ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ମାପଚୁପ ଆହୁରି ୩ ଦିନ ଚାଲିବ

ପୁରୀ ୧୯/୯: ସୋମବାରଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଚୌହଦି ଉଚ୍ଛେଦର ମାପଚୁପ । ଡିଜିପିଏସ୍‌ (ଡିଫରେନ୍‌ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ଜ୍ଞାନକୌଶଳ ଅବଲମ୍ବନରେ ଚାଲିଥିବା ମାପଚୁପ ଆସନ୍ତା ତିନି ଦିନ ମଧ୍ୟରେ ଶେଷ ହେବ ବୋଲି ପ୍ରଶାସନ ଗଣମାଧ୍ୟମକୁ ସୂଚନା ଦେଇଛି । କାକୁଡ଼ିଖାଇ ମନ୍ଦିରକୁ ଲାଗି ରହିଥିବା ବାଲିସାହି ରୋଡ, ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସାମନା ଧାନକୁଟି ସାହି, ପଞ୍ଜାବୀ ମଠ ପଛ ଇଲାକାକୁ ମପାଯାଇଛି । ଶ୍ରୀମନ୍ଦିର ମେଘନାଦ ପାଚେରିଠାରୁ ୭୫ ମିଟର ଚୌହଦି ମଧ୍ୟରେ ରହିଥିବା ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣ ପାଖରେ ଥିବା ଏହି ଇଲାକାକୁ ବୁଧବାର ଦିନ ମପାଯାଇଛି । ମପାଯିବା ପରେ ଛକି ମରାଯାଉଛି । ଏହା ବ୍ୟତୀତ ଶ୍ରୀମନ୍ଦିର ଚାରି ପାଖ ରାସ୍ତାରେ ଥିବା କୋଠାର ପଛରେ ରହିଥିବା ଇଲାକାକୁ ମଧ୍ୟ ମପାଯାଉଛି ।

ପ୍ରଶାସନ ସୂତ୍ରରୁ ଖବର ମିଳିଛି ଚିହ୍ନଟ ଇଲାକାରେ ଛକି ପଡିବା ପରେ ଘର ଘର ସର୍ଭେ ହେବ । ମଠ, ବ୍ୟବାସାୟ ପ୍ରତିଷ୍ଠାନ, ଦୋକାନିଙ୍କ ବ୍ୟକ୍ତିଗତ ତାଲିକା ପ୍ରସ୍ତୁତ ହେବ । ତାଲିକା ମୁତାବକ ଲୋକଙ୍କୁ ଥଇଥାନ, କ୍ଷତିପୂରଣ, ଜମି ଅଧିଗ୍ରହଣ ସୂଚନା ସମ୍ପର୍କରେ ପ୍ରଶାସନ କ୍ଷତିଗ୍ରସ୍ତ ପରିବାରଙ୍କ ସହ ସିଧା ଆଲୋଚନା କରିବ । ବିସ୍ଥାପିତ ଲୋକଙ୍କ ସହ ସିଧା ଆଲୋଚନା କରିବାକୁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍‌ ପ୍ରତିଷ୍ଠା କରାଯାଇଛି । ଚୌହଦି ମପାଯାଇ ଚିହ୍ନ ମରାଯାଇଥିବା ଇଲାକାରେ ଘରବାଡ଼ି ଉଚ୍ଛେଦ ହେବା ନେଇ ସାହିବସ୍ତିରେ ତନାଘନା ଚାଲିଛି । ଇତିମଧ୍ୟରେ ବିସ୍ଥାପିତଙ୍କ ପାଇଁ ଗଠିତ ସ୍ୱତନ୍ତ୍ର ସେଲ୍‌ ଲୋକଙ୍କଠାରୁ ଆପତ୍ତି, ଅଭିଯୋଗ, ଥଇଥାନ ଯୋଜନା କ୍ଷତିପୂରଣ, ଜମି ଅଧିଗ୍ରହଣ ଆଦି ପ୍ରସଙ୍ଗରେ ଶୁଣାଣି ଆରମ୍ଭ କରିଛି । ଶ୍ରୀମନ୍ଦିର ଚୌହଦି ଉଚ୍ଛେଦ ତଦାରଖ ସେଲ ମୁଖ୍ୟ ପାଇଁ ଅତିରିକ୍ତ ଜିଲ୍ଲାପାଳ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ।

ମଙ୍ଗଳବାର ଶ୍ରୀମନ୍ଦିର ଉତ୍ତରଦ୍ୱାର, ପଶ୍ଚିମ ଦ୍ୱାର, ଦକ୍ଷିଣ ଦ୍ୱାର ମେଘନାଦ ପାଚେରିଠାରୁ ୭୫ ମିଟର ମଧ୍ୟରେ ରହିଥିବା ଇଲାକାର ଗଳିକନ୍ଦିକୁ ମପାଯାଇଥିଲା । ଗଳିକନ୍ଦି ରାସ୍ତାରେ ୭୫ ମିଟର ସୀମାରେ ଛକି ମରାଯାଇଥିଲା । ଏହି ପ୍ରକିୟା ଆଜି ବି ଜାରଥିଲା । ଡିଜିପିଏସ୍‌ ମେସିନକୁ ନେଇ କର୍ମଚାରୀ ଶ୍ରୀମନ୍ଦିର ଚୌହଦି ବୁଲି ମପାମପି କରୁଛନ୍ତି ।
ଡିଜିପିଏସ ଯନ୍ତ୍ର ନେଇ ମପାମପିରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ସଶସ୍ତ୍ର ପୁଲିସ । ମପାମପିର ଅତ୍ୟାଧୁନିକ ଜ୍ଞାନକୌଶଳ ଡିଜିପିଏସର ନିର୍ଭୁଲ ମାପ ଉପରେ କିଛି ଲୋକ ସନ୍ଦେହ ପ୍ରକାଶ କରି ଗଣମାଧ୍ୟମରେ ପ୍ରକିକ୍ରିୟା ବି ରଖିଛନ୍ତି । ପ୍ରଶାସନ କହିଛି ଏହି ଉପାୟ ଅବଲମ୍ବନ ଯୋଗୁ ମପାମପି ନିର୍ଭୁଲ ହେବ ।

   ସମ୍ବନ୍ଧିତ ଖବର


ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

ସାରୁଅ ଜମି କେଳେଙ୍କାରୀ ମାମଲା : ସ୍ଥାନୀୟ ଲୋକଙ୍କୁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ପଚରାଉଚରା

ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ନିର୍ଘଣ୍ଟ: ଏଥର ଶ୍ରୀମନ୍ଦିରରେ ଛଅଦିନିଆ ପଞ୍ଚୁକ ବ୍ରତ,୨୭ ରେ ନାଗାର୍ଜୁନ ବେଶ

ପୁଣି ସାଙ୍ଘାତିକ ଅଭିଯୋଗ : ଡ୍ରାଇଭରଙ୍କ ନାଁରେ ୨୮ କୋଟିର GST ଠକେଇ ଅଭିଯୋଗ‌ରେ ନୋଟିସ୍‌ ଜାରି

୧୯୯୯ ମହାବାତ୍ୟା @ ୨୧: ‘ମନେ ପଡିଲେ ଏବେ ବି ଛାତି ଥରି ଉଠେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ’