ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଅଧିଗ୍ରହଣ ହେବ ୩୦୦ ପ୍ଲଟ୍‌ ,ନିୟୋଜିତ ହେବେ ୩୦ ଅଫିସର୍‌

ପୁରୀ ୨୫/୯: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ରହିଛି ୩୦୦ ପ୍ଲଟ । ଏହି ପ୍ଲଟଗୁଡ଼ିକୁ ଅଧିଗ୍ରହଣ କରିବାକୁ ଆସନ୍ତାକାଲି ସରକାରୀ ବିଜ୍ଞପ୍ତି ଜାରି ହେବ ବୋଲି ଆକଳନ କରାଯାଉଛି । ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ ୩୦ ଅଫିସରଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଦଳ । ବିଜ୍ଞପ୍ତି ଜାରି ପରେ ପ୍ରତ୍ୟେକ ପ୍ଲଟର ସ୍ୱତ୍ତ୍ୱାଧିକାରୀଙ୍କ ସହ ସିଧା ଆଲୋଚନା କରାଯିବ । ବିଜ୍ଞପ୍ତିର ଏକ ମାସ ମଧ୍ୟରେ ଜମି ଦେବାକୁ ଚାହୁଁଥିବା ଲୋକଙ୍କୁ ସରକାରୀ ନିଷ୍ପତ୍ତି ମୁତାବକ ଜମି ମୂଲ୍ୟର ୧୦% ଅଧିକ କ୍ଷତିପୂରଣ ମିଳିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ଚୌହଦିର ୭୫ ମିଟର ମଧ୍ୟରେ ୩୦୦ ପ୍ଲଟ ରହିଥିବା ସର୍ଭେରୁ ସୂଚନା ମିଳିଛି । ଏଥିରେ ରହିଛି ବ୍ୟକ୍ତିଗତ ମାଲିକାନାରେ ରହିଥିବା ୨୩୦ଟି ପ୍ଲଟ । ତା ବ୍ୟତିତ ଅନ୍ୟ ମାର୍ଫତଦାରଙ୍କ ସମ୍ପତ୍ତି ରହିଛି । ଏହି ପ୍ଲଟଗୁଡ଼ିକର ସୂଚନା ସମ୍ବଳିତ ବିଜ୍ଞପ୍ତି ପ୍ରକାଶ ପରେ ଜମି ଅଧିଗ୍ରହଣ ପାଇଁ ପଦକ୍ଷେପ ନିଆଯିବ । ଅଧିଗ୍ରହଣ ସୂଚନା ଏବଂ ବିଭିନ୍ନ ସରକାରୀ ସୂଚନା ତଥା ଥଇଥାନ ସମ୍ପର୍କରେ ବିସ୍ଥାପିତଙ୍କୁ ସୂଚନା ଦେବାକୁ ଗଠନ ହୋଇଛି ସ୍ୱତନ୍ତ୍ର ସେଲ୍‌ । ଏହି ସେଲ ପୂର୍ତ୍ତ ବିଭାଗ ପୁରୁଣା ଡାକବଙ୍ଗଳାରେ ଖୋଲାଯାଇଛି । ଏହି ସେଲ୍‌କୁ ଆସି ଲୋକମାନେ ସେମାନଙ୍କ ଜରୁରି ସୂଚନା ପାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ସୂଚନା ମିଳିଛି ଜମି ଅଧିଗ୍ରହଣ ବିଜ୍ଞପ୍ତି ପ୍ରକାଶ ପରେ ସିଧା ବିସ୍ଥାପିତ ହେଉଥିବା ଲୋକଙ୍କ ସହ ପ୍ରଶାସନ ଘର ଘର ବୁଲି ଆଲୋଚନା ଏବଂ କାଉନସେଲିଂ କରିବ । ଏହି ଦାୟିତ୍ୱରେ ରହିଛନ୍ତି ୫ ଶିକ୍ଷାନବୀଶ ଆଇଏଏସ୍‌, ୫ ରାଜସ୍ୱ ଅଧିକାରୀ, ୫ ଓଏଏସ୍‌ ଏବଂ ଅନ୍ୟ ୫ ଜଣ ଓଏଏସ୍‌ ଶିକ୍ଷାନବୀଶ ଅଫିସର । ଏମାନଙ୍କ ସହ ପୂର୍ତ୍ତ ବିଭାଗର ଆଠରୁ ଦଶ ଅଫିସର ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସାମିଲ ହେବେ । ଜିଲ୍ଲାପାଳ କହିଛନ୍ତି ଜମି ଅଧିଗ୍ରହଣ କ୍ଷତିପୂରଣର ୧୦% ଅଧିକ ପାଇବାକୁ ଲୋକ ଆଗ୍ରହ ପ୍ରକାଶ କରିଛନ୍ତି ।

କ୍ଷେତ୍ରାଞ୍ଚଳ ସୂଚନାକୁ ଆଧାର କରି ଜିଲ୍ଲାପାଳ ସୂଚନା ଦେଇଛନ୍ତି ସର୍ଭେ ପର୍ଯ୍ୟାୟରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ସୁରକ୍ଷା ଏବଂ ସରକାରୀ ଅଧିଗ୍ରହଣ ନୀତି ୨୦୧୩ ଆଧାରରେ ଜମି ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି କାମକୁ ତ୍ୱରାନ୍ୱିତ କରିବା ଦାୟିତ୍ୱ ଏବେ ପ୍ରଶାସନର । ସେହିଭଳି ସର୍ଭେ ପର୍ଯ୍ୟାୟରେ ଆଉ କିଛି ବିପସଙ୍କୁଳ କୋଠା ମଧ୍ୟ ଚିହ୍ନଟ ହେଉଛି । ଏହି କୋଠାଗୁଡ଼ିକୁ ଉଚ୍ଛେଦ କରାଯିବ । ଜମି ମାଲିକଙ୍କ ସହ ଆଲୋଚନା କରି ସହମତିରେ ଜମି ଅଧିଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।

ଶ୍ରୀସେତୁ ନିର୍ମାଣ ପାଇଁ ଜମି ଚିହ୍ନଟ ଏବଂ ସର୍ଭେ ଚାଲିଛି । ସର୍ଭେ ବେଳେ କେତେକ ସରକାରୀ ଜମି, ଶ୍ରୀମନ୍ଦିର ମନ୍ଦିର ପ୍ରଶାସନର ଜମି ଏବଂ କିଛି ଘରୋଇ ଜମି ଚିହ୍ନଟ ହୋଇଛି । ଏହି ଜମି ଚିହ୍ନଟ ଏବଂ ସର୍ଭେ ଶେଷ ପରେ ଅଧିଗ୍ରହଣ ପାଇଁ ସରକାରଙ୍କୁ ଚିଠି ଲେଖାଯିବ । ପରେ ଏହି ସେତୁ ନିର୍ମାଣ ପାଇଁ ଆବଶ୍ୟକ ଜମିର ଅଧିଗ୍ରହଣ ହେବ । ସେତୁ ପାଇଁ ଅଧିକାଂଶ ଜମି ସରକାରୀ ମାଲିକାନାରେ ରହିଥିବାରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ସହଜ ହେବ ବୋଲି ଆଶା କରୁଛି ପ୍ରଶାସନ । ପୁରୀ-ମଙ୍ଗଳାଘାଟ ବାଇପାସ୍‌ ରୋଡରେ ସୁଜାତା ନଗରରୁ ଶ୍ରୀସେତୁ ଦେଢ଼ କିମି ଲମ୍ବାରେ ଆସି ଜଗନ୍ନାଥ ବଲ୍ଲଭ ମଠ ପାଖକୁ ସଂଯୋଗ କରିବ ବୋଲି ପ୍ରଶାସନ ସୂତ୍ରରୁ ଖବର ମିଳିଛି ।

   ସମ୍ବନ୍ଧିତ ଖବର


ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ଶ୍ରୀଜିଉଙ୍କ ପାଇଁ ନୂଆ ଅଳଙ୍କାର : ମୁମ୍ବାଇର ଜଣେ ଭକ୍ତ ଦେବେ ୫ କିଲୋ ସୁନା, ଡିଜାଇନ୍ ପ୍ରସ୍ତୁତ

ଆତଙ୍କବାଦୀ ଲିଙ୍କ୍ ନୁହେଁ, ବନ୍ଧୁକ ଚାଲାଣ ଲିଙ୍କ୍‌ରେ ଉଠାଇଛି NIA : ପୋଲିସ କମିଶନର

ବିବାହକୁ ଅକ୍ଷୁଣ୍ଣ, ସ୍ଥାୟୀ କରିବାକୁ ବର୍ଷାଙ୍କ ପିଟିସନ୍‌; ଅନୁଭବଙ୍କୁ ପରିବାର ଅଦାଲତରୁ ନୋଟିସ୍‌

ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ କରୁଛି ପଚରାଉଚରା

ବାଡିରୁ ଫୁଲ ତୋଳିଦେଲା ବୋଲି, ଦିବ୍ୟାଙ୍ଗ ନାବାଳିକାକୁ ନିସ୍ତୁକ ମାଡ ମାରିଲେ ପଡୋଶୀ…