ଭଦ୍ରକରେ । ଗତ ଚାରିଟି ନିର୍ବାଚନରେ ପୁରୀ ଲୋକସଭା ଲଢ଼େଇ ଏକ ପ୍ରକାର ଏକତରଫା ହୋଇଛି । ଏଥର କିନ୍ତୁ ବେଶ୍‌ ବଳ କଷାକଷି ହେବ ବୋଲି ଅନୁମାନ କରାଯାଉଛି । ପୁରୀ ଦଖଲ ପାଇଁ ବିଜେପିର ମୋହ ସାଙ୍ଗକୁ ମୋଦି ଲହରି ବିଜେପିକୁ ବିଜୟ ମୁକୁଟ ପିନ୍ଧାଇବ ବୋଲି ସମ୍ବିତ ଆଶା କରୁଛନ୍ତି । ପିନାକୀଙ୍କ ବିଶ୍ୱାସ, ନବୀନଙ୍କ ଲୋକ ପ୍ରିୟତାକୁ ଆଶ୍ରା କରି ସ୍ଥାନୀୟ ସ୍ତରରେ ଥିବା ସରକାର ବିରୋଧୀ ସ୍ଥିତି (ଆଣ୍ଟି-ଇନ୍‌କମ୍ବାନ୍ସି)କୁ ସେ ଓଲଟାଇ ପାରିବେ । ଅନ୍ୟପଟେ ସତ୍ୟ ଆଶା ବାନ୍ଧିଛନ୍ତି ରାହୁଲ ଗାନ୍ଧୀ ଫୁଙ୍କୁଥିବା ନୂଆ ସଂଜୀବନୀ ବଳରେ ପୁରୁଣା କଂଗ୍ରେସ ଭୋଟ ବ୍ୟାଙ୍କଗୁଡ଼ିକୁ ପୁଣି ନିଜ ପଟକୁ ଆଣିବାରେ ସେ ସକ୍ଷମ ହେବେ ।

କାହା ବିଶ୍ୱାସ ସତ ହେବ? କିଏ ଜିତିବ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ଲୋକସଭା କ୍ଷେତ୍ରକୁ?

ଇତିହାସ କହୁଛି, ୧୯୯୮ ମସିହାଠାରୁ ଲଗାତାର୍‌ ୫ ଥର ବିଜେଡି ବିଜୟୀ ହୋଇଛି ପୁରୀ ଲୋକସଭା ଆସନରେ । ୨୦୦୯ ବିଜେପି ନ ଥିଲା ଦୃଶ୍ୟପଟରେ । ବିଜେଡି-ବିଜେପି ମେଣ୍ଟ ଚାଲିଥିଲା । ବିଜେଡି ଭାଗରେ ପଡ଼ିଥିଲା ପୁରୀ । ୯ ପୂର୍ବରୁ ଦ୍ୱିମୁଖୀ ଲଢ଼େଇ ହେଉଥିଲା ବିଜେଡି ଓ କଂଗ୍ରେସ ଭିିତରେ । ଭୋଟ ଗଣିତ ୨୦୦୯ରେ ପ୍ରଥମ ଥର ଲାଗି ବିଜେପି ଲଢ଼ିଥିଲା ଏଠୁ । ୨୩ ପ୍ରତିଶତ ଭୋଟ ହାସଲ କରି ତୃତୀୟ ସ୍ଥାନରେ ଥିଲା । ବିଜେଡି ୪୮% ଏବଂ କଂଗ୍ରେସ ୨୫% ଭୋଟ ପାଇଥିଲା । ୨୦୧୪ରେ ବିଜେଡିର ବଢ଼ିଥିଲା ଭୋଟ ହାର ୫୦%କୁ । କଂଗ୍ରେସର ଭୋଟ ଭାଗ ଅପରିବର୍ତ୍ତିତ ଥିଲା । କିନ୍ତୁ ବିଜେପିର ଖସି ଯାଇଥିଲା ୨୧%କୁ । ଏ ଲୋକସଭା କ୍ଷେତ୍ର ୭ଟି ବିଧାନସଭା କ୍ଷେତ୍ର ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଓ ନୟାଗଡ଼ରେ ରାଜନୈତିକ ଚିତ୍ର ଗୋଳିଆମିଶା । ମେଣ୍ଟ ଥିଲା ବେଳେ (୨୦୦୯ ପୂର୍ବରୁ) ଚିଲିକା ଆସନକୁ ୩ ଥର ବିଜେପି ଦଖଲ କରିଥିଲା । ୨୦୦୯ରେ ମାତ୍ର ଥରେ ଜିତିଥିଲା ବିଜେଡି । ରଣପୁର ବି ଥିଲା ମେଣ୍ଟ ସହଯୋଗୀ ବିଜେପି ହାତରେ । ମେଣ୍ଟ ଭାଙ୍ଗିଲା ପରେ ବିଜେପିକୁ ଦୁଇ ଥର ସିଧା ଲଢ଼େଇରେ ହରାଇ ବିଜେଡି ଅକ୍ତିଆର କରିଛି ରଣପୁରକୁ ।
୨୦୦୦ ମସିହା ଠାରୁ ପୁରୀ, ନୟାଗଡ଼ ଓ ପିପିଲିରେ ବିଜେଡି କ୍ରମାଗତ ଭାବେ ବିପୁଳ ବିଜୟ ହାସଲ କରି ଚାଲିଛି । ସତ୍ୟବାଦୀରେ କିନ୍ତୁ ବିଜେଡି ଏବଂ ବିଜେପିକୁ କେବେ ମିଳି ନାହିଁ ସଫଳତା । କଂଗ୍ରେସ କିମ୍ବା ସ୍ୱାଧୀନ ପ୍ରାର୍ଥୀଙ୍କୁ ବାଛିଛନ୍ତି ମତଦାତା । ବ୍ରହ୍ମଗିରିରେ ଗତ ନିର୍ବାଚନ ଯାଏ କଡ଼ା ମୁକାବିଲା ହୋଇଛି ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ । ୨୦୦୦ ମସିହା ଠାରୁ କଂଗ୍ରେସର ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଦୁଇ ଥର ଏବଂ ବିଜେଡିର ସଞ୍ଜୟ ଦାସବର୍ମା ଦୁଇ ଥର ବିଜୟ ସ୍ୱାଦ ଚାଖିଛନ୍ତି । ବିଜେଡି ନିଶ୍ଚିନ୍ତ ହୋଇ ବସିଛି ଯେ ଦଳର ଗଡ଼ କୁହାଯାଉଥିବା ପୁରୀ, ପିପିଲି, ନୟାଗଡ଼ ଏବଂ ବ୍ରହ୍ମଗିରି ବିଧାନସଭା କ୍ଷେତ୍ରରେ ପୁରୁଣା ପ୍ରାର୍ଥୀମାନେ ବିଜେଡି ପାଇଁ ଢେର ଅଧିକ ଭୋଟ ଟାଣି ପାରିବେ ଅନ୍ୟ ଦଳ ତୁଳନାରେ । ଏତେ ଯେ ଅନ୍ୟ ଆସନରେ ଆଶାନୁରୂପ ସଫଳତା ନ ମିଳିଲେ ବି ଲୋକସଭା ପ୍ରାର୍ଥୀ ଜିତିଯିବେ । ଗତ ନିର୍ବାଚନରେ ପୁରୀ ସଦରରେ ବିଜେଡି ଲୋକସଭା ପ୍ରାର୍ଥୀ ୩୫ ହଜାର ଭୋଟରେ ଆଗୁଆ ଥିଲେ । ପିପିଲିରେ କଂଗ୍ରେସଠୁ ୪୦ ହଜାର ଭୋଟ ଓ ନୟାଗଡ଼ରେ ୨୮ ହଜାର ଭୋଟ ଅଧିକ ମଳିଥିଲା ବିଜେଡିକୁ ନିକଟତମ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ । ସତ୍ୟବାଦୀରେ ମଧ୍ୟ ବିଜେଡି ୩୭ ହଜାର ଭୋଟ ଅଧିକ ପାଇଥିଲା ଯଦିଓ ଦଳର ବିଧାୟକ ପ୍ରାର୍ଥୀ ହାରିଥିଲେ ।

ବିଜେପି ଆଶା କରୁଛି, ଏଥର ବ୍ରହ୍ମଗିରି ବିଧାନସଭା କ୍ଷେତ୍ରରେ ଦଳ ଏକ ନମ୍ବର ହେବ । ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ବିଜେପିର ବିଧାନସଭା ପ୍ରାର୍ଥୀ । ଭାଇଙ୍କ ଭୋଟର ତାଙ୍କୁ ଭରସା କରିବେ ବୋଲି ଧରି ନେଇଛନ୍ତି । ଚିଲିକା ଏବଂ ରଣପୁରରେ ମଧ୍ୟ ଦଳ ବିଜେଡିଠୁ ଅଧିକ ଭୋଟ ପାଇବ । ସତ୍ୟବାଦୀ ଏବଂ ପୁରୀରେ ବି କଡ଼ା ମୁକାବିଲା ଦେବ । ବିଜେପି ଏକଥା ବି ଦାବି କରୁଛି ଯେ ଏଥର ବିଧାନସଭା ଏବଂ ଲୋକସଭା ପାଇଁ ଭିନ୍ନ ଭିନ୍ନ ପ୍ରକାର ଭୋଟ ହେବ । ମତଦାତା ବିଧାନସଭା ପାଇଁ ଅନ୍ୟ ଦଳକୁ ଭୋଟ ଦେଲେ ଲୋକସଭା ପାଇଁ ପଦ୍ମକୁ ଭୋଟ ଦେବେ । କଂଗ୍ରେସର ବିଶ୍ୱାସ, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଏବଂ ନୟାଗଡ଼ରେ ଏଥର ମୋଟା ଭୋଟ୍‌ ଭିଡ଼ିବ ଦଳ । ପିପିଲିରେ ବି କଂଗ୍ରେସର ପୁରୁଣା ମତଦାତା ପୁଣି ଭରସା କରିବେ ।
ନିର୍ବାଚନୀ ପ୍ରସଙ୍ଗ
ନିର୍ବାଚନ ପ୍ରଚାର ଏବେ ଗରମ ହେବାରେ ଲାଗିଛି । ହେଲେ ଲୋକଙ୍କ ମୁଖ୍ୟ ସମସ୍ୟଗୁଡିକ ପ୍ରଚାରରେ ସ୍ଥାନ ପାଇନାହିଁ । ଦୁର୍ନୀତି ପ୍ରସଂଗକୁ ସରକାରୀ ଦଳ ବିରୋଧରେ ବିପକ୍ଷ ପ୍ରାର୍ଥୀମାନେ ନିର୍ବାଚନ ଆୟୁଧ କରିବାରେ ବିଫଳ ହୋଇଛନ୍ତି । ଗ୍ରାମାଂଚଳ ସମସ୍ୟା ଚାଷ ଓ ଚାଷୀ, ଜଳସେଚନ, ନଦୀବନ୍ଧ ସୁରକ୍ଷା, ନଦୀ ଶଯ୍ୟା ଖନନ, ଅବରୋଧ ମୁକ୍ତ ନଦୀ ମୁହାଁଣ, ସମୁଦ୍ର ମୁହଁରୁ ଜନବସତିକୁ ରକ୍ଷା କରିବା, ଚାଷ ଜମିକୁ ବୁଡି ସମସ୍ୟାରୁ ମୁକ୍ତ କରିବା । ତା ସହ ଜନଜୀବନକୁ ବିପର୍ଯ୍ୟସ୍ତ କରିବାରେ ଲାଗିଛି କ୍ରମବର୍ଦ୍ଧିଷ୍ଣୁ ଅପରାଧ, ଅପରାଧୀଙ୍କ ଦୌରାତ୍ମ୍ୟ । ପୁଲିସ ଉପରେ ଲୋକ ଭରସା ନ କରିବା ଆଉ ଏକ ସାମାଜିକ ଦୁର୍ଗତି ହୋଇଛି । ଜିଲ୍ଲାର ସହରାଂଚଳରେ ଜମି ମାଫିଆଙ୍କ ଦୌରାତ୍ମ୍ୟ, ତଳି ଅଂଚଳରେ ବାଲି ମାଫିଆଙ୍କ ରାଜ । ଶିଳ୍ପ ବିହୀନ ପୁରୀ ଜିଲ୍ଲା, ଧିମା ସହରାଂଚଳ ବିକାଶ ପ୍ରକିୟା, ଉପେକ୍ଷିତ ଟୁରିଷ୍ଟ ସେବା, ଐତିହ୍ୟ ସୁରକ୍ଷା, ବଡଦେଉଳର ପରମ୍ପରର ସୁରକ୍ଷା ଆଦି ସମସ୍ୟାର ବୋଝ ରହିଛି ପୁରୀ ଲୋକସଭା ଆସନରେ ।

ଏହି ଲୋକସଭା ନିର୍ବାଚନ ମଣ୍ଡଳୀରେ ୧୫ ଲକ୍ଷ ୨୫ ହଜାର ମତଦାତା ଅଛନ୍ତି । ଗତ ନିର୍ବାଚନରେ ବିଜେତା ବିଜେଡି ପ୍ରାର୍ଥୀ ୫ ଲକ୍ଷ ୨୩ ହଜାର ୧୬୧ ଭୋଟ ପାଇଥିଲେ । ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ୨ ଲକ୍ଷ ୫୯ ହଜାର ୯୦୦ ଭୋଟ ପାଇଥିବା ବେଳେ ତୃତୀୟ ସ୍ଥାନରେ ରହିଥିବା ବିଜେପି ପ୍ରତିଦ୍ୱନ୍ଦ୍ୱୀ ୨ ଲକ୍ଷ ୧୫ ହଜାର ୭୬୩ ଭୋଟ ପାଇଥିଲେ । ଆସନ୍ତା ନିର୍ବାଚନରେ କିନ୍ତୁ ଏଭଳି ଟ୍ରେଣ୍ଡ ଦେଖିବାକୁ ମିଳିବ ନାହିଁ । ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ପାଇଁ ବିଜେଡି ଏବଂ ବିଜେପି ମଧ୍ୟରେ ଟକ୍କର ହେବ । ସେହିଭଳି ବିଜେଡିର ଭୋଟ ସମର୍ଥନ

   ସମ୍ବନ୍ଧିତ ଖବର


ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବଲାଙ୍ଗୀର:ଜମି ବଢିନି ଚାଷୀ ବଢିଗଲେ- କୃଷି ବିଭାଗ କହିଲା ଲକ୍‌ଡାଉନ୍ ଯୋଗୁଁ ରାଜ୍ୟ ବାହାରୁ ଫେରି ଆସିଛନ୍ତି ଚାଷୀ

ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ମଙ୍ଗଳବାରରୁ ସମସ୍ତ ରୁଟ୍‌ରେ ଆରମ୍ଭ ହେବ ମୋ ବସ୍‌ ସେବା

ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ

କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ