ଏଣିକି ପରୀକ୍ଷା ସରିବାର ୪୫ ଦିନରେ ଫଳ: ବଢିବ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା

ଭୁବନେଶ୍ୱର ୨୯/୮ : ଏଣିକି ପରୀକ୍ଷା ସରିବାର ୪୫ ଦିନ ଭିତରେ ଫଳ ପ୍ରକାଶ ପାଇବ । ଆଉ ରେଜଲ୍ଟ୍‌ ଶୀଘ୍ର ବାହାରିବା ପାଇଁ ପୂର୍ବାପେକ୍ଷା ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବଢିବ । ତେବେ ଗୋଟିଏ ମୂଲ୍ୟାୟନ କେନ୍ଦ୍ର ଅଧୀନରେ ୧୨ରୁ ୧୫ କଲେଜ ରହିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ବୁଧବାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟଗୁଡିକର ପରୀକ୍ଷା ନିୟନ୍ତ୍ରକ, କୁଳସଚିବ ଓ ବିତ୍ତ ନିୟନ୍ତ୍ରକଙ୍କୁ ନେଇ ପୁସ୍ତକ ଭବନ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ଯୋଗ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ, ଉଚ୍ଚଶିକ୍ଷାରେ ସଂସ୍କାର ଆଣିବା ପାଇଁ ପ୍ରଥମେ ସମସ୍ତ ପ୍ରକ୍ରିୟାକୁ ଉପଯୁକ୍ତ ସମୟ ମଧ୍ୟରେ ସାରିବାକୁ ପଡିବ । ସେଥି ପାଇଁ ନାମଲେଖା ପ୍ରକ୍ରିୟା ଶୀଘ୍ର ସାରିବା ସହିତ ପାଠପଢା ଆରମ୍ଭ କରି କୋର୍ସ ଶେଷ କରିବାକୁ ପଡିବ । ଅପରପକ୍ଷେ ପରୀକ୍ଷା ଠିକ ସମୟରେ ଶେଷ କରିବା ସହିତ ଫଳ ନିର୍ଦ୍ଦିଷ୍ଟ ସମୟରେ ବାହାର କରାଯିବ । ତେବେ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ କେନ୍ଦ୍ର ସଂଖ୍ୟା କମ୍‌ ଥିବା ସହିତ ମୂଲ୍ୟାୟନକାରୀଙ୍କୁ ମଧ୍ୟ କମ ଟଙ୍କା ଦିଆଯାଉଛି । ତେଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବା ସହିତ ମୂଲ୍ୟାୟନକାରୀଙ୍କ ପାଉଣା ବୃଦ୍ଧି କରାଯିବ । ଏହା ସହ ପ୍ରଶ୍ନ ପ୍ରସ୍ତୁତକାରୀଙ୍କର ବି ବଢିବ ପାଉଣା ।

ଅପରପକ୍ଷେ ବୈଠକରେ ଯୋଗ ଦେଇଥିବା ବିତ୍ତ ନିୟନ୍ତ୍ରକଙ୍କ ଉପରେ ବର୍ଷିଥିଲେ ମନ୍ତ୍ରୀ ଡ. ସାହୁ । ବିଶ୍ୱବିଦ୍ୟାଳୟଗୁଡିକୁ ମିଳିଥିବା ପାଣ୍ଠି ବିନିଯୋଗ ନ ହୋଇ କାହିଁକି ପଡିରହୁଛି ବୋଲି ପ୍ରଶ୍ନ କରିଥିଲେ । କେଉଁ ବିଶ୍ୱବିଦ୍ୟାଳୟରେ କେତେ ଟଙ୍କା କେତେ ଦିନ ଧରି ଖର୍ଚ୍ଚ ନ ହୋଇ ପଡିରହିଛି, ସେ ବାବଦରେ ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମନ୍ତ୍ରୀ ତାଗିଦ୍‌ କରିଛନ୍ତି । ଏହି ଅର୍ଥର ଉପଯୁକ୍ତ ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ବିଶ୍ୱବିଦ୍ୟାଳୟର ନିୟମିତ ଅଡିଟ୍‌ କରିବା ଓ ଏହାର ନିୟମଗୁଡିକୁ ପାଳନ କରିବାକୁ କୁହାଯାଇଥିଲା । ତେବେ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ଜମିଜମା ସଂକ୍ରାନ୍ତରେ ଥିବା ବିବାଦଗୁଡିକୁ ସମାଧାନ କରିବା ସହିତ ପୂର୍ବରୁ ଥିବା ଜମିରେ ବହୁତଳ ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରିବାକୁ ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ ଉଚ୍ଚଶିକ୍ଷା କମିଶନର୍‌ ତଥା ଶାସନ ସଚିବ ଶାସ୍ୱତ ମିଶ୍ର, ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ(ବିଶ୍ୱ ବ୍ୟାଙ୍କ୍‌) ପରମେଶ୍ୱରନ୍‌ ବି.ଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ସମେତ ସମସ୍ତ ଆଞ୍ଚଳିକ ନିର୍ଦ୍ଦେଶକ ଯୋଗ ଦେଇଥିଲେ ।

   ସମ୍ବନ୍ଧିତ ଖବର


ପାରିତ ହେଲା ସଂକ୍ରାମକ ରୋଗ ବିଲ୍‌, କରୋନା ନିୟମ ଉଲ୍ଲଂଘନ କଲେ ଲକ୍ଷେ ଜରିମାନା, ଦୁଇ ବର୍ଷ ଜେଲ୍‌

ମାସ୍କ ବ୍ୟବହାର କଲେ ସଂକ୍ରମଣ ସମ୍ଭାବନା କମ୍‌: ଡା. ମନୋଜ ସାହୁ

ବାଉଁଶ ଚାଷର ବିକାଶ ପାଇଁ କେନ୍ଦ୍ରୀୟ ସହାୟତାରେ ତିନି ବର୍ଷରେ ଓଡ଼ିଶାକୁ ମିଳିଛି ୬.୭୭ କୋଟି: ଧର୍ମେନ୍ଦ୍ର

ସରିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା, ଖାଲି ପଡ଼ିବ ୪୦ ହଜାରରୁ ଅଧିକ ସିଟ୍‌…

ନନ୍ଦନକାନନରେ ଦିନକୁ ୨,୫୫୦ ପର୍ଯ୍ୟଟକଙ୍କୁ ଟିକେଟ୍‌, ବୟସ୍କ ଓ ଶିଶୁ ନଯିବାକୁ ପରାମର୍ଶ…

ଭୁବନେଶ୍ୱର ନାବାଳିକା ଗଣବଳାତ୍କାର ଘଟଣା, ଡିସିପି ବା ତଦୁଦ୍ଧ୍ୱ୍ୱର୍ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ