ନଭେମ୍ବର ୨୯ରୁ ଖରିଫ୍‌ ଧାନକିଣା : ୮୦ଟି ମଣ୍ଡିରେ ଧାନ ବିକିବେ ୩୯,୫୦୩ ଚାଷୀ

ଢେଙ୍କାନାଳ ୮।୧୧: ଢେଙ୍କାନାଳ ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକ ଗୁରୁବାର ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଧାନ ସଂଗ୍ରହ ନଭେମ୍ବର ୨୯ ତାରିଖରୁ ଆରମ୍ଭ ହେବ । ଧାନ ସଂଗ୍ରହର ୧୫ ଦିନ ପୂର୍ବରୁ ପ୍ରଥମେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ପାଇଁ ରାଜ୍ୟସ୍ତରରୁ ଟୋକନ ପ୍ରଦାନ କରାଯିବ । ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଜିଲ୍ଲାର ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯିବ ।

୨୦୧୯-୨୦ ଖରିଫ୍‌ ଋତୁ ପାଇଁ ଜିଲ୍ଲାର ସମୁଦାୟ ୩୯ ହଜାର ୫୦୩ ଜଣ ଚାଷୀ ଅନ୍‌ଲାଇନ୍‌ରେ ନାମପଞ୍ଜୀକରଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସରକାର ୯୨ ହଜାର ୩୫୨ ମେଟ୍ରିକ୍‌ ଟନ୍‌ ଧାନ ଓ ୬୨ ହଜାର ୮୪୦ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । କୃଷି ବିଭାଗ ଚଳିତବର୍ଷ ୧ ଲକ୍ଷ ୪୨ ହଜାର ୩୦ ମେଟ୍ରିକ୍‌ ଟନ୍‌ ବଳକା ଧାନ ସଂଗ୍ରହ ପାଇଁ ଆକଳନ କରିଛି । ଧାନ ସଂଗ୍ରହ ଅନ୍‌ଲାଇନ୍‌ରେ ପି-ପାସ୍‌ ଭି୨.୦ ଏବଂ ଆଇଆର୍‌ଆଇଏସ୍‌ ସ୍କାନର ମାଧ୍ୟମରେ କରାଯିବ । ଧାନର ଚଳିତବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟ ସାଧାରଣ ଧାନ ପାଇଁ ୧୮୧୫ ଟଙ୍କା ଓ “ଏ’ ଗ୍ରେଡ୍‌ ଧାନ ପାଇଁ ୧୮୩୫ ଟଙ୍କା କୁଇଣ୍ଟାଲ ପିଛା ରଖାଯାଇଛି । ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‌ ଦ୍ୱାରା ୨୪ ଘଣ୍ଟାରୁ ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଧାନର ମୂଲ୍ୟ ଜମା କରିଦିଆଯିବ ।

ଚାଷୀମାନଙ୍କ ସଚେତନତା ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେବ । ଧାନର ଏଫ୍‌ଏକ୍ୟୁ, ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସପି) ପ୍ରାଥମିକ ଧାନ ସଂଗ୍ରହ ବା କ୍ରୟ କେନ୍ଦ୍ର ସ୍ଥାନ ନିରୂପଣ, କ୍ରୟ ତାରିଖ, ପ୍ରତିଦିନ ସର୍ବାଧିକ ଧାନକ୍ରୟର ପରିମାଣ ଆର୍‌ଏମ୍‌ସି ଦ୍ୱାରା ନିର୍ଦ୍ଧାରିତ ହେବା ସୂଚନା ଇତ୍ୟାଦି ସମ୍‌ବନ୍ଧରେ ଲିଫ୍‌ଲେଟ୍‌, ଫ୍ଲେକ୍ସବ୍ୟାନର, ମାଇକ୍‌ରେ ପ୍ରଚାର, କର୍ମଶାଳା, ପ୍ରିଣ୍ଟ୍‌ ଓ ବୈଦୁତିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଞ୍ଚଳିକ ବାଣିଜ୍ୟିକ ସମବାୟ ସମିତିଗୁଡିକ ଦ୍ୱାରା ମଧ୍ୟ ପ୍ରାଥମିକ କୃଷି ସମବାୟ ସମିତି କର୍ମକର୍ତ୍ତାମାନଙ୍କୁ ଓ ଚାଷୀମାନଙ୍କୁ ଜିଲ୍ଲାସ୍ତରୀୟ ଏବଂ ବ୍ଲକ୍‌ସ୍ତତରୀୟ ତାଲିମ ପ୍ରଦାନ କରାଯିବ । ପ୍ରାଥମିକ କୃଷି ସମବାୟ ସମିତିଗୁଡିକ ମଧ୍ୟ କୃଷି ସମବାୟ ସମିତି ସ୍ତରରେ ଚାଷୀମାନଙ୍କୁ ଏଫ୍‌ଏକ୍ୟୁ ପ୍ରଣାଳୀ ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ବନ୍ଧରେ ତାଲିମ ପ୍ରଦାନ କରିବ ।

ଆର୍‌ଏମ୍‌ସିଗୁଡିକ ସମସ୍ତ ଯନ୍ତ୍ରାଂଶ ଯୋଗାଇଦେବେ । ୨୦୧୯-୨୦ ଖରିଫ୍‌ ଋତୁରେ ୧୪ ଜଣ ମିଲର ଧାନକ୍ରୟରେ ଅଂଶଗ୍ରହଣ କରିବେ ଏବଂ ଏହା ନଭେମ୍ବର ୨୯ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଜିଲ୍ଲାର ସମସ୍ତ ୮୦ଟି ପାକ୍ସ ଏହି ଧାନକ୍ରୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାସ୍ତରରେ, ଉପଜିଲ୍ଲାପାଳ ଉପଖଣ୍ଡସ୍ତରରେ, ବିଡିଓ ଏବଂ ତହସିଲ୍‌ଦାରମାନେ ବ୍ଲକ୍‌ସ୍ତତରରେ ଧାନକ୍ରୟ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ସଂପନ୍ନ କରିବେ । ଛୁଟିଦିନ ବ୍ୟତୀତ ଅନ୍ୟାନ୍ୟ ଦିନମାନଙ୍କରେ ଧାନକ୍ରୟ ଚାଲୁ ରହିବ । ଧାନ ପରିବହନ କରୁଥିବା ଗାଡିଗୁଡିକରେ ବ୍ୟାନର ଲଗାଯିବ । ପ୍ରତିଦିନ ପ୍ରତି ପ୍ୟାକ୍ସ ୬୦୦ କ୍ୱ୍ୱିଣ୍ଟାଲ ଧାନ କ୍ରୟ ଏବଂ ପ୍ରତି ଚାଷୀ ୫୦ କ୍ୱ୍ୱିଣ୍ଟାଲ ଧାନ ବିକ୍ରୟ କରିପାରେବ । ୬୦୦ ରୁ ୮୦୦ କୁଇଣ୍ଟାଲ ଧାନକ୍ରୟ ପରିମାଣ ଡିସେମ୍ବର ୨୦ ତାରିଖ ପରେ ବୃଦ୍ଧି କରାଯିବ । ସବୁ ପ୍ୟାକ୍ସରେ କ୍ୱାଲିଟି ଅନାଲିଷ୍ଟ୍‌ ରହିବା ପାଇଁ ମିଲରମାନେ ଦାବି କରିଥିଲେ । ମିଲର ଟ୍ୟାଗିଂ ଗୁଗୁଲ ମାଧ୍ୟମରେ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ବୈଠକରେ ଅଧ୍ୟକ୍ଷତା କରି ଚାଷୀମାନଙ୍କୁ ଶୁଖିଲା ଓ ପରିସ୍କାର ଧାନ ମଣ୍ଡିଗୁଡିକୁ ଆଣି ବିକ୍ରୟ କରିବାକୁ ପରାମର୍ଶ ଦେଇଛନ୍ତି । ଜାନୁଆରୀ ୧୫ ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାନମଣ୍ଡିଗୁଡିକ ବନ୍ଦ ହେବ ନାହିଁ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସ୍ଥାନରେ ପ୍ୟାକ୍ସ କାମ କରୁନାହିଁ ସେ ସ୍ଥାନରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନକ୍ରୟ କରାଯିବ କିମ୍ବା ଅତିରିକ୍ତ ପାକ୍ସ ଦିଆଯିବାର ବ୍ୟବସ୍ଥା ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକ ପ୍ରାରମ୍ଭରେ ଭାରପ୍ରାପ୍ତ ଜିଲ୍ଲା ଯୋଗାଣ ଅଧିକାରୀ ସଂଜୀବ କୁମାର ସାହୁ ସମସ୍ତ ତଥ୍ୟ ଉପସ୍ଥାପନ କରିବା ସହ ଚଳିତ ଖରିଫ୍‌ ଋତୁର ଧାନ ସଂଗ୍ରହ ସୁଚାରୁରୂପେ କରିବା ପାଇଁ ଉଭୟ ଚାଷୀ ଓ ମିଲରମାନଙ୍କ ସହଯୋଗ ଲୋଡିଥିଲେ ।

ବୈଠକରେ ଢେଙ୍କାନାଳ ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସନ୍ନ ଆଚାର୍ଯ୍ୟ, ହିନ୍ଦୋଳ ଉପଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ, ସମସ୍ତ ବିଡିଓ, ତହସିଲଦାର, ଆର୍‌ଏମ୍‌ସି ସଂପାଦକ ନିରଞ୍ଜନ ସେଠ, ମିଲର ଓ ଚାଷୀ ପ୍ରତିନିଧି, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗଦେଇଥିଲେ । କାମାକ୍ଷାନଗର ବିଧାୟକ ତଥା ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ପ୍ରତିନିଧି ସୁଧାକର ସାହୁ ଯୋଗଦେଇ ପରୀକ୍ଷାମୂଳକ ଭାବେ ବ୍ଲକ୍‌ସ୍ତରରେ ସ୍ୱୟଂସହାୟକ ଗୋଷ୍ଠୀଗୁଡିକୁ ଧାନକ୍ରୟ ପ୍ରକ୍ରିୟାରେ ସାମିଲ କରିବାକୁ ବୈଠକରେ ପ୍ରସ୍ତାବ ଦେଇଥିଲେ ।