ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

ଗୁଜୁରାଟ ୨୫।୧୧ : ଇଣ୍ଟେରିୟର ଡିଜାଇନିଂ ଏବଂ ଆର୍କିଟେକ୍ଟ ନାଁରେ ଚାଲିଥିବା ଭର୍ଚୁଆଲ ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇଛି। ଭର୍ଚୁଆଲ ସେକ୍ସ ରାକେଟ ଚଳାଉଥିବା ଏକ ଗ୍ୟାଙ୍ଗକୁ ଧରିଛି ଗୁଜୁରାଟ ପୋଲିସ। ରି-ଡିଜାଇନ୍ ୱାର୍ଲ୍ଡର ଆଳରେ ଚାଲିଥିଲା ଖରାପ କାମ।

ଏଏନ୍‌ଆଇ ଖବର ମୁତାବିକ, ବଦୋଦରା ପୋଲିସ ରି-ଡିଜାଇନ୍‌ ଓ୍ବାର୍ଲ୍ଡ ନାମରେ ଗ୍ୟାଙ୍ଗ ଚଳାଉଥିବା ମାଷ୍ଟରମାଇଣ୍ଡ ନୀଲେଶ ଗୁପ୍ତାଙ୍କୁ ଧରିଥିବାବେଳେ ତାଙ୍କ ସହଯୋଗୀ ଅମି ପରମାର ଫେରାର୍‌ ହୋଇଯାଇଛନ୍ତି। ଗତ ଦେଢ଼ ବର୍ଷ ଧରି ଚାଲୁଥିବା ଧନ୍ଦା ସମ୍ପର୍କରେ ପୋଲିସ ସୂଚନା ପାଇଥିଲା। ଯେଉଁଥିରେ ଜାଣିବାକୁ ମିଳିଥିଲା କି, ଭିନ୍ନ ଭିନ୍ନ ରାଜ୍ୟର ଯୁବତୀମାନଙ୍କୁ ପର୍ଣ୍ଣ ଓ୍ବେବସାଇଟ ଜରିଆରେ ଅଙ୍ଗ ପ୍ରଦର୍ଶନ ପାଇଁ ତାଲିମ୍‌ ଦିଆଯାଉଥିଲା।

ଏହି ପୂରା ଖେଳ ନୀଲେଶ ଗୁପ୍ତାଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ଚାଲୁଥିଲା। ଯେଉଁଥିରେ ବିଟକଏନ୍‌ ଜରିଆରେ ଦେଣନେଣ ବି ହେଉଥିଲା। ଡିସିପି ସନ୍ଦୀପ ଚୌଧୁରୀ କହିଛନ୍ତି କି, ପୋଲିସ ୩୦ ବିଟକଏନ୍ ୱାଲେଟ୍ ଏବଂ ୧.୨୫ କୋଟି ଟଙ୍କା ମୂଲ୍ୟର ପ୍ରାୟ ୯.୪୫ ବିଟକଏନ୍ ଜବତ କରିଛି। ଏହା ସହିତ ଅନେକ ଲାପଟପ୍, ୱେବକ୍ୟାମ ମଧ୍ୟ ଉଦ୍ଧାର କରାଯାଇଛି। ପୋଲିସର କହିବାନୁସାରେ, ଏହି ସେକ୍ସ ରାକେଟରେ ଆହୁରି ଅନେକ ଲୋକ ଜଡିତ ଥାଇପାରନ୍ତି, ଏଥିପାଇଁ ଆହୁରି ଅଧିକା ତଦନ୍ତ ଚାଲିଛି।