ପୁଣି ରାଜଧାନୀରେ ଲାଗିଛି ରକ୍ତର ଛିଟା: ଯୁବକଙ୍କୁ ମଝି ରାସ୍ତାରେ ହାଣି ହତ୍ୟା

ଭୁବନେଶ୍ୱର ୧୧/୯: ପୁଣି ରାଜଧାନୀରେ ଲାଗିଛି ରକ୍ତର ଛିଟା । ରକ୍ତ ରଞ୍ଜିତ ହୋଇଛି ମଞ୍ଚେଶ୍ୱର ଥାନାର ରଙ୍ଗମାଟିଆ ଗାଁ ଦାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଗାଁର ତଳସାହିର ଦୀପକ ବେହେରା ଓରଫ୍‌ ଲଣ୍ଡାକୁ ଗୋଡ଼ାଇ ଗୋଡାଇ ହାଣିଛନ୍ତି ୩ ଜଣ ଦୁର୍ବୃତ୍ତ । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଚନ୍ଦ୍ରଶେଖରପୁରର ଏକ ଘରୋଇ ହସ୍ପିଟାଲକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମିଳିଥିବା ସୂଚନା ମୁତାବକ, ରଙ୍ଗମାଟିଆର ସାହୁ କମ୍ପେ୍ଲକ୍ସ ପାଖରେ ଲଣ୍ଡାଙ୍କର ଏକ ଜଳଖିଆ ଦୋକାନ ରହିଛି । ସେ ଆଜି ସନ୍ଧ୍ୟା ୮ଟା ବେଳେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ସାମ୍ନାରେ ୩ଜଣ ଦୁର୍ବୃତ୍ତ ମୁହଁରେ ଗାମୁଛା ଗୁଡ଼ାଇ ତାଙ୍କୁ ଅଟକାଇଥିଲେ । ପ୍ରଥମେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ । ଲଣ୍ଡାଙ୍କ ଗୋଡ଼, ବେକ ଓ ଛାତିରେ ଗଭୀର ଆଘାତ ଲାଗିଥିଲା । ରକ୍ତାକ୍ତ ଅବସ୍ଥାରେ ସେ ତଳେ ପଡି ଛଟପଟ ହେଉଥିବା ଦେଖି ଦୁର୍ବୃତ୍ତମାନେ ପଳାଇଥିଲେ । ସ୍ଥାନୀୟ ଲୋକେ ଲଣ୍ଡାଙ୍କୁ ହସ୍ପିଟାଲ ନେଇଥିଲେ । ହେଲେ ପ୍ରଚୁର ରକ୍ତସ୍ରାବ ଯୋଗୁ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଆଖପାଖ ଲୋକଙ୍କୁ ପଚରାଉଚରା କରିଥିଲା । ଲଣ୍ଡାଙ୍କ ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ବ୍ୟବଚ୍ଛେଦ କରିବାକୁ ପଠାଇଛି । ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ହତ୍ୟା ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।

ତଳ ସାହି-ଉପର ସାହି ଝଗଡ଼ା
ରଙ୍ଗମାଟିଆ ଗାଁର ତଳସାହି ଓ ଉପର ସାହିର ଦୁଇ ଗୋଷ୍ଠୀ ମଧ୍ୟରେ ୪ ମାସ ହେବ ବିବାଦ ଲାଗି ରହିଛି । ଏକ ବାହାଘର ଭୋଜିରେ ଲଣ୍ଡା ଗୋଷ୍ଠୀ କୌଣସି କାରଣରୁ ଉପରସାହିର ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ । ସେମାନେ ଉପରସାହିର ଟିକନ ପ୍ରଧାନକୁ ହାଣିଥିଲେ । ମଞ୍ଚେଶ୍ୱର ଥାନା ପୁଲିସ ତଳ ସାହିର ଜଣଙ୍କୁ ଗିରଫ କରିଥିଲା । ସେପଟେ ଅପରଗୋଷ୍ଠୀ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ । ଟିକନ ଚିକିତ୍ସିତ ହୋଇ ହସ୍ପିଟାଲରୁ ଫେରିବା ପରେ ୨ଦିନ ତଳେ ଏନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା । ପୁଲିସ ସୁରାକ୍‌ ପାଇବା ପରେ ଉପରସାହିର ଅଭିଯୁକ୍ତମାନଙ୍କୁ ଖୋଜୁଛି ।

ଗାଁରେ ଏକ ପ୍ଲାଟୁନ୍‌ ପୁଲିସ
ଲଣ୍ଡାଙ୍କ ହତ୍ୟା ପରେ ରଙ୍ଗମାଟିଆ ଗାଁରେ ଉତ୍ତେଜନା ଦେଖା ଦେଇଛି । ମୃତ ଲଣ୍ଡାଙ୍କ ସହଯୋଗୀମାନେ ପ୍ରତିଶୋଧ ପରାୟଣ ହୋଇ ପଡି଼ଛନ୍ତି । ଉପରସାହିରେ ଥିବା ଅପରଗୋଷ୍ଠୀକୁ ଆକ୍ରମଣ କରିବାକୁ ଛକିଛନ୍ତି । ଏନେଇ କିଛି ସମୟ ଛକାପଞ୍ଝା ବି ଲାଗିଥିଲା । କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବା ଲାଗି ଗାଁରେ ଗୋଟିଏ ପ୍ଲାଟୁନ୍‌ ଫୋର୍ସ ମୁତୟନ କରିଛି ପୁଲିସ ।

   ସମ୍ବନ୍ଧିତ ଖବର


ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ

ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

ନିଖୋଜ ହୋଇଯାଇଛି ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ କରାଯାଇଥିବା ପୀଡିତା