କ୍ୱାରେଣ୍ଟାଇନ୍‌ ସେଣ୍ଟର ପାଇଁ SOP ଜାରି: ପିଲା ଶୁଣିବେ ଗପ, ବୟସ୍କ ଶୁଣିବେ ପୁରାଣ

ଭୁବନେଶ୍ୱର ୨୯/୪: କ୍ୱାରେଣ୍ଟାଇନ କେନ୍ଦ୍ରରେ ଦିନକୁ ଦୁଇ ଥର ମିଲ୍‌ (ଦିନ ଓ ରାତି)ରେ ମିଳିବ । ଏହାସହ ସକାଳେ ଜଳଖିଆ ଓ ସନ୍ଧ୍ୟାରେ ଚା, ବିସ୍କୁଟ୍‌ ମଧ୍ୟ ଦିଆଯିବ । ଏ କେନ୍ଦ୍ରରେ ପରିଷ୍କାର, ପରିଚ୍ଛନ୍ନତା ସହ ନିରାପତ୍ତାକୁ ଅଗ୍ରାଧିକାର ମିଳିବ । ଅନ୍ତେବାସୀଙ୍କୁ ୧୪ ଦିନ ରହଣୀ ପାଇଁ ଏକ କିଟ୍‌ ପ୍ରଦାନ କରାଯିବ । ଏଥିରେ ଦାନ୍ତଘଷା ବ୍ରସ, ପେଷ୍ଟରୁ ଆରମ୍ଭ କରି ସାବୁନ, ତେଲ, ପ୍ଲାଷ୍ଟିକ ବକେଟ୍‌, ମଗ, ପାନିଆ, ପାଣି ବୋତଲ, ମଶାଧୂପ ଆଦି ମିଳିବ । ତେବେ କୌଣସି ପରିସ୍ଥିତିରେ ପାନ ଓ ଗୁଟ୍‌ଖା ଖାଇବା କିମ୍ବା ସିଗାରେଟ୍‌ ସେବନକୁ ଅନୁମତି ଦିଆଯିବନି । ମାତ୍ର ପ୍ରତି ଅନ୍ତେବାସୀଙ୍କ ବ୍ୟକ୍ତିଗତ ଗୋପନୀୟତା, ସୁରକ୍ଷା ସହ ଆତ୍ମସମ୍ମାନକୁ ଅଗ୍ରାଧିକାର ଦିଆଯିବ । ଆଜି ଏ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର ।

କେବଳ ସେତିକି ନୁହେଁ କ୍ୱାରେଣ୍ଟାଇନ କେନ୍ଦ୍ରରେ ଯଦି ଛୋଟ ପିଲା ରହିବେ ସେମାନଙ୍କୁ ଗପ ଶୁଣିବାର ସୁଯୋଗ ମିଳିବ। ସ୍ଥାନୀୟ ଶିକ୍ଷକ, ସ୍ୱାସ୍ଥ୍ୟ କର୍ମୀ କିମ୍ବା ଅଙ୍ଗନବାଡ଼ି କର୍ମୀ ପିଲାମାନଙ୍କ ମନ ବାନ୍ଧି ରଖିବାକୁ ନିୟମିତ ଭାବେ କାହାଣୀ ଶୁଣାଇବେ । ସେହିଭଳି ବୟସ୍କ ଲୋକମାନଙ୍କ ପାଇଁ ‘ପୁରାଣ ପାଠ’ର ବ୍ୟବସ୍ଥା କରିବାକୁ ପଞ୍ଚାୟତଓ ପୌରସଂସ୍ଥା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।

ରାଜସ୍ୱ ବିଭାଗର ବିଜ୍ଞପ୍ତି ଅନୁସାରେ, କ୍ୱାରେଣ୍ଟାଇନ୍‌ କେନ୍ଦ୍ର ହେଉ ଅବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ଦୈନିକ ଜଣଙ୍କ ପିଛା ଖାଦ୍ୟପେୟ ବାବଦକୁ ୧୨୦ ଟଙ୍କା ଖର୍ଚ୍ଚ କରାଯିବ । ୧୪ ବର୍ଷରୁ କମ୍‌ ପିଲାଙ୍କ କ୍ଷେତ୍ରରେ ଏହା ୧୦୦ ଟଙ୍କା ରଖାଯାଇଛି । ପର୍ସନାଲ ହାଇଜିନ୍‌ କିଟ୍‌ ପାଇଁ ମଧ୍ୟ ୩ ଶହ ଟଙ୍କା ଖର୍ଚ୍ଚ କରାଯିବ । ପ୍ରତି ବେଡ୍‌ ପାଇଁ ଦୁଇଟି ବେଡସିଟ୍‌ ଓ ଦୁଇଟି ତକିଆ ଖୋଳ ବ୍ୟବସ୍ଥା କରାଯିବ । ପ୍ରତି ବେଡ୍‌ ମଧ୍ୟରେ ଅତି କମରେ ୧ ମିଟର ଦୂରତା ରହିବ । ମହିଳା ଓ ପୁରୁଷମାନଙ୍କ ପାଇଁ ଅଲଗା ରୁମ ବ୍ୟବସ୍ଥା ହେବ । କିନ୍ନର ବର୍ଗ ପାଇଁ ମଧ୍ୟ ଅଲଗା ରୁମ୍‌ ବ୍ୟବସ୍ଥା କରାଯିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସରକାରଙ୍କ ଗାଇଡଲାଇନ କହୁଛି, ଦୈନିକ ୩ ଥର କ୍ୱାରେଣ୍ଟାଇନ କେନ୍ଦ୍ରକୁ ସଫା ସୁତୁରା କରାଯିବ । ସବୁ ରୁମ୍‌ରେ ଲାଇଟ୍‌ ଓ ଫ୍ୟାନ୍‌ ରହିବ । ମୋବାଇଲ ଚାର୍ଜିଂ ପାଇଁ ଅଧିକ ସଂଖ୍ୟାରେ ପ୍ଲଗ ପଏଣ୍ଟ ରଖାଯିବ । ପୁଲିସ ପକ୍ଷରୁ ସୁରକ୍ଷା ଦିଗ ପ୍ରତି ଧ୍ୟାନ ରଖାଯାଇ କର୍ମଚାରୀମୁତୟନ ହେବେ । ସ୍ଥାନୀୟ ସ୍ୱେଚ୍ଛାସେବୀ ସଂସ୍ଥା ସହଯୋଗରେ ଏ କେନ୍ଦ୍ରରେ ଯୋଗ, ପେଣ୍ଟିଂ ପ୍ରତିଯୋଗିତା, ଅନ୍ତାକ୍ଷରୀ ପ୍ରତିଯୋଗିତା ସହ ପ୍ରେରଣାଦାୟୀ ବକ୍ତବ୍ୟର ଆୟୋଜନ କରାଯିବ । କାହାକୁ ବ୍ୟକ୍ତିଗତ ଜିନିଷ ବ୍ୟବହାର କରିବାକୁ ସୁଯୋଗ ମିଳିବନି ।

କ୍ୱାରେଣ୍ଟାଇନ କେନ୍ଦ୍ରରେ ବୃଦ୍ଧ, ଶିଶୁ, ରୋଗୀ ଓ ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । କାଶରୋଗୀ, ଜ୍ୱର ରୋଗୀଙ୍କୁ ଚିକିତ୍ସା ସେବା ମିଳିବ । ସମସ୍ତ ଅନ୍ତେବାସୀ ମାସ୍କ ପିନ୍ଧି ୧୪ ଦିନ କାଳ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ନିୟମିତ ଭାବେ ଏ କେନ୍ଦ୍ରକୁ ଯାଇ ଶିଶୁ ଓ ଗର୍ଭବତୀଙ୍କ ଯତ୍ନ ନେବା ସହ ଆବଶ୍ୟକ ପରାମର୍ଶ ଓ ସେବା ଦେବେ ।

ଉଲ୍ଳେଖଯୋଗ୍ୟ, ଆଗକୁ ଲକଡାଉନ କଟକଣା ହଟିବା ପରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ସରକାର ବ୍ୟବସ୍ଥା କରୁଛନ୍ତି । ତେବେ ସରକାର ସ୍ପଷ୍ଟ କରିଛନ୍ତି, ପଞ୍ଚାୟତକୁ ଫେରିବା ପରେ ପ୍ରବାସୀ ଓଡ଼ିଆମାନେ ନିଜ ଘରକୁ ସିଧାସଳଖ ଯାଇପାରିବେ ନାହିଁ । ସେମାନେ ପଞ୍ଚାୟତଦ୍ୱାରା ପ୍ରସ୍ତୁତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ । ଏହାପରେ ସେମାନେ ପଞ୍ଚାୟତର କ୍ୱାରେଣ୍ଟାଇନ କେନ୍ଦ୍ରରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ । ସେଠାରେ ସେମାନଙ୍କୁ ମାଗଣା ରହିବା, ଖାଇବା ପିଇବା ସହ ଚିକିତ୍ସା ସେବା ମିଳିବ । ୧୪ ଦିନ ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିଲେ ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ସହ ନିଜ ଘରକୁ ଯିବାକୁ ଅନୁମତି ମିଳିବ । ସମାନ ବ୍ୟବସ୍ଥା ସହରାଞ୍ଚଳ ପାଇଁ ମଧ୍ୟ କରାଯାଇଛି ।

   ସମ୍ବନ୍ଧିତ ଖବର


ସେମିଳିଗୁଡ଼ା ପୋଲିସକୁ ବଡ଼ ସଫଳତା, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମହିଳା ଟେନିସ୍‌ ତାରକା ‌ ସିମୋନା ହାଲେପଙ୍କୁ କରୋନା

କଟକ ସହର ପାଇଁ ଆଉ ଏକ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା : ସ୍କିପ୍ସ ପ୍ରୋଜେକ୍ଟରେ ପ୍ରଥମ ଗ୍ରୀଡ୍ ଲୋକାର୍ପିତ

ନୀଳଗିରିକୁ ଝାଡଖଣ୍ଡି ହାତୀପଲଙ୍କ ଆଗମନ ଆଶଙ୍କା, ଦନ୍ତା ହାତୀ ଆସିବୁଲି ଫେରିଯିବା ପରେ ବଢିଲା ଚିନ୍ତା…

ଦୋକାନ ଛାତ କଣାକରି ଦୁଇକିଲୋ ସୁନା ଅଳଙ୍କାର ଚୋରି କରିନେଲେ ଦୁର୍ବୃତ୍ତ..

ନଦୀକୁ ମାଛ ଧରିବାକୁ ଯାଇ ଦୁଇଦିନ ହେବ ନିଖୋଜ ଅଛନ୍ତି ଯୁବକ, କୁମ୍ଭୀର ଭିଡି ନେଇଥିବା ସନ୍ଦେହ…